ପୃଷ୍ଠା:Aama Madhusudan.pdf/୧୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଆ ଭାଷାର ଅନୁରୂପ ନୁହେଁ । ଏହା ଏକ ପ୍ରକାର ସ୍ଥାନୀୟ ଭାଷା ଯହିଁରେ ହିନ୍ଦୀ ଓ ଛତିଶିଗଡ଼ୀ ଭାଷାର ସବିଶେଷ ମିଶ୍ରଣ ଘଟିଛି । ଲୋକମାନେ ଏହି ଶେଷୋକ୍ତ ଛତିଶିଗଡ଼ୀ ଭାଷା ବୁଝିବାପାଇଁ ବିଶେଷ କଷ୍ଟବୋଧ କରନ୍ତି ନାହିଁ । ତେଣୁ ହିନ୍ଦୀ ଭାଷାର ପ୍ରଚଳନ ସହଜରେ ଆଦୃତ ହେବ । ଅବଶେଷରେ ପ୍ରତ୍ୟେକ କର୍ମଚାରୀଙ୍କର ହିନ୍ଦୀ ଶିଖିବା ବାଧ୍ୟତାମୂଳକ ଥିଲା । ଏହି ଆଦେଶ ବିରୋଧରେ ତୀବ୍ର ଜନଆନ୍ଦୋଳନ କେବଳ ଦେଖା ଦେଇନଥିଲା, ସମ୍ବଲପୁର ଜିଲ୍ଲାରେ, ସଂଲଗ୍ନ ଗଡ଼ଜାତମାନଙ୍କରେ ଏହର ପ୍ରତିକ୍ରିୟା ପରିଲକ୍ଷିତ ହୋଇଥିଲା । ସମ୍ବଲପୁରର ଅଦାଲତ ବିଭାଗର କର୍ମଚାରୀ ବୈକୁଣ୍ଠନାଥ ପାଢ଼ୀ ତତ୍‍କ୍ଷଣାତ୍‍ ଇସ୍ତଫା ପ୍ରଦାନ କରିଥିଲେ । ପ୍ରଥମ ପ୍ରତିବାଦ ସଭା ୧୧.୨.୧୮୯୫ରେ ବ୍ରହ୍ମପୁର ମନ୍ଦିରରେ ଅନୁଷ୍ଠିତ ହୋଇଥିଲା, ସମ୍ବଲପୁର ଜିଲ୍ଲାର ପ୍ରଥମ ମାଟି୍ରକୁଲେଟ୍‍ ଧରଣୀଧର ମିଶ୍ରଙ୍କ ନେତୃତ୍ୱରେ । ୧୩.୬.୧୮୯୫ରେ ସୋମନାଥ ମନ୍ଦିରରେ ସୋମନାଥ ବାବୁଙ୍କର ଅଧ୍ୟକ୍ଷତାରେ ଏକ ବିରାଟ ଜନସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଭାଷା ସଂକଟ ସଂପର୍କରେ ପ୍ରତିବାଦ ପତ୍ର ମେମୋରାଣ୍ଡମ୍‍ ଆକାରରେ ଉପସ୍ଥାପିତ କରାଯାଇଥିଲା । ସହର ତଥା ଗ୍ରାମାଞ୍ଚଳମାନଙ୍କରେ କ୍ରମାଗତ ସଭା ହୋଇ ପ୍ରାୟ ୨୩୬୪ ଜଣଙ୍କର ଦସ୍ତଖତ ସଂଗ୍ରହ କରାଯାଇ ୫.୭.୧୮୯୫ରେ ଭାରତର ବଡ଼ଲାଟ ଲଡର଼୍ ଏଲଗିନ୍‍ଙ୍କର ଉଦ୍ଦେଶ୍ୟରେ ପ୍ରେରିତ ହୋଇଥିଲା । ଏହି ମେମୋରାଣ୍ଡମ୍‍ରେ ଯେଉଁ ପ୍ରଧାନ ବ୍ୟକ୍ତିମାନେ ଦସ୍ତଖତ କରିଥିଲେ, ସେମାନଙ୍କ ମଧ୍ୟରେ ଥିଲେ ଗୋକୁଳ ଚନ୍ଦ୍ର ପାଢ଼ୀ, ବାଳମୁକୁନ୍ଦ ପରିଚ୍ଛା, ଗୋପୀନାଥ ସୁଦ, ଗଙ୍ଗାଧର ମିଶ୍ର, କୃପାସିନ୍ଧୁ ସାହୁ, ବାସୁଦେବ ନନ୍ଦ, ଗୋବିନ୍ଦ ନନ୍ଦ, ଲକ୍ଷ୍ମଣ ସାହାନୀ ପ୍ରମୁଖ । ଏହି ମେମୋରାଣ୍ଡମ୍‍ରେ ଉଲ୍ଲେଖ କରାଯାଇଥିଲା ଯେ ମହାପ୍ରସାଦ ଭଳି ଏକ ପବିତ୍ର ପ୍ରଥାର ବିରୋଧରେ ଅଭିଯୋଗ ଆଣିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ, ଯାହା ଓଡ଼ିଆମାନଙ୍କର ନିଜସ୍ୱ ସ୍ଥିତିକୁ ବିପନ୍ନ କରୁଛି । ଏହି ଅଭିଯୋଗ ଜଣେ ଅଫିସରଙ୍କର ଉପର ଠାଉରିଆ ମତ, ଯାହା କୌଣସି ଦୃଷ୍ଟାନ୍ତ ବା ତଥ୍ୟଦ୍ୱାରା ପ୍ରମାଣିତ କରାଯାଇନାହିଁ ।
ସମ୍ବଲପୁରର ଭାଷା ସମସ୍ୟା ସଂପର୍କରେ ନିମ୍ନଲିଖିତ ମତେ ଉକ୍ତ ମେମୋରାଣ୍ଡାରେ ବିଶଦ ଭାବେ ଲେଖାଯାଇଥିଲା ।
"ସମ୍ବଲପୁରର ଭାଷା ଓଡ଼ିଶାର ଓଡ଼ିଆ ନୁହେଁ, ଏକଥା ସତ୍ୟ ନୁହେଁ । ଓଡ଼ିଶାର ସ୍କୁଲ୍‍ ଇନିସ୍‍ପେକ୍ଟର କିମ୍ବା ଓଡ଼ିଆ ଉଚ୍ଚ ପଦସ୍ଥ ବିଦ୍ୱାନ ବ୍ୟକ୍ତିମାନଙ୍କ ନିକଟରେ ଜିଜ୍ଞାସା କଲେ ସରକାର ଏହାର ପ୍ରକୃତ ଭାବ ଜାଣିପାରିବେ । ଦୂରତ୍ୱଯୋଗୁଁ ପ୍ରତ୍ୟେକ ଭାଷାର ପ୍ରାଦେଶିକ ଭେଦ ଦେଖାଯାଏ । କଲିକତାର ବଂଗଳା ସହିତ ନଦିଆର ବଂଗଳା ଭାଷାର ପ୍ରଭେଦ ଅଛି । ଢାକାର ବଙ୍ଗ ଭାଷାରେ ମଧ୍ୟ ଅଧିକ ପାର୍ଥକ୍ୟ ପରିଲକ୍ଷିତ ହୁଏ । ଇଂଲଣ୍ଡର ୟାର୍କସାୟାରରେ ପ୍ରଚଳିତ ଭାଷା ଲଣ୍ଡନରୁ ଭିନ୍ନ ହେଲେ ମଧ୍ୟ ତାହା ଇଂରାଜୀ ଅଟେ । ଗତ ଜୁଲାଇ ମାସରେ ଚିଫ୍‍ କମିଶନର ସାହେବ ବାହାଦୂର ହିନ୍ଦୀ ପ୍ରଚଳିତ ହେବା ବିରୋଧରେ ଯେଉଁ ଦରଖାସ୍ତ ପ୍ରାପ୍ତ ହୋଇଥିଲେ ତାହା ଭାବୋଛ୍ୱାସ ପ୍ରଣୋଦିତ ବୋଲି ଅଗ୍ରାହ୍ୟ କରିଥିବା ଜାଣି ଆବେଦନକାରୀମାନେ ଦୁଃଖିଃତ ।

ଆମ ମଧୁସୂଦନ ୧୩୫