ପୃଷ୍ଠା:Aama Madhusudan.pdf/୧୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦକ୍ଷିଣ ଓଡ଼ିଶା ସହିତ ଉତ୍ତର ଓଡ଼ିଶାର ସାଂସ୍କୃତିକ ସମ୍ବନ୍ଧକୁ ଅଧିକ ରସାଣିତ, ମାର୍ମିକ, ଆଉ ସମ୍ବେଦନଶୀଳ କରିବାପାଇଁ, ଏକ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ବିବାହ ସଂଯୋଜିତ ହୋଇଥିଲା ୧୯୨୫ ସାଲରେ । ତାହାଥିଲା ଦେଶ ମିଶ୍ରଣ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ଭୁବନାନନ୍ଦ ଦାସଙ୍କ ସହିତ ଆସିକାର ସତ୍ୟାଗ୍ରହୀ ନିରଞ୍ଜନ ପଟ୍ଟନାୟକଙ୍କର ଭଗିନୀ ଋକ୍ମିଣୀ ଦେବୀଙ୍କର ଶୁଭ ପରିଣୟ ।
ଏହି ପରିଣୟ ମାଧ୍ୟମରେ, ନିରଞ୍ଜନ ପଟ୍ଟନାୟକ କଟକର ସାଂସ୍କୃତିକ ପରିବେଶରେ ଉଦ୍‍ଭାସିତ ହୋଇ ଉଠିଥିଲେ ଏକ ଜ୍ଞାନଦୀପ୍ତ ଯୁବ ପ୍ରତିଭା ରୂପେ ଆଉ ଆସି ପାରିଥିଲେ ମଧୁସୂଦନଙ୍କର ପ୍ରଭାମୟ ବଳୟ ମଧ୍ୟରେ । ସ୍ୱାମୀ ବିଚିତ୍ରାନନ୍ଦ ଓ ଭୁବନାନନ୍ଦ ଦାସ ଥିଲେ ମଧୁସୂଦନଙ୍କ ଅନ୍ତରଙ୍ଗ ପରିଧି ମଧ୍ୟରେ ଯେଉଁମାନଙ୍କ ପାଇଁ ଦେଶସେବା ଥିଲା ଏକ ସମର୍ପିତ ପ୍ରାଣର ନୈବେଦ୍ୟ । ଆଉ ନିରଞ୍ଜନ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରୁ ମାତ୍ର ଏକୋଇଶି ବର୍ଷ ବୟସରେ ସ୍ନାତକ ଡିଗ୍ରୀ ହାସଲ କଲାବେଳକୁ ଲେଖି ସାରିଥିଲେ ଭଞ୍ଜନଗର ଚକ୍ରପାଣି ପ୍ରଧାନଙ୍କ ସହଯୋଗିତାରେ ଓଡ଼ିଆ ଜାତିପାଇଁ "ଓଡ଼ିଆ ମୁଭ୍‍ମେଣ୍ଟ' ନାମକ ତଥ୍ୟଭିତ୍ତିକ ପ୍ରାମାଣିକ ଗ୍ରନ୍ଥ ଅନବଦ୍ୟ ଇଂରାଜୀ ଶୈଳୀରେ, ଯାହାର ପଟ୍ଟାନ୍ତର ନାହିଁ । ଏହି ପୁସ୍ତକର ପ୍ରକାଶନ ଅତ୍ୟନ୍ତ ଅପରିହାର୍ଯ୍ୟ ଥିଲା, ଓଡ଼ିଶା ପ୍ରଦେଶ ଗଠନର ପ୍ରକି୍ରୟା ମଧ୍ୟରେ, ସୀମାନିର୍ଦ୍ଧାରଣର ସୂଚୀ ମଧ୍ୟରେ ।
ତେଣୁ ମଧୁସୂଦନ ପୁସ୍ତକ ପ୍ରକାଶନର ସମସ୍ତ ଖର୍ଚ୍ଚ ଅକାତରେ ଯୋଗାଇ ଦେଇଥିଲେ, ଯେଉଁ ପୁସ୍ତକ ପରବର୍ତ୍ତୀ କାଳରେ ଓଡ଼ିଶା ପ୍ରଦେଶ ଗଠନ ଲାଗି ସଂସ୍ଥାପିତ ସମସ୍ତ କମିଟି, କମିଶନ ଅଥବା ଅନୁସନ୍ଧାନ ଲାଗି ଗଠିତ ସଂସ୍ଥାର ସମକ୍ଷରେ ଉପସ୍ଥାପନ କରାଯାଇଥିଲା ।
ନିରଞ୍ଜନ ପଟ୍ଟନାୟକ କିଛିକାଳ ସତ୍ୟାଗ୍ରହୀର ଜୀବନ ବିତାଇଥିଲେ ମଧ୍ୟ ସେ ଥିଲେ ମୁଖ୍ୟତଃ ଓଡ଼ିଶା ପ୍ରଦେଶ ଗଠନର ଏକ ସୁଦକ୍ଷ ସେନାପତି, ଯେ ସମସ୍ତ ସଂକଟ ସମୟରେ ଆଗୁସାର ଥିଲେ ଓଡ଼ିଶାର ସ୍ୱାଭିମାନ ରକ୍ଷା କରିବାପାଇଁ । ଏ ଦିଗରେ ୧୯୨୮ ସାଲ ଜାତୀୟ କଂଗ୍ରେସର ଅଧିବେଶନରେ ତାଙ୍କର ବକ୍ତବ୍ୟ ଅବିସ୍ମରଣୀୟ । ମଧୁବାବୁଙ୍କ ସହିତ ତାଙ୍କର ସଂପର୍କ ଥିଲା ଅତ୍ୟନ୍ତ ଅନ୍ତରଂଗ ଆଉ ଘନିଷ୍ଠ ।
ତାଙ୍କର ଅନୁଗାମୀ ମଧ୍ୟ ଥିଲେ ଗଞ୍ଜାମରେ ଜନ୍ମଗ୍ରହଣ କରିଥିବା ପ୍ରଥମ କଂଗ୍ରେସ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ । ବିଶ୍ୱନାସ ଦାଶ କଟକରେ କଲେଜ ଶିକ୍ଷା, କଲିକତାରେ ଆଇନ ଅଧ୍ୟୟନ କଲାପରେ ମଧୁବାବୁଙ୍କ ଜୁନିଅର ଥିଲେ । ସେ ମଧୁବାବୁଙ୍କୁ ଉଚ୍ଛ୍ୱସିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଯେଉଁ ସୁଦୀର୍ଘ ନିବନ୍ଧଟି ଲେଖିଥିଲେ, ତହିଁର କିଛି ଅଂଶ ଏଠାରେ ପ୍ରଦାନ କରାଯାଇଛି -
"ପରଲୋକଗତ ମହାନ ମଧୁସୂଦନ ଦାସ ଇତିହାସର ପୃଷ୍ଠାରେ ଚିରକାଳ ଲାଗି ଓଡ଼ିଶାର ଉଦ୍ଧାରକର୍ତ୍ତା ରୂପେ ବିଦିତ ରହିବେ । ସେ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଥିଲେ । ସେ ସର୍ବପ୍ରଥମେ ପ୍ରଜା ସଭା (କୃଷକ ସଂଗଠନ)ଆହୂତ କରିଥିଲେ ଯାହା ବର୍ତ୍ତମାନ ସୁଦ୍ଧା ଗୋଟିଏ ଶକ୍ତିଶାଳୀ ସଂସ୍ଥା

୧୫୦ ଆମ ମଧୁସୂଦନ