ପୃଷ୍ଠା:Aama Madhusudan.pdf/୧୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଓଡ଼ିଶା ପ୍ରଦେଶ ଗଠନର ଘୋଷଣାନାମା

ଓଡ଼ିଆ-ଭାଷୀ ଅଞ୍ଚଳର ମିଶ୍ରଣ ତଥା ଓଡ଼ିଶା ପ୍ରଦେଶ ଗଠନ ପ୍ରକ୍ରିୟାର ଶୁଭାରମ୍ଭ ହୋଇଥିଲା ୧୯୦୦ ସାଲର ଶରତ ଋତୁରେ ସିମଲାଠାରେ । ବଡ଼ଲାଟ ଲଡର଼୍ କର୍ଜନଙ୍କ ସହିତ ମଧୁସୂଦନଙ୍କ ସାକ୍ଷାତକାର ଥିଲା ଏହାର ଭିତ୍ତିଭୂମି । ଏହା ପରେ ୧୯୦୩ରେ ଭାରତ ସରକାରଙ୍କ ପକ୍ଷରୁ ପ୍ରକାଶିତ ହୋଇଥିଲା ବିଧିବଦ୍ଧ ଘୋଷଣାନାମା 'ରିସ୍‍ଲେ ସର୍କୁଲାର' ନାମରେ । ଏହି ସର୍କୁଲାରକୁ ଆଧାର କରି ୧୯୦୫ ସାଲ ଅକ୍ଟୋବର ୧୬ ତାରିଖରେ । ପଶ୍ଚିମାଞ୍ଚଳ ସହିତ ପୂର୍ବାଞ୍ଚଳର ମିଶ୍ରଣ ହେଲା । ହେଲେ ଦକ୍ଷିଣ ଓଡ଼ିଶାର ମିଶ୍ରଣ ଲାଗି ଆହୁରି ତିରିଶି ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା ମାନ୍ଦ୍ରାଜ ସରକାରଙ୍କର ତୀବ୍ର ପ୍ରତିରୋଧଯୋଗୁଁ । ଭାରତ ଶାସନର ସଂସ୍କାର ଲାଗି ସାଇମନ୍‍ କମିଶନ ୧୯୨୭ ନଭେମ୍ବର ୨୭ ତାରିଖରେ ଗଠିତ ହୋଇଥିଲା । ମାତ୍ର ଏଥିରେ କୌଣସି ଭାରତୀୟ ସଭ୍ୟ ନଥିବାଯୋଗୁଁ ଭାରତୀୟ ଜାତୀୟ କଂଗ୍ରେସ ଏହାର ତୀବ୍ର ବିରୋଧ କରିଥିଲା । ତେବେ ଏହି କମିଶନର ସୁପାରିଶ କ୍ରମେ ଯେଉଁ ପ୍ରାଦେଶିକ ସ୍ତରର ସ୍ୱାତନ୍ତ୍ର୍ୟ ଓ ମନ୍ତ୍ରିମଣ୍ଡଳର ଗଠନ ବ୍ୟବସ୍ଥା ୧୯୩୬ ସାଲରୁ ପ୍ରବର୍ତ୍ତନ କରାଗଲା ,ତହିଁରେ ସହଯୋଗ କରିଥିଲା ଭାରତୀୟ ଜାତୀୟ କଂଗ୍ରେସ ।
୧୯୨୮ ସାଲ ଫେବ୍ରୁଆରି ମାସରେ ଜାତୀୟ କଂଗ୍ରେସର ନିର୍ଦ୍ଧାରିତ ରୀତି ଅନୁସାରେ ଓଡ଼ିଶାରେ ଉତ୍କଳମଣି ଗୋପବନ୍ଧୁଙ୍କ ନେତୃତ୍ୱରେ ସାଇମନ କମିଶନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ୧୯୨୮ ସାଲରେ ବିହାର ଓଡ଼ିଶା କାଉନ୍‍ସିଲ୍‍ର ପଣ୍ଡିତ ଲିଙ୍ଗରାଜ ଚରଣ ମିଶ୍ରଙ୍କର ନେତୃତ୍ୱରେ କଂଗ୍ରେସର ସଦସ୍ୟବୃନ୍ଦ ସାଇମନ କମିଶନକୁ ବିରୋଧ କରି ପ୍ରସ୍ତାବ ଆଗତ କରିଥିଲେ । ମାତ୍ର ଓଡ଼ିଶା ପ୍ରଦେଶର ପ୍ରାଣ ପ୍ରତିଷ୍ଠାତା ମଧୁସୂଦନଙ୍କର ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟିଭଂଗୀ ଥିଲା । ସେ ଏ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁ ନଥିଲେ । ବୋଧହୁଏ ବିଧିର ନିର୍ଦ୍ଦେଶରେ ଏହା ଥିଲା ଓଡ଼ିଆଭାଷୀଙ୍କ ପାଇଁ ଶେଷ ସୁଯୋଗ । ଅନ୍ୟଥା ଓଡ଼ିଶା ପ୍ରଦେଶ ଗଠନ ବିସ୍ମୃତିର ଗର୍ଭରେ ଲୀନ ହୋଇଯାଇଥା'ନ୍ତା । ମଧୁସୂଦନଙ୍କର ନିର୍ଦ୍ଦେଶରେ ବିହାର ଓଡ଼ିଶା

ଆମ ମଧୁସୂଦନ