ପୃଷ୍ଠା:Chha mana atha guntha.pdf/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନବମ ପରିଚ୍ଛେଦ

ଗାଁ ହାଲଚାଲ :

ତାଲୁକେ ଫତେପୁର ସରଷଣ୍ତ ଗୋଟାଏ ଭାରି ବଡ଼ ତାଲୁକା । ସଦରଜମା ପାଞ୍ଚ ହଜାର ଦୁଇଶହ ଆଠ ଟଙ୍କା ଛ ଅଣା; ମଫସଲ ଅସୁଲ ଅଢ଼େଇ ପଟ । ଫାଉ ଫଉରାତ୍ ଛାଡ଼ିଦିଅ । ଏଥିରେ ପାଞ୍ଚଗୋଟି ମୌଜା --ମୌଚା ରାମଙ୍ଗ, ବାଲିଆ ହାଣ୍ତିଖାଇ ସଉତୁଣିଆ ଓ ଗୋବିନ୍ଦପୁର । ଗୋବିନ୍ଦପୁର ସବୁଠାରୁ ବଡ଼, ଊଣା ଅଧିକରେ ପାଞ୍ଚଶ ଘର ବସ୍ତି ସବୁ ଜାତିର ଲୋକ ଅଛନ୍ତି, ଗୋଟାଏ ଦୋକାନ ଅଛି, ସେ ଦୋକାନରେ ସବୁ ଜିନିଷ ମିଳେ - ଡାଲି, ଚାଉଳ, ଧୂଆଁ ପତ୍ର, ଲୁଣ, ତେଲ ଯାହା ଖୋଜ ପାଇବ; ଦୁଇ ଚାରି ପଇସାର ଘିଅ ଖୋଜିଲେ ମଧ୍ୟ ମିଳିପାରେ । ଦୋକାନୀର ତିନି ପୁରୁଷରୁ ଦଶମୂଳ ସାଇତା ଅଛି । ଦୁଇ ତିନି କୋଶରୁ ବୈଦ୍ୟମାନଙ୍କର ଡାବ ଆସେ । ଗ୍ରାମଟି ଲମ୍ବାଲମ୍ବି; କିନ୍ତୁ ସିଧାସଳଖ ନୁହେଁ; ଆଠଟଙ୍କିଆ । ଅସୁରଦୀଘିର ଉତ୍ତର ଆଉ ପଶ୍ଚିମଆଡ଼ିର ଅଧେ ମାଡ଼ିବସିଅଛି । ମଝିରେ ଗୋହିରୀ; ଦୁଇ ମାହାଲା ଘର, ମଝି ଗୋହିରୀଟା ଖୁବ୍ ଓସାରିଆ ହେଲେ ମଧ୍ୟ ଯିବାଆସିବା ବାଟ ଦଶ ବାର ହାତରୁ ବେଶି ନୁହେଁ । ବାଟ ଦୁଇପାଖ ସମସ୍ତଙ୍କ ଦୁଆର ଆଗରେ ଖତଗାଡ଼, ଖଣ୍ତେ ଖଣ୍ତେ ଖାଲି ଜାଗା ଅଛି, ସକାଳେ ସେଠାରେ ଗାଈ ବଳଦ ବନ୍ଧା ହୁଅନ୍ତି । ସ୍ଥାନେ ସ୍ଥାନେ ଖଣ୍ତେ ଖଣ୍ତେ ଶଗଡ଼ ଥୁଆ ହୋଇଛି । ଗୋହିରୀରୁ ସମସ୍ତଙ୍କ ଦୁଆରକୁ ଯିବାପାଇଁ ଅଲଗା ଅଲଗା ବାଟ ଅଛି । ଗ୍ରାମଟି ତିନି ଭାଗରେ ବିଭକ୍ତ - ସାଆନ୍ତ ସାଇ, ତନ୍ତୀ ସାଇ, ବ୍ରାହ୍ମଣ ସାଇ ।

ସାଆନ୍ତ ସାଇରେ ଖୋଦ୍ ରାମଚନ୍ଦ୍ର ମଙ୍ଗରାଜଙ୍କ ଘର; ଏଥିପାଇଁ ଖୁବ୍ ଡାକ । ରାତି ଛ'ଘଡ଼ି ପର୍ଯ୍ୟନ୍ତ କଚେରୀ ଜାରୀ । ଦୋକାନଟା ମଧ୍ୟ ଏଇ ସାଇରେ । ରାତି ପ୍ରହରକ ସରିକି ଆଉ ସବୁ ସାଇ ତୁନିତାନ । ବ୍ରାହ୍ମଣସାହିର ପ୍ରକୃତ ନାମ ଶାସନ । ଶାସନ ଭାଗ ପାଞ୍ଚଶ ଗୋଟା ପୁଅଭାୟା ବାସ୍ତରୀ ଘର । ଶାସନ ଗୋହିରୀ ଦୁଇ ପାଖରେ ଦେଢ଼ଶ ଅନ୍ଦାଜ