ପୃଷ୍ଠା:ShreeJagannath.pdf/୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାଣିଲେ ଶାଢ଼ୀବନ୍ଧାଇ ସେବା କରିପାରିବେ । ଏମାନଙ୍କର ଅସୁବିଧା ହେଲେ ନାଚକାମ ସମ୍ପ୍ରଦା ନିଯୋଗ କରିପାରିବେ ।
୭୬. ସମ୍ପ୍ରଦା ନିଯୋଗ
ସକାଳ ଧୂପ ବେଳେ ନୃତ୍ୟ, ଚନ୍ଦନ ଯାତ୍ରା ସମୟରେ ଚନ୍ଦନଲାଗି ବେଳେ ଜଗମୋହନରେ ପଟୁଆର କରିବା, ଚାପ ଉପରେ ଓ ଚାପ ବାହୁଡ଼ା ବିଜେରେ ନୃତ୍ୟ, ରୁକ୍ମିଣୀ ବିବାହରେ ଚିଟାଉଲେଖା ବେଳେ ଗୀତ ଓ ହୁଳହୁଳି, ବିମଳା ମନ୍ଦିରରେ ଲକ୍ଷ୍ମୀ ବିଜେ କାଳରେ ଖଦି ଚାମର ପକାଇବା, ସ୍ନାନପୂର୍ଣ୍ଣିମା ଦିନ ସ୍ନାନ ବେଦୀ ତଳେ ପଟୁଆର, ଚାହାଣି ମଣ୍ଡପରେ ଲକ୍ଷ୍ମୀଙ୍କ ଭେଟ ସମୟରେ ସାଥିରେ ଯିବା, ଗୁଣ୍ଡିଚା ମନ୍ଦିରରେ ଦ୍ବିତୀୟ ଦିନଠାରୁ ପଟୁଆର, ହେରା ପଞ୍ଚମୀରେ ଦଣ୍ଡମଣ୍ଡ ସେବା ଓ ରଥରୁ ଖଣ୍ଡ କାଠ ଭାଙ୍ଗିବା, ଝୁଲଣ ମଣ୍ଡପ ତଳେ ପଟୁଆର, କୃଷ୍ଣ ଜନ୍ମରେ ଯଶୋଦା ଓ ରୋହିଣୀ ସେବା, ଷୋଳ ପୂଜାରେ ବିମଳାଙ୍କ ମନ୍ଦିରରେ ପଟୁଆର କରିବା ଇତ୍ୟାଦି ଏହାଙ୍କର କାର୍ଯ୍ୟ ।
ରୁକ୍ମଣୀ ହରଣ ଦିନ ଲକ୍ଷ୍ମୀଙ୍କ ଦାସୀ ଭାବରେ ବିପ୍ର ବ୍ରାହ୍ମଣଙ୍କ ସଙ୍ଗେ ଯିବା, ହେରା ପଞ୍ଚମୀ ଦିନ ଦଣ୍ଡମଣ୍ଡ ଓ ରଥକାଠ ଭାଙ୍ଗିବା, ରୋହିଣୀ ଯଶୋଦା ସେବା- ଏହି ତିନିଟି ସଂପ୍ରଦା ନିଯୋଗର ଏକା ଏକ ସେବା ।
ଭିତର ଗାଆଣୀ ଦେବଦାସୀ ଓ ସଂପ୍ରଦା ନିଯୋଗ ଦେବଦାସୀ ନିଜର ଏକା ଏକ କାମ ଛଡ଼ା ଅନ୍ୟ ସବୁ କାମ ପରପ୍ପର କରିପାରିବେ ।
ଶାଢ଼ିବନ୍ଧ ଦେବଦାସୀ ସେବିକା । ଅନ୍ୟ ବିବରଣୀ ଭିତର ଗାଆଣୀ ପରି ।
୧୯୯୩ ମସିହାରେ କୋକିଳ ପ୍ରଭା ଦେବଦାସୀଙ୍କ ଦେହାନ୍ତ ପରେ ଭିତର ଗାଆଣୀ ସେବା ବର୍ଭମାନ ହେଉ ନାହିଁ । ସଂପ୍ରଦା ନିଯୋଗର ଶଶିମଣି ଦେବଦାସୀ କେବଳ ଯଶୋଦା ସେବା କରୁଛନ୍ତି ।
୭୭. ଦୟଣାମାଳୀ
ଦୈନିକ ଓ ପର୍ବପର୍ବାଣି ନୀତିମାନଙ୍କରେ ଫୁଲ, ତୁଳସୀ, ବେଲପତ୍ର, ଦୂବ, ମାଳଚୂଳ, ଧଣ୍ଡି ପ୍ରସାଦ ଲାଗିରେ ଧଣ୍ଡି, ସୋଲ ପ୍ରଭା, ସୋଲର ମୁକୁଟ ଆଦି ଦିଅନ୍ତି । ଦମନକ ଚତୁର୍ଦ୍ଦଶୀ ଦିନ ଜଗନ୍ନାଥ ବଲ୍ଲଭ ମଠରୁ ଦୟଣାଗଛ ଉପାଡ଼ନ୍ତି । ସ୍ନାନପୂର୍ଣ୍ଣିମା ଆଗରୁ ସୁନାଅ (ଶୀତଳାଙ୍କ କୂଅ) ଉଝାଳି ପରିଷ୍କାର କରନ୍ତି । ଶାଢ଼ିବନ୍ଧା, ବଂଶାନୁକ୍ରମିକ ସେବକ ।
୭୮. ମାଦେଳି
ଦୈନିକ ସକାଳ ଧୂପ ପଟୁଆର ଓ କେତେକ ପର୍ବପର୍ବାଣି ପଟୁଆରରେ ମାଦଳ ବଜାନ୍ତି । ପ୍ରତ୍ୟେକ ରଥଯାତ୍ରାରେ କଂସାରି ଓ ଘଣ୍ଟୁଆ ମଝିରେ ରହି ମାଦଳ ବଜାନ୍ତି । ବର୍ତ୍ତମାନ ଏହି ସେବା ହେଉନାହିଁ । ଏହା ଶାଢ଼ିବନ୍ଧା, ବଂଶାନୁକ୍ରମିକ ସେବା ।

ଶ୍ରୀଜଗନ୍ନାଥ ୮୫