ପୃଷ୍ଠା:Chha mana atha guntha.pdf/୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନଡ଼ିଆ ଗଛ; ମୁଣ୍ତରେ ବଡ଼ ପିଣ୍ତିବନ୍ଧା ଅଛି, ସେଠାରେ ବଳଦେବ ପୂଜା ହୁଏ । ପିଣ୍ତିଠାରୁ ଦଶ ପନ୍ଦର ହାତ ଛାଡ଼ି କେତେଗୁଡ଼ିଏ ଗଜାଭଳିଆ ନଡ଼ିଆ ଗଛ, ମୂଳ ସଫାସୁତୁରା । ସେଇଟା ଗୋସାଇଁ ମାନଙ୍କ ବୈଠକଜାଗା । ନାସସୁଙ୍ଗା, ଭାଙ୍ଗ ଘୋଟା, ଯଜମାନ ଘର କଥା, ଅରଜନ କଥା ଇତ୍ୟାଦି କଥାମାନ ସେହିଠାରେ ସମାଧାନ ହୁଏ । ଦିନେ ଦିନେ ସେଠାରେ ବଡ଼ ଗୋଳମାଳ ହୁଏ; ସେଦିନ ଯଜମାନ ଘରୁ ମିଳିଥିବା ଶ୍ରାଦ୍ଧ ଚାଉଳ ବା ସଭ୍ୟ ମାନ୍ୟ ଦକ୍ଷିଣା ବାଣ୍ଟ ହେଉଥିବାରୁ ସହଜରେ ଜଣା ପଡ଼ିଯାଏ । ସେ କଳି ଶୁଣି ଲୋକମାନେ କହନ୍ତି, "ବ୍ରାହ୍ମଣ ଗୁଡ଼ାକ ଚାଉଳ ମୁଠାକ ସକାଶେ କୁକୁର ପରି କଳି କରୁଅଛନ୍ତି ।" ମାତ୍ର ଲୋକମାନଙ୍କର ଏପରି କଥାଟା ଆମ୍ଭମାନଙ୍କୁ କିଛି ସୁଖ ଲାଗେ ନାହିଁ । ତାହାର କାରଣ, ଏମାନେ ନିପଟ ମୂର୍ଖ, ଗତରକୁଢ଼ି, ବ୍ରାହ୍ମଣ କର୍ମହୀନ ହେଲେ ମଧ୍ୟ ଛତିଶ ବର୍ଣ୍ଣର ରଜା ତ! ଏମାନଙ୍କୁ କୁକୁର ସଙ୍ଗେ ତୁଳିବା କେତେବେଳେ ହେଲେ ଉଚିତ୍ ନୁହେଁ । ଉପମାଟା ମଧ୍ୟ ଭଲ ହେଲା ନାହିଁ, କାରଣ ପ୍ରେତ ଉଦ୍ଦେଶ୍ୟରେ ଉତ୍ସୁଷ୍ଟ ଓଦା ଚାଉଳ ସକାଶେ ବ୍ରାହ୍ମଣ ମାନଙ୍କ କଳି ଆଉ କୁକୁରଙ୍କ କଳି ଅଇଁଠାଭାତ ସକାଶେ । ଦେଖନ୍ତୁ, ପ୍ରେତ ଉଚ୍ଛିଷ୍ଟ ଆଉ ମନୁଷ୍ୟ ଉଚ୍ଛିଷ୍ଟ, ଓଦା ଚାଉଳ ସିଝାଚାଉଳ କଥାଟା କେତେ ଛାଡ଼ିଲା । ଆଉ କୁକୁରମାନେ କାମୁଡ଼ା କାମୁଡ଼ି ଲଗାନ୍ତି; ବ୍ରାହ୍ମଣମାନେ ବାଡ଼ିଆବାଡ଼େଇ ହୁଅନ୍ତି ସିନା, ଗୋଟାଏ ବ୍ରାହ୍ମଣ ଆଉ ଗୋଟାକୁ କାମୁଡ଼ିବାର ବା ରାମ୍ପୁଡ଼ିବାର ତ ଦେଖାନାହିଁ । ଆକାଶରେ ଶାଗୁଣା ଉଡ଼ିଲେ କେଉଁଠାରେ ମଢ଼ ପଡ଼ିଥିବାର ଯେପରି ଜଣାଯାଏ, ସେହିପରି ଦିନ ପହରକବେଳେ ଗୋସେଇଁମାନେ ଚିତା ପଇତା ହୋଇ ପଲ ପଲ ବାହାରିଲେ କେଉଁ ଗାଁରେ ମନୁଷ୍ୟ ମରିଥିବାର ଲୋକେ ଅନୁମାନ କରନ୍ତି ।

ପାଣିଗ୍ରାହୀ ଭାଗବାଚିକା ମିଶି ଶାସନ ଭାଗ ଜମି ପାଞ୍ଚଶ ମାଣ । ତ୍ରିକାଳ ସନ୍ଧ୍ୟାରେ ଆଶୀର୍ବାଦ କରି ଜମି ଭୋଗ ଦାଖଲ କରିବା ନିମନ୍ତେ ମରହଟ୍ଟା ସୁବାଦାର ତମ୍ବାପାତିଆ ସନନ୍ଦ ଦେଇଅଛନ୍ତି । ତ୍ରିକାଳ ବୋଇଲେ ଭୂତ, ଭବିଷ୍ୟତ, ବର୍ତ୍ତମାନ । ଭୂତ କଥା ଭୂତଙ୍କୁ ଜଣା, ଭବିଷ୍ୟତ କଥା କୌଣସି ମନୁଷ୍ୟ ଜାଣନ୍ତି ନାହିଁ, ବର୍ତ୍ତମାନ କଥା