ପୃଷ୍ଠା:ShreeJagannath.pdf/୯୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସାହାଣମେଲା
ନିର୍ଦ୍ଧାରିତ ସମୟ ସକାଳ ୭ । ଏହା ଠାକୁରମାନଙ୍କର ନୀତି ଭିତରେ ଗଣ୍ୟ ନୁହେଁ । ସାହାଣମେଲା ସମୟରେ ଜନସାଧାରଣ ବା ଯାତ୍ରୀମାନେ ପରିମାଣିକ ଫି ନଦେଇ ସିଂହାସନ ପର୍ଯ୍ୟନ୍ତ ଯାଇ ଦର୍ଶନ କରିବାର ସୁଯୋଗ ପାଆନ୍ତି । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ପ୍ରକାରେ ଦିନକୁ ଦୁଇଥର ସାହାଣମେଲା ହେବା କଥା । କିନ୍ତୁ ସାଧାରଣତଃ ଦିନକୁ ଥରେ ହୁଏ । ଏହା ପ୍ରାୟ ଏକ ଘଣ୍ଟା ହୁଏ । ଦଶହରା ପର ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସକାଳେ ସାହାଣମେଲା ନହୋଇ ସନ୍ଧ୍ୟାରେ ଦି-ପହର ଧୂପ ପରେ ହୁଏ । ବେଳେବେଳେ ପର୍ବଦିନମାନଙ୍କରେ (ଯଥା- ଗଜ ଉଦ୍ଧାରଣ । ବେଶ ଦିନ) ସନ୍ଧ୍ୟା ଧୂପ ପରେ ସାହାଣମେଲା ହୁଏ । କେତେକ ବିଶିଷ୍ଟ ଦିନରେ ସାହାଣ ମେଲା କରାଯାଏ ନାହିଁ । କେତେକ ଦିନମାନଙ୍କରେ ସକାଳ ଧୂପ ପରେ ସାହାଣମେଲା ହୁଏ । ପୁଷ୍ପାଳକ, ଖୁଣ୍ଟିଆ, ମେକାପ, ତଡ଼ାଉକରଣ, ଗୋଛିକାର, ପ୍ରତିହାରୀ, ସୁଆରବଡ଼ୁ ଆଦି ସେବକମାନଙ୍କ ଦ୍ବାରା ଏହି ସମୟରେ ନୀତି ହୁଏ ।
ବେଶଲାଗି
ସକାଳ ୮ରୁ ୮ଟା୩୦ ମଧ୍ୟରେ ହେବା ନିୟମ । ଠାକୁରମାନଙ୍କୁ ଭିନ୍ନ ଭିନ୍ନ ଋତୁରେ ଓ ପର୍ବଦିନମାନଙ୍କରେ ଭିନ୍ନ ଭିନ୍ନ ବସ୍ତ୍ର ଓ ଅଳଙ୍କାରରେ ବେଶ କରାଯାଏ । ପୁଷ୍ପାଳକମାନେ ସବୁ ବେଶ କରନ୍ତି ।
ରୋଷହୋମ
ନିର୍ଦ୍ଧାରିତ ସମୟ ସକାଳ ୮ଟା୩୦ ମଧ୍ୟରେ । ପ୍ରତିଦିନ ଠାକୁରଙ୍କ ରୋଷଘରେ କୋଠଟୁଲି ପାଖରେ ହୋମ ହୁଏ । ଏହି ହୋମ ପୂର୍ବେ ଦେଉଳ ପୁରୋହିତ କରୁଥିଲେ । ଏବେ ପୂଜାପଣ୍ଡା କରୁଛନ୍ତି । ବେଶଲାଗି ଓ ରୋଷହୋମ ଏକ ସମୟରେ କରାଯାଇଥାଏ ।
ସୂର୍ଯ୍ୟପୂଜା
ନିର୍ଦ୍ଧାରିତ ସମୟ ସକାଳ ୮ଟା୩୦ରୁ ୮ଟା୪୫ ମଧ୍ୟରେ । ମୁକ୍ତିମଣ୍ଡପ ପାର୍ଶ୍ୱରେ ଥିବା ସୂର୍ଯ୍ୟ ମନ୍ଦିରରେ ଜଣେ ପୂଜାପଣ୍ଡା ସୂର୍ଯ୍ୟପୂଜା କରନ୍ତି ।
ଦ୍ବାରପାଳ ପୂଜା
ଜୟବିଜୟ ଦ୍ୱାରରେ ଜୟ ଓ ବିଜୟ ଦ୍ୱାରପାଳଙ୍କୁ ପୂଜାପଣ୍ଡା ପୂଜା କରନ୍ତି ।
ଗୋପାଳବଲ୍ଲଭ ଭୋଗ
ନିର୍ଦ୍ଧାରିତ ସମୟ ସକାଳ ନଅ । ଏହି ଭୋଗ ଠାକୁରଙ୍କ ପ୍ରାତଃଭୋଜନ ବା ଜଳଖିଆ । ଅଣସର ପିଣ୍ଡିରେ ଏହି ଭୋଗ ବଢ଼ାଯାଏ । ୩ଜଣ ପୂଜାପଣ୍ଡା ପଞ୍ଚ ଉପଚାରରେ ଏହି ଭୋଗ

୧୦୦ ଶ୍ରୀଜଗନ୍ନାଥ