ପୃଷ୍ଠା:Chha mana atha guntha.pdf/୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଧଳାକୁ କଳା କରିଦେବି । 'ଏଥିରେ ଏହି ଫଳ ହେଉଅଛି ଯେ, ଅନେକ ଚଲାକ୍ ଓ ଧନବାନ ଲୋକ ଶତ ଅପରାଧ କରି ମଧ୍ୟ ଦେହ ଝାଡ଼ି ଚାଲିଯାଉଅଛନ୍ତି, ନିରୀହ ନିର୍ଦ୍ଧନ ଲୋକଙ୍କୁ ହରବରରେ ପଡ଼ିବାକୁ ହେଉଅଛି । ଆଉ ଦୁଇ ପକ୍ଷ ମକଦ୍ଦମାରେ ଟଙ୍କା ବାଣ୍ଟି କାଙ୍ଗାଳ । ସେହି ଟଙ୍କା ବାର ଭୂତ ଗୋଟାଇ ଖାଉଅଛନ୍ତି । ଆଉ ପଞ୍ଚୁଆତିଙ୍କ ଆଖିରେ ଧୂଳି ପକାଇବାର ବାଟ ନାହିଁ । ପୁଣି ପ୍ରକୃତ ଅପରାଧୀ ଠାରୁ ଜରିମାନା ଅସୁଲ ଟଙ୍କା ସତ୍‌କାର୍ଯ୍ୟରେ ଲାଗୁଥିଲା । ନିର୍ବୁଦ୍ଧିତ୍ୱର ସହିତ ତନ୍ତୀଜାତିର ଗୋଟାଏ ସମ୍ବନ୍ଧ ଥିବାର ସମସ୍ତେ ବୋଲନ୍ତି । କାହାରି ବୁଦ୍ଧିର ତ୍ରୁଟି ଦେଖିଲେ ଲୋକେ ବୋଲନ୍ତି, ଆରେ ତୁଟା ତନ୍ତୀ ନା କ'ଣରେ ?' ଅର୍ଥାତ୍ ତୁ ତନ୍ତୀ ପରି ହୁଣ୍ତା । ଆପଣ ସଭ୍ୟତା ଶିଖିଥିଲେ ତନ୍ତୀମାନଙ୍କର ଦଧିବାମନ ମନ୍ଦିର ତୟାର କଥା ଶୁଣି ସେହି ପ୍ରବାଦକୁ ଅକାଟ୍ୟ ସତ୍ୟ ବୋଲି ବିଶ୍ୱାସ କରିବେ । ଆପଣ କହିବେ, ସାଧାରଣ ଟଙ୍କା ଗୁଡ଼ିକ ଏପରି ଅପବ୍ୟୟ କିମ୍ପା ? କିଲିଟର ସାହେବଙ୍କ ନାମରେ ହାସପାତାଳ ବସାଅ, ମନ୍ଦିରଟା କଣ?

ଆପଣଙ୍କ ମନ ଯୋଗେଇ କଥା କହିବା ଆମ୍ଭମାନଙ୍କର କାର୍ଯ୍ୟ; ମାତ୍ର ଆପଣଙ୍କ କଥାଟା ଆମ୍ଭମାନଙ୍କ ମନକୁ କିପରି ଲାଗୁଅଛି । ଆପଣଙ୍କୁ କୁହାଯାଉ ନାହିଁ ଏ କଥା ଠିକ୍, କିନ୍ତୁ ତନ୍ତୀ ବୁଦ୍ଧି ଅର୍ଥ କଣ ଜାଣନ୍ତି, ଏହା ଗୋଟାଏ ଯୋଗରୂଢ଼ ଶବ୍ଦ । ଯେମନ୍ତ ପଙ୍କଜ ବୋଇଲେ ପଦ୍ମ, ତେବେ ପଙ୍କରୁ ଯେ ଜାତ ହେବ ଅର୍ଥାତ୍ ଘୋଡ଼ାଦଳ, ଶିଉଳି, ଶାମୁକା, ଗେଣ୍ତା ସମସ୍ତେ କି ପଦ୍ମ ? ତାହା ନୁହେଁ । ସେହିପରି ତନ୍ତୀ ଅର୍ଥ ନିର୍ବୁଦ୍ଧିଆ, ନିର୍ବୁଦ୍ଧିଆ ଅର୍ଥ ତନ୍ତୀ ନୁହେଁ । ସେଦିନ ମାଞ୍ଚେଷ୍ଟରର ତନ୍ତିମାନେ ପାର୍ଲିଆମେଣ୍ଟ କମ୍ପାଇଦେଲେ, ତାହା କି ଜାଣନ୍ତି ନାହିଁ ? ଆପଣ ଯେ ବାବୁ ସାଜିଅଛନ୍ତି, ତାହା ତ କେବଳ ତନ୍ତୀ ପ୍ରସାଦାତ୍ । ଏ ପ୍ରକାର ତନ୍ତୀଙ୍କ ବୁଦ୍ଧି ପ୍ରତି ଦୋଷାରୋପ କରିବା ଏକପ୍ରକାର ବୈମାନି । ହିସାବ ଧରିଲେ ଆମ୍ଭମାନଙ୍କ ପୂର୍ବପୁରୁଷ ସମସ୍ତେ ତନ୍ତୀ ଥିଲେ । ଏଥିର ପ୍ରମାଣ ସଂଗ୍ରହ ନିମନ୍ତ ପ୍ରତ୍ନତତ୍ତ୍ୱ ବିଦ୍ୟାର ଅନୁଶୀଳନ କରିବାର ନାହିଁ