ପୃଷ୍ଠା:Semananka piladina.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହେବେ, ଏପରି କିଛି ନିୟମ ନଥିଲା । ମୋ କ୍ଷେତ୍ରରେ ଏ ଉତ୍ସବ ବିଳମ୍ବ ହୋଇଯାଇଥିଲା । ମୁଁ ପାଠଶାଳାରେ କିଛିଦିନ ଯୋଗଦେବା ପରେ ମୋର ବିଦ୍ୟାରମ୍ଭ ଉତ୍ସବ ହୋଇଥିଲା ।

ବେତମାଡ଼ରେ ଉପସ୍ଥାନ

ଏସବୁ ପାଠଶାଳାରେ ଯୋଗ ଦେବାର ପ୍ରଣାଳୀ ମଧ୍ୟ ବିଚିତ୍ର ପ୍ରକାର ଥିଲା । କୌଣସି ଉପସ୍ଥାନ ପଡ଼ୁନଥିଲା । କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଯୋଗଦେବାପାଇଁ ଖୁବ୍‍ ଜୋର୍‍ ଦିଆଯାଉଥିଲା । ଯେଉଁ ପିଲା ଠିକ୍‍ ସମୟରେ ଆସୁଥିଲା ଓ ପ୍ରଥମେ ପାଠଶାଳାରେ ଆସି ପହଞ୍ଚୁଥିଲା, ତା' ପାପୁଲିରେ ଶୂୂନ ବା ବେତ ଛୁଆଁଇ ଦିଆଯାଉଥିଲା । ଯେ ତା' ପଛରେ ଆସୁଥିଲା, ତା' ହାତରେ ଆସ୍ତେ ଦୁଇ ପାହାର ଓ ତୃତୀୟ ବାଳକକୁ ଜୋର୍‍ ତିନି ପାହାର ଓ ଏହିପରି ବେତ ବସୁଥିଲା । ସବା ପଛରେ ଯେ ଆସୁଥିଲା ସେ ସବୁଠାରୁ ବେଶି ଜୋର୍‍ରେ ମାଡ଼ ଖାଉଥିଲା । ଏହା ଫଳରେ ଶୀଘ୍ର ପାଠଶାଳାକୁ ଆସିବାପାଇଁ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗୁଥିଲା ।

ବେତମାଡ଼କୁ ଡରି ଶିକ୍ଷକ ପଳାଇଲେ

ଜଣକ ପରେ ଜଣେ ହୋଇ ମୋର ଦୁଇ ତିନି ଜଣ ଶିକ୍ଷକ ଥିଲେ । ସେମାନଙ୍କ ମଧ୍ୟରୁ କେତେକ ଅତି ନିଷ୍ଠୁର ଥିଲେ ଏବଂ ସାମାନ୍ୟ ଭୁଲ ଓ ଦୁଷ୍ଟାମିପାଇଁ କଠିନ ଦଣ୍ଡ ଦେଉଥିଲେ । ଜଣେ ଶିକ୍ଷକ ମୋତେ ଯେଉଁ ଦଣ୍ଡ ଦେଇଥିଲେ, ଏଠାରେ ମୁଁ ତା'ର ଉଲ୍ଲେଖ କରିପାରେ । ମୁଁ କ'ଣ ଦୁଷ୍ଟାମି କରିିଥିଲି । ଶିକ୍ଷକ କଦଳୀ ପଟୁକାରେ ମୋର ଗୋଡ଼ ବୁଢ଼ା ଆଙ୍ଗୁଠି ଦୁଇଟିକୁ ବାନ୍ଧିଦେଇ ବେକରେ ଫାଶକୁ ଗଳାଇଦେଲେ । ଫାଶ ଦଉଡ଼ି ଛୋଟ ଥିବାଯୋଗୁଁ ଅତି କଷ୍ଟରେ ମୁଣ୍ଡ ନୁଆଁଇ ମୋତେ ବସିବାକୁ ପଡ଼ିଲା । ମୁଣ୍ଡ ଯାଇ ପ୍ରାୟ ଗୋଡ଼ରେ ଲାଗୁଥିଲା । ମୁଁ ମୁଣ୍ଡ ଏପାଖ ସେପାଖ କରି ପଟୁକାକୁ ଖସାଇବାକୁ ଚେଷ୍ଟା କଲି । ହଠାତ୍‍ ଦଉଡ଼ିଟି ଛିଡ଼ିଯିବାରୁ ମୁଁ ଅପ୍ରତ୍ୟାଶିତ ଭାବରେ ମୁକ୍ତି ପାଇଗଲି । ଦେଖିଲି ପାଖରେ ବେତଟା ପଡ଼ିଛି । ବେତଟାକୁ ଧରିପକେଇ ଶିକ୍ଷକଙ୍କୁ ବାଡେଇବାପାଇଁ ତାଙ୍କ ପଛେ ପଛେ ଦୌଡିଲି । ଶିକ୍ଷକଙ୍କୁ କାଛୁ କୁଣ୍ଡିଆ ହୋଇଥାଏ । ସେ ମୋତେ ଧରିବାକୁ ଚେଷ୍ଟା ନକରି ଦୌଡ଼ି ପଳାଇବାକୁ ଲାଗିଲେ । ଏତିକିବେଳେ ମୋର ଜେଜେ (ଦାଦାଙ୍କର ଦାଦା) ରଘୁନାଥ ପରିଜା ଆସି ମୋତେ ଧରିପକେଇଲେ । ଏ ଦୃଶ୍ୟ ତାଙ୍କ ପକ୍ଷରେ ଖୁବ୍‍ ଆମୋଦଦାୟକ ହୋଇଥିଲା; କିନ୍ତୁ ମୋର ବିଶୃଙ୍ଖଳାପାଇଁ ସେ ମୋତେ ମାଡ଼ ନ ଦେଇ ଛାଡ଼ି ନଥିଲେ । ଉଲ୍ଲେଖଯୋଗ୍ୟ ବିଷୟ ହେଉଚି, ପିଲାମାନଙ୍କୁ ନିର୍ବିଚାରରେ କଠୋର ଦଣ୍ଡ ଦେଲେ ସେମାନଙ୍କ ମନରେ ପ୍ରତିରୋଧ ଶକ୍ତି ଜାତ ହୁଏ, ଯାହାକି ମୋ କ୍ଷେତ୍ରରେ ଏପରି ବିଶୃଙ୍ଖଳା ଆକାରରେ ଦେଖାଦେଲା ।

ସେମାନଙ୍କ ପିଲାଦିନ ୧୩