ପୃଷ୍ଠା:Semananka piladina.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କିଛି ସମୟ ପରେ ବଡ଼ବାପା ଆସିଲେ । ସେ ଆସିବା କ୍ଷଣି ପଚାରିଲେ- 'ମାଙ୍କଡ଼ ଦି'ଟା ଗଲେ କୁଆଡେ଼ ?' ମା କହିଲା , 'ଆପଣ ଡାକିଲେ, ସେମାନେ ଆସିଲେ ନାହିଁ ବୋଲି ଗାଳି ଖାଇ କାନ୍ଦୁଛନ୍ତି ।' ସଂଗେ ସଂଗେ ବଡ଼ବାପା ଆମ ପାଖକୁ ଗଲେ ଏବଂ ମୋତେ ଟେକିଦେଇ ଉପରକୁ ଫୋପାଡ଼ିଦେଇ ଧରିନେଲେ । ଖୁବ୍‍ ଗେଲ କରି କହିଲେ, 'ଯେ କେହି ଡାକିଲେ ତାକୁ ସାଙ୍ଗେ ସାଙ୍ଗେ ଜବାବ ଦେବ ଓ ତା' ପାଖକୁ ଆସିବ । ସେପରି ନକଲେ ଅଭ୍ୟାସ ଭାରି ଖରାପ ହୋଇଯିବ । 'ବାପାଙ୍କୁ ଡାକି କହିଲେ, 'ଗୋପାଳ, ତୋ ଝିଅମାନେ ଶାସ୍ତି ପାଇଲେଣି । ତୁ ଅନୁମତି ଦେ, ବୁଲିଯିବେ ।' ଏହା କହି ସାଙ୍ଗରେ ତାଙ୍କ ଗାଡ଼ିରେ ବୁଲାଇ ନେଇଗଲେ ।

ମୁଁ ସାତ ଆଠ ବର୍ଷର ହୋଇଥାଏ । ଧୋବଣୀ ଲୁଗା ନେଇ ଆସିଲା । ମୁଁ ତାକୁ ପଚାରିଲି- 'ତୁ କି ଜାତି' ? ମୋର ଏତିକି କଥା ବାପା ଶୁଣି ପାରିଲେ । ସଂଗେସଂଗେ ମୋ ପାଖକୁ ଚାଲିଆସି କହିଲେ, 'ଶାଶୂଖାଇ ! ଜାତିକଥା କାହାକୁ ପଚାରନ୍ତି ନାହିଁ । ତୁ ଆଉ ଦିନେ କାହାକୁ କେବେ କେଉଁ ଜାତି ବୋଲି ପଚାରିବୁ ନାହିଁ ।' ସେ କଥା ଆଜି ପର୍ଯ୍ୟନ୍ତ ମୋ ମନରେ ରହିଛି । ଆଉ କେବେ କାହାକୁ ଜାତି କଥା ପଚାରିନାହିଁ ।

ବଡ଼ ପୂଜାରୀଙ୍କଠାରୁ ରୋଷେଇ ଶିଖିବାପାଇଁ ଆମ ଘରେ ଛୋଟ ଛୋଟ ପୂଜାରୀ ରହୁଥିଲେ । ଦିନେ କ'ଣ ଗୋଟିଏ କାମ ବତାଇଲି । ସେ ନମାନିବାରୁ ମୁଁ କହିଲି, 'ତମେ ଚାକିରି କରିଛ, କଥା କାହିଁକି ମାନିବ ନାହିଁ ?' ଏ କଥା ବାପା ଶୁଣିପାରିଲେ । ସେ ସଙ୍ଗେ ସଙ୍ଗେ ମୋ ପାଖକୁ ଆସି କହିଲେ, 'ସେ ଆମ ପାଖରେ ଚାକିରି କରିଛି ସତ, ସେ କଥା ଜାଣୁଥିଲେ ବି ଆମେ ତାକୁ କହିବା ଉଚିତ ନୁହେଁ- ତା' ମନକୁ ବାଧିବ । ଗରିବ ଲୋକ ବୋଲି ସାନ ପିଲାଟିକୁ ଚାକିରି କରିବାକୁ ପଠାଇଛି । ତା' ମୁହଁରେ ସେପରି କହିଲେ ତା' ମନରେ କେତେ କଷ୍ଟ ହେବ ! କଥା କହିଲା ବେଳେ ଭାବିବ, ଆମ କଥା ତା' ମନରେ କଷ୍ଟ ଦେବକି ନାହିଁ ।'

ମୋ ପିଉସୀଙ୍କଠାରୁ ଶୁଣିଛି, ମୋ ଉପର ଭଉଣୀକୁ ବାପା ପୂଜାରୀ ସାଙ୍ଗରେ ଦେବୀ ଦେଖିବାକୁ ପଠାଇଲେ । ସେ ଦେବୀ ଦେଖି ଫେରିଲେ । ବାପା ପଚାରିଲେ- 'ମା ! ତୁ କ'ଣ ଦେଖିଲୁ କହିଲୁ ?' ଅପା ସେ କଥା ନଶୁଣି କହିବାକୁ ଲାଗିଲା, 'ବାପା ! ନନା ମୋତେ ଦେଲେ ନାଲି ନାଲି ମିଠା, ଖାଇଦେଲି, ପାଣିପରି ବୋହିଗଲା । ବାପା କଥାର ତାତ୍ପର୍ଯ୍ୟ ବୁଝି ପୂଜାରୀଙ୍କୁ ଗୋଟିଏ ଚାପୁଡ଼ା ପକାଇଲେ । ଅପା କାନ୍ଦି ଉଠି କହିଲା- 'ବାପା ! ତମେ ଆମ ନନାକୁ ମାରିଲ । ତାକୁ କାଟିଥିବ । ତାକୁ କାଇଁକି ମାଇଲ ?' ବାପା କୁଆଡେ଼ ତା'ପରେ ଆଉ କେବେ ଚାକର ପୂଜାରୀଙ୍କୁ ମାରି ନଥିଲେ ।

୧୮ ସେମାନଙ୍କ ପିଲାଦିନ