ପୃଷ୍ଠା:Odisha Rajanitira Itihasa.pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏଠାରେ ହାଇସ୍କୁଲ ସ୍ଥାପିତ ହୋଇଥିଲା । ରାଜା ବହୁ ଜନମଙ୍ଗଳକାର୍ଯ୍ୟ ରାଜ୍ୟବାସୀଙ୍କ ପାଇଁ କରିଯାଇଛନ୍ତି ।

ବାମଣ୍ଡା ରାଜ୍ୟ ଥିଲା ଓଡ଼ିଶାର ଏକ ଆଦର୍ଶ ଗଡ଼ଜାତ ରାଜ୍ୟ । ଶୁଣାଯାଏ, ଉତ୍କଳର ଗଜପତି କପିଳେନ୍ଦ୍ର ଦେବଙ୍କ ପୁତ୍ର ସୁଭକ୍ତ ଏଠାରେ ରାଜୁତି କରୁଥିଲେ । ଫଳରେ ବାମଣ୍ଡାର ରାଜବଂଶ ନିଜକୁ ଗଙ୍ଗବଂଶୀ ବୋଲି କହିଥାଆନ୍ତି । ରାଜବଂଶର ସନ୍ତକ 'ଶଙ୍ଖ' । ଏ ରାଜ୍ୟର ଆୟତନ ୧୯୮୮ ବର୍ଗମାଇଲ । ଗ୍ରାମସଂଖ୍ୟା ୧୦୪୫, ଦେବଗଡ଼ ରାଜ୍ୟର ରାଜଧାନୀ । ସାହିତ୍ୟ, ସଂସ୍କୃତି, କୃଷିବିକାଶ, ଟେଲିଫୋନ, ଜଳବିଦ୍ୟୁତ୍‍, ଡ଼ାକସେବା ଓ ମୁଦ୍ରାଯନ୍ତ୍ର ପ୍ରଚଳନ କ୍ଷେତ୍ରରେ ଏ ରାଜ୍ୟ ଆଗୁଆ ଥିଲା । ଏଠାରେ ସ୍ୱତନ୍ତ୍ର ରେଜେଷ୍ଟ୍ରି ଷ୍ଟାମ୍ପ ପ୍ରଚଳିତ ଥିଲା । ଏହା କେବଳ ଏ ରାଜ୍ୟର ଆଦର୍ଶ ଶାସକ ସାର୍‍ ବାସୁଦେବ ସୁଢ଼ଳଦେବ ଓ ତାଙ୍କ ପୁତ୍ର ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଗଙ୍ଗଦେବଙ୍କ ଯୋଗୁଁ ସମ୍ଭବ ହୋଇପାରିଥିଲା । ଓଡ଼ିଶାର ଲେଖକ, କବି, ସାହିତ୍ୟ ଓ ପଣ୍ଡିତମାନଙ୍କୁ ଏ ରାଜା ବିଶେଷ ସମାଦର ଓ ସମ୍ବର୍ଦ୍ଧନା ପ୍ରଦାନ କରୁଥିଲେ । 'ସମ୍ବଲପୁର ହିତୈଷିଣୀ' ନାମରେ ଏକ ସାହିତ୍ୟ ସଂସ୍କୃତିମୂଳକ ପତ୍ରିକା ଏଠାରୁ ପ୍ରକାଶ ପାଉଥିଲା । ଏଠାରେ ହାଇସ୍କୁଲ ଗଡ଼ଜାତ ଶାସନ ସମୟରୁ ପ୍ରତିଷ୍ଠିତ ହୋଇଛି । ଏ ରାଜ୍ୟର ଶେଷ ସ୍ୱାଧୀନ ରାଜା ହେଉଛନ୍ତି ଶ୍ରୀ ଭାନୁଗଙ୍ଗ ତ୍ରିଭୁବନ ଦେବ । ସେ ୧୯୧୪ ମସିହା ଫେବ୍ରୁଆରି ୨୫ ତାରିଖରେ ଜନ୍ମହୋଇ ୧୯୨୦ରେ ଗାଦିପ୍ରାପ୍ତ ହୋଇଥିଲେ । ଗୁରୁତ୍ୱ ଦୃଷ୍ଟିରୁ ବାମଣ୍ଡା ଗଡ଼ଜାତ ରାଜ୍ୟ ସ୍ୱତନ୍ତ୍ର ଉପସ୍ଥାପନା ଦାବି କରେ ।

ତାଳଚେର ଗଡ଼ଜାତ ରାଜ୍ୟ ଚତୁର୍ଦ୍ଦଶ ଶତାବ୍ଦୀରେ ରାଜସ୍ଥାନ ଜୟପୁରର ସୂର୍ଯ୍ୟବଂଶୀ ରାଜାଙ୍କର ଜଣେ ପୁତ୍ରଙ୍କଦ୍ୱାରା ସ୍ଥାପିତ ହୋଇଥିଲା । ସେ ଅନେକ ତାଳଗଛ ଉତ୍ପାଟନ କରାଇ ନିଜର ବାସସ୍ଥାନ ସ୍ଥାପନ କରିିଥିବାରୁ ଏହି ରାଜ୍ୟର ନାମ ତାଳଚେର ରାଜ୍ୟ ହୋଇଛି । ଏହା ଏକ ସଭ୍ୟ, ଶିକ୍ଷିତ ଓ ସଂସ୍କୃତିସମ୍ପନ୍ନ ଗଡ଼ଜାତ ରାଜ୍ୟଭାବରେ ବିବେଚିତ । ଏ ରାଜ୍ୟର ରାଜବଂଶ ସନ୍ତକ- 'ବ୍ୟାଘ୍ରମସ୍ତକ' । ଏ ରାଜ୍ୟର କ୍ଷେତ୍ରଫଳ ୩୯୯ ବର୍ଗମାଇଲ । ଏଥିରେ ୨୮୧ ଗ୍ରାମ ଓ ଗୋଟିଏ ସହର ରହିଛି । ଏଠାରେ କୋଇଲା ଖଣି, ଲୁହାଖଣି ଅଛି ଓ ରାଜାଙ୍କ ସ୍ଥାପିତ ଦିଆସିଲି କାରଖାନା ଥିଲା । 'ଗଡ଼ଜାତ ବାସିନୀ' ନାମରେ ଏ ରାଜ୍ୟରୁ ଏକ ସାହିତ୍ୟ ସଂସ୍କୃତି ପତ୍ରିକା ପ୍ରକାଶ ପାଉଥିଲା । ଏ ରାଜ୍ୟରେ 'ରାଣୀପାର୍କ' ନାମରେ ଏକ ପ୍ରାକୃତିକ ଚିଡ଼ିଆଖାନା ରହିଛି । ଏ ରାଜାଙ୍କର ରାଜପ୍ରାସାଦର ଫାଟକ ବ୍ରାହ୍ମଣୀନଦୀକୁ ମୁହଁ କରିରହିଛି । ଅନନ୍ୟ କାରୁକାର୍ଯ୍ୟରେ ଏହି ଫାଟକଟି ସୁଶୋଭିତ । ସହର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଓ ସହରର ମଝିରେ ମଝିରେ ଫାଟକମାନ ନିର୍ମାଣ କରାଯାଇଛି । 'ପ୍ରମୋଦ ଅଭିଧାନ' ନାମରେ ଏକ ବିରାଟ ଓଡ଼ିଆ କୋଷ ଏ ରାଜ୍ୟର ପଣ୍ଡିତ ଦାମୋଦର ମିଶ୍ରଙ୍କଦ୍ୱାରା ସଂକଳିତ ହୋଇ ବେଶ୍‍ ଆଦୃତି ଲାଭ କରିଛି । ସୁପ୍ରସିଦ୍ଧ ମା'ହିଙ୍ଗୁଳାଙ୍କ ପୀଠ ଏଠାରେ ବିଦ୍ୟମାନ । ରାଜା କିଶୋର ଚନ୍ଦ୍ର ବୀରବର ହରିଚନ୍ଦନ ଦେବଙ୍କ ଅମଳରେ ଏହାର ବହୁ ଉନ୍ନତି ସାଧିତ ହୋଇଥିଲା । ରାଜ୍ୟ ହସିଉଠିିଥିଲା । ରାଜ୍ୟରେ ବିଜୁଳି ଆଲୋକ ଓ ଟେଲିଫୋନ ସେବାର ସୁବିଧା ହୋଇଥିଲା । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କର ଏ ରାଜ୍ୟ ହେଉଛି ଜନ୍ମପୀଠ ।

୬୨ . ଓଡ଼ିଶା ରାଜନୀତିର ଇତିହାସ