ପୃଷ୍ଠା:Odisha Rajanitira Itihasa.pdf/୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୨.୫.୧୯୫୦ ତାରିଖରେ ନବକୃଷ୍ଣ ଚୌଧୁରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ମହତାବବାବୁ ଇସ୍ତଫା ଦେଇଥିବା ପୂର୍ବ ଭଦ୍ରକ ବିଧାନସଭା ଆସନରୁ ଉପନିର୍ବାଚନ ଜରିଆରେ ଓଡ଼ିଶାର ବିଧାନସଭାକୁ ସେ ନିର୍ବାଚିତ ହେଲେ ।

ହରେକୃଷ୍ଣ ମହତାବ ସେତେବେଳେ କେନ୍ଦ୍ରକୁ ଯିବା ଉପରେ ନବକୃଷ୍ଣ ଚୌଧୁରୀ ପରବର୍ତ୍ତୀ ସମୟରେ ବିଶ୍ଲେଷଣ କରି ନିଜସ୍ୱ ମତ ପୋଷଣ କରି କହନ୍ତି-

"ସେ ସବୁର ବିଶ୍ଲେଷଣ ଆମେ ଏବେ ବୁଝୁଛୁ ଯେ That was a very deep game. ଏହା ଅଭିସନ୍ଧିମୂଳକ ଥିଲା । ଯେଉଁମାନେ ଚିନ୍ତା ଜଗତରେ ନେହେରୁଙ୍କର ବିରୋଧୀ ଥିଲେ, ଆର୍ଥାତ୍ ମହାତ୍ମା ଗାନ୍ଧୀଙ୍କ ପରି ଭାବୁଥିଲେ, ସେ ତାର ଓଲଟା ଭାବୁଥିଲେ । ସେହିମାନଙ୍କ ଭିତରୁ ଯେଉଁମାନେ ପ୍ରଧାନ (Prominent) ଲୋକ ଥିଲେ ସେମାନଙ୍କୁ ପାଲରେ ପକାଇବା ପାଇଁ ନେହେରୁ ଚକ୍ରାନ୍ତ କରୁଥିଲେ । ମହତାବବାବୁ ଥିଲେ କାର୍ଯ୍ୟକାରୀ କମିଟି (Working Committee)ର ସଭ୍ୟ । ଏହି କାର୍ଯ୍ୟକାରୀ କମିଟିରେ ଯେଉଁ ଭୋଟିଙ୍ଗ ଇତ୍ୟାଦି ହୁଏ ମହତାବବାବୁ ଓ ଅନ୍ୟ କେତେଜଣ ମହାତ୍ମା ଗାନ୍ଧୀଙ୍କ ବିଚାରଧାରାକୁ ସମର୍ଥନ କରୁଥିଲେ । ମହତାବବାବୁଙ୍କର ଖୁବ୍‍ ମହତ୍ତ୍ୱ ଥିଲା । ତେଣୁ ନେହେରୁ ମୂଳରୁ ଦେଖିଲେ, 'ଏ ଲୋକମାନଙ୍କୁ ନିଜ ଆଡ଼କୁ ନେବାକୁ ହେବ ।' ମହତାବବାବୁ ଚକ୍ରାନ୍ତର ଶିକାର ହେଲେ । ସେଠାକୁ ଯାଇ ସେ ଗୋଳମାଳରେ ପଡ଼ିଗଲେ । (ଶ୍ରଦ୍ଧାଞ୍ଜଳି)

ନବବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାରେ ତାଙ୍କର ଧର୍ମପତ୍ନୀ ମାଳତୀଦେବୀ ଆଦୌ ଖୁସି ନ ଥିଲେ । ସେ ବିରକ୍ତି ପ୍ରକାଶ କରି କହିିଲେ, "ନବବାବୁ ଯଦି ଶାସନ କ୍ଷେତ୍ରକୁ ଫେରି ଯାଉଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି; ଏପରିକି ସେ ଯଦି ପୁଣି ବିବାହ କରନ୍ତି ମୋର ବି ଆପତ୍ତି ନାହିଁ ।" (ଅନିର୍ବାଣ)

* * *

ଓଡ଼ିଶା ରାଜନୀତିର ଇତିହାସ . ୮୧