ପୃଷ୍ଠା:Odisha Rajanitira Itihasa.pdf/୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦଶମ ପରିଚ୍ଛେଦ
ଓଡ଼ିଶାରେ ପ୍ରଥମ ସାଧାରଣ ନିର୍ବାଚନ

୧୯୫୦ ମସିହା ଜାନୁଆରି ୨୬ ତାରିଖ ଦିନ ଆମ ଦେଶରେ ନୂତନ ସମ୍ବିଧାନ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହେଲା । ଭାରତବର୍ଷ ସାରା ବିଶ୍ୱରେ "ସାର୍ବଭୌମ ସମାଜବାଦୀ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ସାଧାରଣତନ୍ତ୍ର" ଭାବରେ ପରିଚିତ ହେଲା । ଏହି ନୂତନ ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ସାବାଳକ ଗଣଭୋଟ ଜରିଆରେ ଲୋକମାନେ ନିର୍ବାଚନରେ ଭାଗନେଇ କେନ୍ଦ୍ର, ରାଜ୍ୟ ଓ ସ୍ୱାୟତ୍ତଶାସନ ସଂସ୍ଥାରେ ପ୍ରତିନିଧିମୂଳକ ସରକାର ଗଠନର ଅଧିକାର ଲାଭକଲେ । ଏହି ବ୍ୟବସ୍ଥା ଅନୁଯାୟୀ ୨୧ବର୍ଷ ଓ ତହିିଁରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳାମାନେ ଭୋଟଦେବାର ଅଧିକାର ପାଇଲେ । ପୂର୍ବରୁ ୧୯୩୭ ଓ ୧୯୪୬ରେ ଯେଉଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ସେଥିରେ ଚୌକିଦାରୀ ଟିକସ ପ୍ରଦାନକାରୀ ବ୍ୟକ୍ତିମାନେ ହିିଁ କେବଳ ଭୋଟ ଦେବାର ଅଧିକାର ପାଇଥିଲେ ।

ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ସମସ୍ତ କାର୍ଯ୍ୟ ଦେଶରେ ପ୍ରଚଳିତ ହେଲା । ଦେଶରେ ନିର୍ବାଚନ କମିଶନର ନିଯୁକ୍ତ ହେଲେ । ନିର୍ବାଚନ ପରିଚାଳନା କରିବା ହେଲା ତାଙ୍କର ମୁଖ୍ୟକାର୍ଯ୍ୟ । ୧୯୩୭ ଓ ୧୯୪୬ ନିର୍ବାଚନ ବେଳେ ଓଡ଼ିଶା ବିଧାନସଭାର ଆସନ ସଂଖ୍ୟା ଥିଲା ୬୦ । ସେଥିରୁ ୫୬ ଜଣ ନିର୍ବାଚିତ ହେଉଥିବାବେଳେ ୪ଜଣ ସଭ୍ୟ ମନୋନୀତ ହେଉଥିଲେ । ୧୯୪୮ ମସିହାରେ ଗଡ଼ଜାତ ମିଶ୍ରଣ ହେବାରୁ ପୂର୍ବତନ ଗଡ଼ଜାତ ରାଜ୍ୟମାନଙ୍କରୁ ୩୧ ଜଣ ସଭ୍ୟ ରାଜ୍ୟ ବିଧାନସଭାକୁ ମନୋନୀତ ହେଲେ । ସେତେବେଳେ ଏହିପରି ୯୧ଜଣ ସଭ୍ୟଙ୍କୁ ନେଇ ସାମ୍ବିଧାନିକ ନିର୍ବାଚନ ପୂର୍ବର ଶେଷ ବିଧାନସଭା ଗଠିତ ହୋଇଥିଲା ।

ଦେଶ ସ୍ୱାଧୀନ ହେଲା । ଗଡ଼ଜାତଗୁଡ଼ିକ ଓଡ଼ିଶା ପ୍ରଦେଶରେ ମିଶିଲେ । ନୂତନ ସମ୍ବିଧାନ କାର୍ଯ୍ୟକାରୀ ହେଲା । ଓଡ଼ିଶାର ଜନସଂଖ୍ୟା ଓ କ୍ଷେତ୍ରଫଳ ବୃଦ୍ଧିପାଇଲା । ସେହି ଅନୁପାତରେ ନିର୍ବାଚନ କମିଶନ ଓଡ଼ିଶା ବିଧାନସଭା ପାଇଁ ୧୪୦ଟି ଆସନ ଓ ଲୋକସଭାପାଇଁ ୨୦ଟି ଆସନ

ଓଡ଼ିଶା ରାଜନୀତିର ଇତିହାସ . ୮୯