ପୃଷ୍ଠା:Odisha Rajanitira Itihasa.pdf/୧୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାର ସ୍ଥାନ :

ପ୍ରଥମ ସାଧାରଣ ନିର୍ବାଚନରେ କଟକ ଲୋକସଭା ଆସନରୁ ହରେକୃଷ୍ଣ ମହତାବ ବିଜୟୀ ହେଲେ । ସମସ୍ତେ ଆଶା କରିିଥିଲେ ଯେ, ଦ୍ୱିତୀୟର ପାଇଁ ହରେକୃଷ୍ଣ ମହତାବ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ । କିନ୍ତୁ ପଣ୍ଡିତ ଜବାହାରଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରେ ଆଉ ଗ୍ରହଣ କଲେ ନାହିିଁ । ଜଣାଯାଏ, ମହତାବ କେନ୍ଦ୍ରରେ ଶିଳ୍ପମନ୍ତ୍ରୀ ଥିବା ସମୟରେ (୧୯୫୦-୫୨) କେତେକ ଶିଳ୍ପପତିଙ୍କୁ ଅନୁକମ୍ପା ପ୍ରଦର୍ଶନ କରିିଥିଲେ ବୋଲି ତାଙ୍କ ନାମରେ ଅଭିଯୋଗ ଆସିିଥିଲା । ପୁଣି ଶୁଣାଯାଏ ଯେ ମହତାବ ଏହି ସମୟରେ ଅନ୍ୟ ମନ୍ତ୍ରଣାଳୟରେ ମଧ୍ୟ ଅଯଥା ହସ୍ତକ୍ଷେପ କରୁଥିଲେ । ଏଥିପାଇଁ ନେହରୁ ତାଙ୍କ ଉପରେ ସନ୍ତୁଷ୍ଟ ନଥିଲେ । ତାଙ୍କୁ ମନ୍ତ୍ରିମଣ୍ଡଳରେ ଗ୍ରହଣ ନକଲେ ମଧ୍ୟ ପଣ୍ଡିତ ନେହରୁ ତାଙ୍କୁ କଂଗ୍ରେସ ଦଳର ସାଂଗଠନିକ ଦାୟିତ୍ୱ ପ୍ରଦାନ କରିଥିଲେ । ଦଳରେ ପ୍ରଥମଥର ପାଇଁ ସେକ୍ରେଟାରୀ ଜେନେରାଲ୍‍ ପଦବୀ ସୃଷ୍ଟି କରାଯାଇ ହରେକୃଷ୍ଣ ମହତାବଙ୍କୁ ସେହି ପଦବୀରେ ଅବସ୍ଥାପିତ କରାଗଲା । ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଲେ ଯେ ପ୍ରତ୍ୟେକ କ୍ୟାବିନେଟ ମନ୍ତ୍ରୀ ସେମାନଙ୍କ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ବିଚାର ଆଲୋଚନା ନିମନ୍ତେ ସେକ୍ରେଟାରୀ ଜେନେରାଲଙ୍କ ସହ ପରାମର୍ଶ କରିବାକୁ ବାଧ୍ୟ । ଏହାଦ୍ୱାରା କଂଗ୍ରେସ ଦଳରେ ଶୃଙ୍ଖଳା ପରିଲକ୍ଷିତ ହେବା ସହ ପ୍ରତ୍ୟେକ କାର୍ଯ୍ୟର ମାନରେ ଉନ୍ନତି ଘଟିିଲା । ହରେକୃଷ୍ଣ ମହତାବ ୧୯୫୨-୫୫ ଯାଏଁ ଏହି ପଦବୀରେ ରହି ସୁଚାରୁରୂପେ କାର୍ଯ୍ୟ କରି ଯଶସ୍ୱୀ ହୋଇଥିଲେ ।

ନିତ୍ୟାନନ୍ଦ କାନୁନ୍‍ଗୋ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜୟୀ ହୋଇ ଓଡ଼ିଶାରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ । ସେ ସଂସ୍କୃତି ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ ।

ନବକୃଷ୍ଣ ଚୌଧୁରୀଙ୍କ ସମୟରେ ଓଡ଼ିଶାର ରାଜ୍ୟପାଳ :

ମାନ୍ୟବର ଏସ୍‍. ଆସଫ୍‍. ଅଲ୍ଲି ୨୧.୬.୧୯୪୮ରେ ଓଡ଼ିଶାର ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କଲେ । ୬.୫.୧୯୫୧ରୁ ୧୭.୭.୧୯୫୧ ଯାଏଁ ସେ ଛୁଟିରେ ରହିବାରୁ ତାଙ୍କ ସ୍ଥାନରେ ଭି.ପି. ମେନନ୍‍ କାର୍ଯ୍ୟକାରୀ ରାଜ୍ୟପାଳ ଭାବରେ ଦାୟିତ୍ୱରେ ଥିଲେ । ଆସଫ୍‍ ଅଲି ୧୮.୭.୧୯୫୧ରେ କାର୍ଯ୍ୟରେ ଯୋଗଦେଇ ୬.୬.୧୯୫୨ ଯାଏ ଓଡ଼ିଶାର ରାଜ୍ୟପାଳ ରହିଲେ । ଏହା ପରେ ମାନ୍ୟବର ସୟଦ ଫଜଲ ଅଲି, ବାରିଷ୍ଟର ଆଟ-ଲ' ୭.୬.୧୯୫୨ରେ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରି ୯.୨.୧୯୫୪ ଯାଏ କାର୍ଯ୍ୟ କରିିଥିଲେ । ୧୦.୨.୧୯୫୪ରେ ପି.ଏସ୍‍. କୁମାର ସ୍ୱାମୀରାଜା ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ଗ୍ରହଣକରି ୧୧.୯.୧୯୫୬ ଯାଏ କାର୍ଯ୍ୟ କରିିଥିଲେ । ୧୨.୯.୧୯୫୬ରେ ଭୀମସେନ ସାଚାର ଓଡ଼ିଶାର ରାଜ୍ୟପାଳ ହୋଇ ଆସି ୩୧.୭.୧୯୫୭ ଯାଏ କାର୍ଯ୍ୟଭାର ଗ୍ରହଣ କରିିଥିଲେ । ଏହାଙ୍କ ସମୟରେ ନବକୃଷ୍ଣ ଚୌଧୁରୀ ୧୯୫୬ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିିଥିଲେ ।

ଓଡ଼ିଶା ରାଜନୀତିର ଇତିହାସ . ୧୦୫