ପୃଷ୍ଠା:Odisha Rajanitira Itihasa.pdf/୧୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବନ୍ୟାଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେଲା । ହଜାର ହଜାର ଲୋକ ଗୃହଶୂନ୍ୟ ହେଲେ । ହଜାର ହଜାର ଏକର ଜମି ବାଲିଚର ହୋଇଗଲା । ଏହା ମନୁଷ୍ୟକୃତ ବନ୍ୟା ଥିଲା ବୋଲି ବଡ଼ନେତା ଜଣେ ଗୁପ୍ତ ରିପୋର୍ଟ ପ୍ରଦାନ କଲେ । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରିପାଇଁ ଏହି ନେତାଜଣକ ମଧ୍ୟ ସୁପାରିସ କଲେ । ରାଜ୍ୟର ଗଣତାନ୍ତ୍ରିକ ସରକାର ଲୋକଙ୍କ ଦୁଃଖଦୁର୍ଦ୍ଦଶାରେ ସହାୟକ ହୋଇପାରିନାହାନ୍ତି ବୋଲି ଚାରିଆଡେ଼ ପ୍ରଚାର ଚାଲିଲା । ବସ୍ତୁତଃ ଏହାଥିଲା ନବକୃଷ୍ଣ ଚୌଧୁରୀଙ୍କ ଶାସନ ବିରୋଧରେ ଏକ ଚକ୍ରାନ୍ତ ।

୧୯୫୫ ମସିହା ନଭେମ୍ବର ମାସରେ ସୀମା କମିଶନ ରିପୋର୍ଟ ପ୍ରକାଶ ପାଇଲା । ଷଢେ଼ଇକଳା ଓ ଖରସୁଆଁ ବିହାରରେ ମିଶିଲା । ଏଥିପାଇଁ ରାଜ୍ୟର ଚାରିଆଡେ଼ ଜନ ଅସନ୍ତୋଷ ବ୍ୟାପିଲା । ପ୍ରାଦେଶିକ କଂଗ୍ରେଦଳ ତରଫରୁ ପ୍ରସ୍ତାବ ଗ୍ରହଣ କରାଗଲା ଯେ, ଏପରି ପରିସ୍ଥିତିରେ କଂଗ୍ରେସଦଳ ଶାସନ ଚଳାଇବା ସମ୍ଭବ ନୁହେଁ; ଫଳରେ ମନ୍ତ୍ରୀମାନେ ସମୂହ ଇସ୍ତଫା ପ୍ରଦାନ କଲେ । ହେଲେ କେନ୍ଦ୍ର ସରକାର ଓଡ଼ିଆବାସୀଙ୍କ ଦାବି ପ୍ରତି ଗୁରୁତ୍ୱ ଦେଲେ ନାହିିଁ । ଚାରିଆଡ଼େ ଅସନ୍ତୋଷର ବହ୍ନି ଜଳିଲା । କଟକ ଓ ପୁରୀରେ ଏହି ଆନ୍ଦୋଳନ ବ୍ୟାପକ ହେଲା । ସବୁ ଶ୍ରେଣୀର ଲୋକେ ଏଥିରେ ଯୋଗଦେଲେ । ପୁରୀ ରେଳ ଷ୍ଟେସନ୍‍ରେ ନିଆଁ ଲଗାଇ ଦିଆଗଲା । କଟକ ରେଡ଼ିଓ ଷ୍ଟେସନ୍‍କୁ ବନ୍ଦ କରିଦେବା ପାଇଁ ଆନ୍ଦୋଳନକାରୀମାନେ ଉଦ୍ୟମ କଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ଦିଲ୍ଲୀରେ । ଅନ୍ୟ ମନ୍ତ୍ରୀମାନେ କିଏ କୁଆଡ଼େ ପଳାଇଲେ । ଅବସ୍ଥା ଅଣାୟତ୍ତ ହେଲା । ଫଳରେ ପୋଲିସ୍‍ ଗୁଳି ଚଳାଇବାକୁ ବାଧ୍ୟ ହେଲା । ପୋଲିସ୍‍ ଗୁଳିରେ କଟକରେ ସୁନୀଲ ଦେ ଓ ପୁରୀରେ ବେଙ୍ଗପାଣିଆଙ୍କର ମୃତ୍ୟୁ ଘଟିଲା ।

ଏହି ଘଟଣାରେ ନବକୃଷ୍ଣ ଚୌଧୁରୀ ସରକାର ନିନ୍ଦିତ ଓ ବଦନାମ ହେଲେ । ତାଙ୍କ ସରକାର ଦୁର୍ବଳ ସରକାର ବୋଲି ଚାରିଆଡ଼େ ପ୍ରଚାର ହେଲା ।

* * *

ଓଡ଼ିଶା ରାଜନୀତିର ଇତିହାସ . ୧୦୯