ପୃଷ୍ଠା:Odisha Rajanitira Itihasa.pdf/୧୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉପମନ୍ତ୍ରୀମାନେ ହେଲେ; ଶ୍ରୀ ଶାନ୍ତନୁ କୁମାର ଦାସ- ପଲ୍‍ଟିକାଲ ସର୍ଭିିସେସ୍‍, ଉନ୍ନୟନ, ମତ୍ସ୍ୟ ଓ ସମବାୟ ବିଭାଗ; ଶ୍ରୀ ବୀର ବିକ୍ରମାଦିତ୍ୟ ସିଂହ ବରିହା- ଆଦିବାସୀ ଓ ଗ୍ରାମମଙ୍ଗଳ ବିଭାଗ (ଆଦିବାସୀ ଓ ହରିଜନ ଶିକ୍ଷା ଓ ଆଦିବାସୀ ଗବେଷଣା ବ୍ୟତୀତ); ଶ୍ରୀ କୁମୁଦ ଚନ୍ଦ୍ର ସିଂହ- ଲୋକସଂପର୍କ, ପରିବହନ ଓ ନିର୍ମାଣ ବିଭାଗ; ଶ୍ରୀ ହିମାଂଶୁ ଶେଖର ପାଢ଼ୀ- କୃଷି ବିଭାଗ । କଟକ ସହର ବିଧାୟକ ଶ୍ରୀ ବୀରେନ୍‍ ମିତ୍ର ମନ୍ତ୍ରିମଣ୍ଡଳରେ ଯୋଗଦେବା ପାଇଁ ଆଗ୍ରହୀ ଥିଲେ ମଧ୍ୟ ତାଙ୍କୁ ଡକ୍ଟର ମହତାବ ମନ୍ତ୍ରିମଣ୍ଡଳରେ ଗ୍ରହଣ କରି ନଥିଲେ । ସେଥିପାଇଁ ବୀରେନ୍‍ ମିତ୍ର ମନ ଦୁଃଖ କରଥିଲେ ।

ଡକ୍ଟର ହରେକୃଷ୍ଣ ମହତାବ :

ଡକ୍ଟର ହରେକୃଷ୍ଣ ମହତାବ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ କଟକର ରେଭେନ୍‍ସା କଲେଜରେ ଅଧ୍ୟୟନ କରିଥିଲେ । ୧୯୧୯ରୁ ୧୯୨୧ ମସିହା ଯାଏ ତିନିବର୍ଷ କାଳ ଓଡ଼ିଶା କଂଗ୍ରେସର ଅଗ୍ରଗଣ୍ୟ ପ୍ରତିଷ୍ଠାତାମାନଙ୍କ ଭିତରେ ସେ ଥିଲେ ଅନ୍ୟତମ । ୧୯୨୩-୨୪ରେ ସେ ଓଡ଼ିଶା ପ୍ରଜା ଆନ୍ଦୋଳନର ନେତୃତ୍ୱ ଗ୍ରହଣ କରି କାରାବରଣ କରିଥିଲେ । ୧୯୨୪-୧୯୨୮ ମସିହା ମଧ୍ୟରେ ସେ ବାଲେଶ୍ୱର ଜିଲ୍ଲା ବୋର୍ଡର ଚେୟାରମ୍ୟାନ ଭାବରେ ନିର୍ବାଚିତ ହୋଇଥିଲେ । ୧୯୨୪ ମସିହାରେ ସେ ତତ୍କାଳୀନ ବିହାର-ଓଡ଼ିଶା ପ୍ରଦେଶର ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ପରିଚାଳନା କରି ଦୁଇ ଥର କାରାବରଣ କରିଥିଲେ । ୧୯୩୬ ମସିହାରେ ନିଖିଳ ଭାରତ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ମନୋନୀତ ହୋଇ ୧୯୪୬ ପର୍ଯ୍ୟନ୍ତ ଅବସ୍ଥାପିତ ଥିଲେ । ୧୯୩୭-୩୯ ମସିହା ଯାଏ ସେ ଓଡ଼ିଶାର ଦେଶୀୟ ରାଜ୍ୟ ପ୍ରଜା ଆନ୍ଦୋଳନକୁ ପରିଚାଳିତ କରିବା ସଙ୍ଗେ ସଙ୍ଗେ ଓଡ଼ିଶା ଗଡ଼ଜାତ ପ୍ରଜା ଅନୁସନ୍ଧାନ କମିଟିର ଚେୟାରମ୍ୟାନ୍‍ ହେଲେ । ୧୯୪୨ ମସିହାରେ ସେ ଭାରତଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣକରି ଅହମଦନଗର ଦୁର୍ଗରେ ଭାରତର ତୁଙ୍ଗ କଂଗ୍ରେସ ନେତାମାନଙ୍କ ସହିତ ଅଟକବନ୍ଦୀ ଥିଲେ । ସେଠାରୁ ମୁକ୍ତ ହେବା ପରେ ୧୯୪୬ ମସିହା ଏପ୍ରିଲ୍‍ ମାସରେ ଓଡ଼ିଶାର କଂଗ୍ରେସର ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରି ୧୯୫୦ ମଇମାସ ୧୨ ତାରିଖ ଯାଏ କାର୍ଯ୍ୟ ବହନ କରଥିଲେ । ଏହି ସମୟରେ ତତ୍‍କାଳୀନ ଓଡ଼ିଶା ପ୍ରଦେଶ ସହିତ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ଥିଲା ତାଙ୍କର ଐତିହାସିକ ଅବଦାନ । ଏହା ଫଳରେ ପରବର୍ତ୍ତୀକାଳରେ ସ୍ୱାଧୀନ ଭାରତରେ ସମସ୍ତ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ପଥ ଉନ୍ମୁକ୍ତ ହୋଇଯାଇଥିଲା । ଏହା ବ୍ୟତୀତ ତାଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନାର ଶୁଭ ପ୍ରଦାନ ଓ ଭୁବନେଶ୍ୱରଠାରେ ରାଜଧାନୀ ନିର୍ମାଣ ଆଦି ଉଲ୍ଲେଖନୀୟ ଘଟଣା । ୧୯୫୦-୫୨ ଯାଏଁ ସେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ, ୧୯୫୨-୫୫ ଯାଏ ପାର୍ଲିିଆମେଣ୍ଟରେ କଂଗ୍ରେସ ଦଳର ସାଧାରଣ

ଓଡ଼ିଶା ରାଜନୀତିର ଇତିହାସ . ୧୨୫