ପୃଷ୍ଠା:Odisha Rajanitira Itihasa.pdf/୧୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆୟାରାମ ଗୟାରାମ ପ୍ରସଙ୍ଗ :

ଏପରି ଏକ ସଂଖ୍ୟାଲଘୁ ସରକାରକୁ ଚଳାଇବା କାଠିକର ପାଠ ହୋଇପଡ଼ିଲା । ସଦାସର୍ବଦା ଗଣତନ୍ତ୍ର ପରିଷଦ ଦଳର ସଭ୍ୟମାନଙ୍କ ସହ ବାଚନିକ ଯୁଦ୍ଧ ଚାଲିଲା । ବେଳେବେଳେ ହାତାହାତି ବି ହେଲା । ଦିଲ୍ଲୀ ମହଲରେ କଂଗ୍ରେସ ହାଇକମାଣ୍ଡ ଏଥିପାଇଁ ଅତ୍ୟନ୍ତ ବିବ୍ରତ ଓ ବିଚଳିତ ହୋଇପଡ଼ିଲେ । କାରଣ ସେତେବେଳେ ଅନ୍ୟ ଦଳରୁ ସଭ୍ୟ ଆଣି ମନ୍ତ୍ରିମଣ୍ଡଳ ଚଳାଇବା କାର୍ଯ୍ୟ ନିନ୍ଦା ଓ ଅପମାନସୂଚକ ବୋଲି ବିବେଚିତ ହେଉଥିଲା । ବିଧାନସଭା ବୈଠକରେ ଏପରି ଅବସ୍ଥା ଉପୁଜୁଥାଏ ଯେ ଜଣାପଡୁଥାଏ, ମନ୍ତ୍ରିମଣ୍ଡଳ କେତେେବେଳେ ଭାଙ୍ଗଯିବ ତାହା କେହି କହିପାରିବ ନାହିଁ । କଂଗ୍ରେସ ଦଳ ଏଥିପାଇଁ ସବୁବେଳେ ସଜାଗ ଥାଏ । ଦଳରେ ଯୋଗ ଦେଇଥିବା ସ୍ୱାଧୀନ ସଭ୍ୟମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଥାଏ । ଅନ୍ୟମାନଙ୍କ ମଧ୍ୟରେ ଜଣେ ରାଜା ସ୍ୱାଧୀନ ସଭ୍ୟ ଭାବରେ ଥାଆନ୍ତି । ମହତ୍ତ୍ୱପୂର୍ଣ୍ଣ ଭୋଟିଂ ଦିନ ସେ ବିଧାନସଭାରେ ଉପସ୍ଥିତ ରହିବାକୁ କୁଣ୍ଠାବୋଧ କରନ୍ତି । କୌଣସି ନିର୍ଦ୍ଦିଷ୍ଟ ଆର୍ଥିକ ଲାଭ ନ ପାଇଲେ ସେ ବିଧାନସଭାରେ ଉପସ୍ଥିତ ରହି ଭୋଟ ଦେବେ ନାହିଁ ବୋଲି ରୋକ୍‍ଠୋକ୍‍ ଭାବରେ କହନ୍ତି । ଏହିସବୁ ପ୍ରସଙ୍ଗରେ କେନ୍ଦ୍ର କର୍ତ୍ତୃପକ୍ଷ ଓଡ଼ିଶାର କଂଗ୍ରେସ ସରକାରଙ୍କୁ ଭାଙ୍ଗିଦେବା ପାଇଁ ମନସ୍ଥ କରୁଥାଆନ୍ତି । ଡକ୍ଟର ମହତାବ ମଧ୍ୟ ଚାହୁଁଥିଲେ ଏପରି ଦୁର୍ବଳ ସରକାର ଭାଙ୍ଗିଯିବା ଉଚିତ ।

ହେଲେ ଯେଉଁମାନେ ମହତାବଙ୍କୁ ବମ୍ବେ ରାଜ୍ୟପାଳ ପଦରୁ ଉଠାଇ ଆଣିିଲେ, ସେମାନେ ଚାହୁଁଥାଆନ୍ତି ଯେକୌଣସି ପ୍ରକାରେ ଓଡ଼ିଶାରେ କଂଗ୍ରେସ ସରକାର ବଞ୍ଚି ରହୁ । ସରକାର ଭାଙ୍ଗି ସାନି ନିର୍ବାଚନ କରିବାକୁ ଅଧିକାଂଶ ସଭ୍ୟ ଚାହୁଁ ନଥାନ୍ତି । ଶାସନ କୌଣସି ପ୍ରକାରେ ଚଳିବ, ମହତାବ ବାବୁ ଏହି ଶାସନର ନେତୃତ୍ୱ ନେବେ- ଏହା ବିଜୁ ପଟ୍ଟନାୟକ, ବୀରେନ୍‍ ମିତ୍ର ଓ ନୀଳମଣି ରାଉତରାୟଙ୍କ ସମେତ କଂଗ୍ରେସ ଦଳର ଶତକଡ଼ା ପଚାଶ ଭାଗରୁ ଅଧିକ ସଭ୍ୟଙ୍କର ମତ ବୋଲି 'ମୁକ୍ତିପଥେ ସୈନିକ'ରେ ଲେଖିଛନ୍ତି ପବିତ୍ରମୋହନ ପ୍ରଧାନ ।

କଂଗ୍ରେସ ପ୍ରତି ଶକ୍ତ ଧକ୍କା :

୧୯୫୮ ମସିହା ମାର୍ଚ୍ଚ ୨୪ ତାରିଖ ଦିନ ଓଡ଼ିଶା ରାଜ୍ୟସଭାର ତିନୋଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ଝାଡଖଣ୍ଡଦଳର ୫ଜଣ ସଭ୍ୟଙ୍କ ସମର୍ଥନ ସହ ବିଧାନସଭାରେ କଂଗ୍ରେସଦଳର ସଭ୍ୟ ସଂଖ୍ୟା ଥିଲା ୭୫ । ଫଳରେ କଂଗ୍ରେସ ଦଳ ତରଫରୁ ବିଭୁଧେନ୍ଦ୍ର ମିଶ୍ର ଓ ମହମ୍ମଦ ହନିଫ୍‍ଙ୍କୁ ପ୍ରାର୍ଥୀ କରାଗଲା । ଗଣତନ୍ତ୍ର ପରିଷଦର ସଭ୍ୟସଂଖ୍ୟା ୪୧ । ଏହି ଦଳରୁ ହରିହର ପଟେଲ ପ୍ରାର୍ଥୀ ହେଲେ । ପ୍ରଜା ସମାଜବାଦୀ ଦଳର ସଭ୍ୟସଂଖ୍ୟା ୧୧ ଥାଇ ସେହି ଦଳରୁ ପ୍ରାର୍ଥୀ କରାଗଲା ଦିବାକର ପଟ୍ଟନାୟକଙ୍କୁ । କଂଗ୍ରେସ ଦଳର ସ୍ଥିତି ଅନୁଯାୟୀ ଦୁଇଜଣଯାକ ପ୍ରାର୍ଥୀ ଜିତିବା କଥା । ହେଲେ କଂଗ୍ରେସଦଳରୁ କେବଳ ବିଭୁଧେନ୍ଦ୍ର ମିଶ୍ର ଜିତିଲେ ଓ ମହମ୍ମଦ ହନିଫ୍‍ ପରାଜିତ ହେଲେ । ଗଣତନ୍ତ୍ର ପରିଷଦର ଏକମାତ୍ର ପ୍ରାର୍ଥୀ ହରିହର ପଟେଲ

ଓଡ଼ିଶା ରାଜନୀତିର ଇତିହାସ . ୧୨୭