ପୃଷ୍ଠା:Odisha Rajanitira Itihasa.pdf/୧୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଚତୁର୍ଦ୍ଦଶ ପରିଚ୍ଛେଦ
ମିଳିତ ସରକାରର ପତନ ଓ
୧୯୬୧ ସାଧାରଣ ନିର୍ବାଚନ

ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଯୁବଗୋଷ୍ଠୀ କ୍ଷମତାକୁ ଆସିବା ପାଇଁ ବ୍ୟାକୁଳ ହୋଇପଡ଼ିଲେ । ବିଜୁ ପଟ୍ଟନାୟକ, ବୀରେନ ମିତ୍ର ଓ ନୀଳମଣି ରାଉତରାୟ ଡକ୍ଟର ମହତାବଙ୍କର ବିରୋଧୀ ହୋଇଗଲେ । ଏମାନେ କଂଗ୍ରେସ-ଗଣତନ୍ତ୍ର ପରିଷଦ ମିଳିତ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବା ପାଇଁ ଅହରହ ଉଦ୍ୟମ କଲେ । ଏମାନେ ହିଁ ଡକ୍ଟର ମହତାବଙ୍କୁ ବମ୍ବେ ରାଜ୍ୟପାଳରୁ ଆଣି ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଇଥିଲେ । ପୁଣି ଏମାନଙ୍କ ଉଦ୍ୟମରେ ହିଁ କଂଗ୍ରେସ ଗଣତନ୍ତ୍ର ପରିଷଦ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରାଯାଇଥିଲା । ହେଲେ ଏବେ ଏମାନେ ମିଳିତ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବା ପାଇଁ କାହିଁକି ଉଦ୍ୟମ କଲେ ? ଜଣାଯାଏ, ଡକ୍ଟର ମହତାବଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ନିଜର କିଛି ବ୍ୟକ୍ତିଗତ ସ୍ୱାର୍ଥ ସାଧନ କରିବାକୁ ବିଜୁବାବୁ ମନେ ମନେ ଠିକ୍‍ କରିଥିଲେ । ବାସ୍ତବରେ ତାହା ହୋଇ ପାରିଲା ନାହିଁ । କେବଳ ଗୋଟିଏ ଦଳ ମନ୍ତ୍ରିମଣ୍ଡଳ ଗଠନ କଲେ, ଦଳୀୟ ଲୋକଙ୍କର ସ୍ୱାର୍ଥ ହାସଲ ହେବା ସହଜ । କିନ୍ତୁ ମିଳିତ ମନ୍ତ୍ରିମଣ୍ଡଳରେ ତାହା ଏତେ ସହଜ ନୁହେଁ ।

ଡକ୍ଟର ମହତାବ ନୀତି ବିରୁଦ୍ଧରେ ଯାଇ ଦଳୀୟ ଲୋକଙ୍କର ସ୍ୱାର୍ଥ ରଖିବାକୁ ଅନିଚ୍ଛୁକ ହେଲେ । ତେଣୁ ଏହି ମିଳିତ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବା ପାଇଁ ପୂରା ଦମ୍‍ରେ ଚେଷ୍ଟା ଅବ୍ୟାହତ ରହିଲା । ଏଥିପାଇଁ ବିଜୁବାବୁ ଓ ବୀରେନ୍‍ବାବୁ ବ୍ୟକ୍ତିଗତ ଭାବରେ ନିଜ ଦଳର ବିଧାନସଭା ସଭ୍ୟମାନଙ୍କୁ ଭେଟି ପ୍ରଭାବିତ କରିବାରେ ଲାଗିଲେ । ସେମାନଙ୍କର ଉଦ୍ଦେଶ୍ୟ ଥିଲା, କଂଗ୍ରେସ ବିଧାୟକ ଦଳର ସଦସ୍ୟମାନଙ୍କର ବହୁମତ ନେଇ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବା । କିନ୍ତୁ ସେଥିରେ ସେମାନେ ସଫଳ ହୋଇ ପାରିଲେ ନାହିଁ । ତା'ପରେ ସଂଗଠନକୁ ଭାଙ୍ଗିବା ପାଇଁ ଚେଷ୍ଟା କଲେ ।

୧୩୨ . ଓଡ଼ିଶା ରାଜନୀତିର ଇତିହାସ