ପୃଷ୍ଠା:Odisha Rajanitira Itihasa.pdf/୧୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମନ୍ତ୍ରିମଣ୍ଡଳ ଆଉ କିଛିଦିନ ରହିବା ସପକ୍ଷରେ ଥିଲେ । ସେଥିରେ ଡକ୍ଟର ମହତାବ ସନ୍ତୁଷ୍ଟ ହେଲେ ନାହିଁ । ଦଳ ଭିତରେ ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ଧାରଣ କଲା । ଦିନକୁ ଦିନ ଦଳରେ ଅସ୍ଥିରତା ବୃଦ୍ଧି ପାଇବାରେ ଲାଗିଲା । ଏ ସବୁକୁ ହୃଦୟଙ୍ଗମ କରି ଡକ୍ଟର ମହତାବ ୧୯୬୧ ମସିହା ଜାନୁଆରି ୨୪ ତାରିଖରେ ଓଡ଼ିଶାର ରାଜ୍ୟପାଳ ଯଶୋବନ୍ତ ନାରାୟଣ ସୁକ୍ତଙ୍କରଙ୍କୁ ଭେଟି ମିଳିତ ମନ୍ତ୍ରିମଣ୍ଡଳର ଇସ୍ତଫା ପ୍ରଦାନ କଲେ । ରାଜ୍ୟପାଳ ମିଳିତ ମନ୍ତ୍ରିମଣ୍ଡଳର ଇସ୍ତଫା ଗ୍ରହଣ କରିନେଲେ । ବିକଳ୍ପ ମନ୍ତ୍ରିମଣ୍ଡଳ ଗଠନ ପାଇଁ ସେ ଦ୍ୱିତୀୟ ବୃହତ୍ତମ ଦଳ ଗଣତନ୍ତ୍ର ପରିଷଦର ନେତା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ଆମନ୍ତ୍ରଣ କଲେ । ହେଲେ ଗଣତନ୍ତ୍ର ପରିଷଦର ନେତା ଏଥିରେ ଅସାମର୍ଥ ପ୍ରକାଶ କଲେ । ଫଳରେ ରାଜ୍ୟରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଶାସନ ଜାରି ହେଲା ।

ସାଧାରଣ ନିର୍ବାଚନ :

ଏହି ସମୟରେ ବିଜୁ ପଟ୍ଟନାୟକଙ୍କର ଦିଲ୍ଲୀ ମହଲରେ ବେଶ୍‍ ପ୍ରଭାବ ରହିଥାଏ । ବିଶେଷ କରି ସେ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଅଧିକ ପ୍ରିୟ ହୋଇଥାଆନ୍ତି । ଏଣୁ ସେ ତାଙ୍କର କାମଗୁଡ଼ିକ ସହଜରେ କେନ୍ଦ୍ରର ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ କରାଇ ଆଣୁଥିଲେ । ଓଡ଼ିଶାରେ ରାଷ୍ଟ୍ରପତି ଶାସନ ୧୯୬୨ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ଯାଏ ବଳବତ୍ତର ରହିବ ନା ୧୯୬୧ ମସିହାରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ହେବ, ରାଜନୈତିକ ମହଲରେ ଏହା ମୁଖ୍ୟ ଆଲୋଚ୍ୟ ପ୍ରସଙ୍ଗ ଥାଏ । ସବୁ ରାଜନୈତିକ ଦଳ ଭାବୁଥାଆନ୍ତି ଯେ, ୧୯୬୨ ମସିହା ସାଧାରଣ ନିର୍ବାଚନରେ ଓଡ଼ିଶାର ନିର୍ବାଚନ ହେବ । ଏଣୁ ନିର୍ବାଚନ ପାଇଁ କେହି ପ୍ରସ୍ତୁତ ନଥାନ୍ତି । କିନ୍ତୁ ବିଜୁ ପଟ୍ଟନାୟକ ଭିତରେ ଭିତରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ସାରିଥାନ୍ତି । ସେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ପ୍ରଭାବିତ କରି ଓଡ଼ିଶା ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଘୋଷଣା କରାଇନେଲେ । ଏହି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ୧୯୬୧ ମସିହା ଜୁନ ମାସ ୨ ତାରିଖରୁ ୮ ତାରିଖ ଯାଏ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କଲେ ।

ବିଧାନ-ସୌଧ ଉଦ୍‍ଘାଟିତ :

ବର୍ତ୍ତମାନ ବିଧାନସଭା ବୈଠକ ବସୁଥିବା ଗୃହକୁ କୁହାଯାଉଛି 'ବିଧାନ ସୌଧ' । ଏହାର ନିର୍ମାଣ କାର୍ଯ୍ୟ ୧୯୬୧ ଜାନୁଆରି ମାସରେ ସଂପୂର୍ଣ୍ଣ ହେଲା । ୪୭,୦୦୦ ବର୍ଗଫୁଟ ପରିମିତ ଜାଗାରେ ଏହା ନିର୍ମାଣ କରାଯାଇଛିି । ୧୯୬୧ ମସିହା ଫେବ୍ରୁଆରି ୧୨ ତାରିଖ ଦିନ ଭାରତର ତତ୍‍କାଳୀନ ଉପରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଆନୁଷ୍ଠାନିକ ଭାବରେ ଏହାକୁ ଉଦ୍‍ଘାଟନ କଲେ । ଏହି 'ବିଧାନ ସୌଧ'ର ନିର୍ମାଣ ପାଇଁ ସେହି ସମୟରେ ୨୫,୦୦୦,୦୦ ଟଙ୍କା ଖର୍ଚ୍ଚ ହୋଇଥିଲା ।

୧୩୪ . ଓଡ଼ିଶା ରାଜନୀତିର ଇତିହାସ