ପୃଷ୍ଠା:Odisha Rajanitira Itihasa.pdf/୧୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପୁରୀ ବିବୁଧେନ୍ଦ୍ର ମିଶ୍ର କଂଗ୍ରେସ
ଭୁବନେଶ୍ୱର ରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ କଂଗ୍ରେସ
ଭଂଜନଗର ମୋହନ ନାୟକ କଂଗ୍ରେସ
ଛତ୍ରପୁର ଅନନ୍ତ ତ୍ରିପାଠୀ ଶର୍ମା କଂଗ୍ରେସ
କୋରାପୁଟ ରାମଚନ୍ଦ୍ର ଉଲାକା କଂଗ୍ରେସ
ନବରଙ୍ଗପୁର ଆର୍‍. ଜଗନ୍ନାଥ ରାଓ କଂଗ୍ରେସ
କଳାହାଣ୍ଡି ପ୍ରତାପ କେଶରୀ ଦେଓ ଗ.ପ.
ଫୁଲବାଣୀ ରାଜେନ୍ଦ୍ର କହଁର ଗ.ପ.
ବଲାଙ୍ଗୀର ହୃଷୀକେଶ ମହାନନ୍ଦ ଗ.ପ.
ସମ୍ବଲପୁର କିଶାନ ପଟ୍ଟନାୟକ ସୋସାଲିଷ୍ଟ
ଅନୁଗୁଳ ଡକ୍ଟର ହରେକୃଷ୍ଣ ମହତାବ କଂଗ୍ରେସ
ଢେଙ୍କାନାଳ ବୈଷ୍ଣବ ଚରଣ ପଟ୍ଟନାୟକ କଂଗ୍ରେସ
ସୁନ୍ଦରଗଡ଼ ଯଜ୍ଞ ନାରାୟଣ ସିଂହ ଗ.ପ.
କେନ୍ଦୁଝର ଲକ୍ଷ୍ମୀନାରାୟଣ ଭଞ୍ଜ କଂଗ୍ରେସ

ଭାରତ ଚୀନ୍‍ ଯୁଦ୍ଧ :

୧୯୬୨ ମସିହା ସେପ୍ଟେମ୍ବର-ଅକ୍ଟୋବର ମାସରେ ଭାରତ-ଚୀନ ଯୁଦ୍ଧ ହେଲା । ଯୁଦ୍ଧର କାରଣ ହେଲା, ଭାରତ ଉପରେ ଚୀନ୍‍ର ଲୋଲୁପ ଦୃଷ୍ଟି । ସାମ୍ରାଜ୍ୟ ବିସ୍ତାରର ମନୋଭାବ । ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲଙ୍କର ଚୀନ୍‍ ପ୍ରତି ଅତିଶୟ ବନ୍ଧୁତା ଓ ବିଶ୍ୱାସ । ଭାରତଦ୍ୱାରା ଉଦ୍‍ଘୋଷିତ ପଞ୍ଚଶୀଳ ନୀତିର ଅବମାନନା ଇତ୍ୟାଦି । ସେତେବେଳେ ଦେଶରକ୍ଷା ବିଭାଗର ମନ୍ତ୍ରୀ ଥାଆନ୍ତି ଭି.କେ. କ୍ରିଷ୍ଣମେନ୍‍ନ । ଯୁଦ୍ଧ ସମୟରେ ସାରା ଦେଶରେ ଦେଶାତ୍ମଭାବ ଜାଗ୍ରତ ହେଲା । ମାତୃଭୂମିକୁ ରକ୍ଷା କରିବା ନିମନ୍ତେ ଦେଶର ନାଗରିକମାନେ ଦୃଢ଼ ପ୍ରତିଜ୍ଞ ହେଲେ । ଓଡ଼ିଶା ସରକାରଙ୍କର ମନ୍ତ୍ରୀ ଓ କର୍ମଚାରୀମାନେ ସାଧାରଣ ଲୋକଙ୍କଠାରୁ ସ୍ୱର୍ଣ୍ଣ ଓ ଅର୍ଥ ସଂଗ୍ରହରେ ଲାଗିପଡ଼ିଲେ । ସ୍କୁଲ, କଲେଜ ଓ ବିିଭିନ୍ନ ଅନୁଷ୍ଠାନର ଛାତ୍ର, ଛାତ୍ରୀମାନେ ଗାଁ ଗହଳିରେ ବୁଲି ଏ ସମ୍ପର୍କରେ ଲୋକଙ୍କୁ ସଚେତନ କଲେ । ଲୋକେ ଅକାତରରେ ସ୍ୱର୍ଣ୍ଣ ଓ ଅର୍ଥ ଦେଶରକ୍ଷା ପାଣ୍ଠି ପାଇଁ ଦାନ କଲେ । ଦେଶରକ୍ଷା ମନ୍ତ୍ରୀଙ୍କୁ ହଟାଇବା ପାଇଁ ଓଡ଼ିଶାରେ ପ୍ରତିକୂଳ ହାଓ୍ୱା ସୃଷ୍ଟି ହେଲା । ଏଥିପାଇଁ ରାଜ୍ୟର ଲୋକସଭା ସଦସ୍ୟମାନଙ୍କୁ ମଧ୍ୟ ରାଜ୍ୟର ନେତାମାନେ ପ୍ରଭାବିତ କଲେ । ଭାରତ ଏହି ଯୁଦ୍ଧରେ ପରାଜୟ ଲାଭକଲେ ବି ଚୀନ୍‍ ନିଜ ସୀମାନ୍ତ ନିକଟବର୍ତ୍ତୀ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିବାରୁ ଯୁଦ୍ଧର ଅବସାନ ଘଟିଲା ।

୧୪୮ . ଓଡ଼ିଶା ରାଜନୀତିର ଇତିହାସ