ପୃଷ୍ଠା:Odisha Rajanitira Itihasa.pdf/୧୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେତେବେଳେ ଓଡ଼ିଶା ବିଧାନ ସଭାରେ କଂଗ୍ରେସ ଦଳର ସଭ୍ୟ ସଂଖ୍ୟା ୮୨ । ସେମାନଙ୍କ ଭିତରୁ ୫୨ ଜଣ ମହତାବଙ୍କ ଗୋଷ୍ଠୀର । ହେଲେ କେହି ଚିହ୍ନା ପଡୁ ନଥାନ୍ତି । ଏମାନଙ୍କର ଏକ ତାଲିକା ସୁରେନ୍ଦ୍ର ପଟ୍ଟନାୟକ, ବନମାଳୀ ପଟ୍ଟନାୟକ ଓ ଶାନ୍ତନୁ କୁମାର ଦାସ ତିଆରି କରି ରଖିଥାଆନ୍ତି । ଏହା ଜାଣିପାରି ବିଜୁବାବୁ ହତାଶ ହୋଇ ପଡିଲେ । କଳେବଳେ କଉଶଳେ ସେ କେମିତି ବୀରେନ୍‍ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିବେ, ସେଇ ଯୋଜନାରେ ଲାଗିପଡିଲେ । ନିଜ ଗୋଷ୍ଠୀର କେତେଜଣ ବିଧାୟକଙ୍କୁ ମହତାବ ଗୋଷ୍ଠୀର ବିଧାୟକମାନଙ୍କ ପାଖକୁ ପଠାଇ ସେହି ୫୨ଜଣ ଏମ୍‍.ଏଲ୍‍.ଏ କେଉଁମାନେ ତାହା ଜାଣିବାକୁ ଚେଷ୍ଟାକଲେ । ଶେଷରେ ସଫଳ ମଧ୍ୟ ହେଲେ । ଶୁଣାଯାଏ, ଅନେକ ବିଧାୟକଙ୍କୁ ପ୍ରଲୋଭିତ, ଆକର୍ଷିତ, ଆତଙ୍କିତ ତ‌ଥା ଭୟଭୀତ କରାଇ ନିଜ ଗୋଷ୍ଠୀକୁ ଟାଣି ନେବାକୁ ସେ ସକ୍ଷମ ହେଲେ ।

ମହତାବ ଗୋଷ୍ଠୀ ତରଫରୁ ଗଡ଼ଜାତ ପ୍ରଜା ଆନ୍ଦୋଳନର ବିଶିଷ୍ଟ ନେତା ପବିତ୍ର ମୋହନ ପ୍ରଧାନ ଦଳର ନେତା ତ‌ଥା ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରିବାପାଇଁ ସ୍ଥିରହେଲା । ପବିତ୍ରବାବୁଙ୍କ ପାଇଁ ଡକ୍ଟର ହରେକୃଷ୍ଣ ମହତାବ, ସୁରେନ୍ଦ୍ର ପଟ୍ଟନାୟକ, ବନମାଳୀ ପଟ୍ଟନାୟକ, ଶାନ୍ତନୁ କୁମାର ଦାସ, ଉପେନ୍ଦ୍ର ମହାନ୍ତି, ମୁରଲୀଧର ଜେନା ଆଦି କଂଗ୍ରେସର ପୂର୍ବତନ ସଭାପତି ଓ ସଂପାଦକମାନେ ଏବଂ ହିମାଂଶୁ ଶେଖର ପାଢ଼ୀ, କୁମୁଦ ଚନ୍ଦ୍ର ସିଂହ, ବୀର ବିକ୍ରମାଦିତ୍ୟ ସିଂହ ବରିହା, ମନମୋହନ ଟୁଡୁ, ସୁନାରାମ ସୋରେନ୍‍ ଆଦି ବିଧାୟକମାନେ ଖୋଲାଖୋଲି ଭାବରେ ପ୍ରଚାର କଲେ । (ମୁକ୍ତିପଥେ ସୈନିକ)

୧୯୬୩ ମସିହା ଅକ୍ଟୋବର ୧ ତାରିଖରେ ବିଧାୟକ ଦଳର ନେତା ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହେଲା । ସେ ବେଳର କେନ୍ଦ୍ରମନ୍ତ୍ରୀ ରଫି ଅହମ୍ମଦ କିଦ୍‍ଓ୍ୱାଇ ଦିଲ୍ଲୀରୁ ପର୍ଯ୍ୟବେକ୍ଷକ ଭାବରେ ଆସିଲେ । ବିଧାନସଭାର ୫୪ ନମ୍ବର କୋଠରିରେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେଲା । ବୀରେନ୍‍ ମିତ୍ର କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହେଲେ । ପବିତ୍ର ମୋହନ ପ୍ରଧାନ ପରାଜିତ ହେଲେ । ତହିଁ ପରଦିନ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ବୀରନ୍‍ବାବୁ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ୧୪ ଜଣିଆ ମନ୍ତ୍ରିମଣ୍ଡଳ ସଭ୍ୟମାନଙ୍କ ସହ ଶପଥ ଗ୍ରହଣ କଲେ । ସେହି ମନ୍ତ୍ରୀମାନେ ଓ ସେମାନଙ୍କର ବିଭାଗମାନ ହେଲା :

ଓଡ଼ିଶା ରାଜନୀତିର ଇତିହାସ . ୧୫୫