ପୃଷ୍ଠା:Odisha Rajanitira Itihasa.pdf/୧୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାର ବୋହିବାରେ 'ଗଧ ଯେପରି ଧୁରନ୍ଧର, ବିନା ଆପତ୍ତିରେ ଗୁରୁଦାୟିତ୍ୱ ତୁଲାଇବାରେ ପବିତ୍ର ବାବୁ ସେହିପରି ଯୋଗ୍ୟ ଏବଂ ଦକ୍ଷ । ତେଣୁ ତାଙ୍କୁ ଗଧ ବୋଲି କୁହାଯାଉଛି ।' ଗୋଷ୍ଠୀ ତରଫରୁ ସବୁବେଳେ ପ୍ରଥମରୁ ଟୁଡୁ ବାବୁ ଗୋଷ୍ଠୀର ମନୋଭାବ ଓ ମତର ସୂଚନା ଦେଉଥିବାରୁ, ସେ ଅଗ୍ରଣୀ ଭାବରେ କାର୍ଯ୍ୟ କରୁଛନ୍ତି ତେଣୁ ସେ ଧ୍ୱଜିନୀ । ବାକି ପାଞ୍ଚଜଣ ଯାକ ହେଲେ ଜେନେରାଲ ।

(ମୁକ୍ତିପଥେ ସୈନିକ : ପବିତ୍ର ପ୍ରଧାନ)

ପରବର୍ତ୍ତୀ ସମୟରେ ଏହି ସପ୍ତରଥୀଙ୍କଯୋଗୁଁ କଂଗ୍ରେସ ବିଭାଜନ ହେଲା । ସେମାନେ 'ଜନ କଂଗ୍ରେସ' ଦଳ ପ୍ରତିଷ୍ଠା କଲେ ।

ବୀରେନବାବୁ ମୁଖ୍ୟମନ୍ତ୍ରୀ ହେବାର ଦୁଇ ମାସ ଭିତରେ, ନଭେମ୍ବର ୨୨ ତାରିଖରେ (୧୯୬୩) ମାର୍କିନ ଯୁକ୍ତରାଷ୍ଟ୍ରର ପ୍ରେସିଡେଣ୍ଟ ଜନ୍‍ କେନେଡି ଅସଓ୍ୱାଲଡ ନାମକ ଜଣେ ଆତତାୟୀର ଗୁଳିରେ ପ୍ରାଣ ହରାଇ ଶହୀଦ ହେଲେ । ଏଥିପାଇଁ ଆମ ଦେଶରେ ତ‌ଥା ଆମ ରାଜ୍ୟରେ ଗଭୀର ଶୋକପାଳନ କରାଗଲା । ନଭେମ୍ବର ୨୫ ତାରିଖ ଦିନ ଯୁକ୍ତରାଷ୍ଟ୍ର ଦୂତାବାସରେ ସ୍ୱର୍ଗତ କେନେଡିଙ୍କର ସ୍ମୃତି ତର୍ପଣରେ ଯୋଗଦେଇଥିଲେ ଆମ ଦେଶର ପ୍ରଧାନ ମନ୍ତ୍ରୀ ଓ ରାଷ୍ଟପ୍ରତି । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତା ପଠାଇଥିଲେ ।

ଏହା ପୂର୍ବରୁ ୧୯୬୩ ନଭେମ୍ବର ୧୭ ତାରିଖ ଦିନ ରୁଷର ତିନିଜଣ ମହାକାଶଚାରୀ ଓଡ଼ିଶା ଭ୍ରମଣରେ ଆସିଥିଲେ । ସେମାନଙ୍କୁ କଟକଠାରେ ଓଡ଼ିଶା ସରକାର ତ‌ଥା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା । ସେହି ମହାକାଶଚାରୀ ତିନିଜଣ ଯାକ ହେଲେ; ବିଶ୍ୱର ପ୍ରଥମ ମହିଳା ମହାକାଶଚାରୀ କ୍ୟାପ୍‍ଟେନ ଭାଲେନ୍ତିନା ନିକୋଲାଏଭା ତେରେସ୍କୋଭା, ମେଜର ଆଣ୍ଡିଆନ୍‍ ନିକୋଲା ଏଭ ଓ ମେଜର ଭାଲେରୀ ବାଇକୋଭସ୍କି । ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଉପହାର ଓ ନାରୀସଂଘ ସଦନ ତରଫରୁ ଉପହାର ଭାଲେଣ୍ଟିନାଙ୍କୁ ପ୍ରଦାନ କରାଗଲା । ରୁଷ ରାଷ୍ଟ୍ରଦୂତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଶୋକ ଚକ୍ର ଉପହାର ପ୍ରଦାନ କରାଗଲା । କଟକ ମ୍ୟୁନିସିପାଲଟି ଚେୟାରମ୍ୟାନଙ୍କ ପ୍ରଦତ୍ତ ଉପହାର ମେଜର ନିକୋଲାଏଭଙ୍କୁ ପ୍ରଦାନ କରାଗଲା । ମେଜର ଭାଲେରୀ ବାଇକୋଭସ୍କିଙ୍କୁ ମଧ୍ୟ ନାନା ଭାବରେ ଉପହାର ପ୍ରଦାନ କରାଗଲା ।

ଭୁବନେଶ୍ୱରରେ ଜାତୀୟ କଂଗ୍ରେସ ଅଧିବେଶନ :

ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଓଡ଼ିଶାରେ ଜାତୀୟ କଂଗ୍ରେସର ଅଧିବେଶନ ଅନୁଷ୍ଠିତ ହେବାପାଇଁ ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହୋଇସାରିଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ୧୯୩୨ ମସିହା ଏପ୍ରିଲ ମାସରେ କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହେବା ନିମନ୍ତେ ସମସ୍ତ ପ୍ରକାର ଆୟୋଜନ କରାଯାଇଥିଲା । ବ୍ରିଟିଶ ସରକାର ସେତେବେଳେ କଂଗ୍ରେସ ଅନୁଷ୍ଠାନକୁ ବେଆଇନ ଘୋଷଣା କରିଦେବାରୁ ଅଧିବେଶନ ବସିବା ବାତିଲ ହୋଇଯାଇଥିଲା । ଯାହାହେଉ, ବିଜୁ ପଟ୍ଟନାୟକଙ୍କ ଉଦ୍ୟମ ଫଳରେ ଏହି କଂଗ୍ରେସ ଅଧିବେଶନ ୧୯୬୪ ମସିହା

ଓଡ଼ିଶା ରାଜନୀତିର ଇତିହାସ . ୧୫୭