ପୃଷ୍ଠା:Odisha Rajanitira Itihasa.pdf/୧୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସଭା ଆରମ୍ଭ ହେଲା । ଅଭିଯୋଗ ପତ୍ରଟିକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ବିଜୟ କୁମାର ପାଣି ସଭାରେ ଉପସ୍ଥାପନ କଲେ । ବିଜୁ ପଟ୍ଟନାୟକ ସେହି ଅଭିଯୋଗ ପତ୍ରଟିକୁ ଧରି ବନମାଳୀ ପଟ୍ଟନାୟକ ଓ ପବିତ୍ର ମୋହନ ପ୍ରଧାନଙ୍କ ଉପରେ ଭୀଷଣ ରାଗିଯାଇ କହିଲେ, "ଆମ ଗୋଷ୍ଠୀର ଅମୂଳକ କୁତ୍ସା ପ୍ରଚାରଯୋଗୁଁ ନାନା ବିଭ୍ରାଟ ଉପୁଜୁଛି । ସେ ଦାବି କଲେ ଯେ, ଦରଖାସ୍ତରେ ଥିବା ସମସ୍ତ ଆପତ୍ତି ଅଭିଯୋଗ ଭିତ୍ତିହୀନ ଓ ମନଗଢ଼ା । ତେଣୁ ଅଭିଯୋଗକାରୀ ପବିତ୍ର ମୋହନ ପ୍ରଧାନ ଏହିସବୁ ଅଭିଯୋଗ ମିଥ୍ୟାରେ କରିଛନ୍ତି ବୋଲି ସ୍ୱୀକାର କରନ୍ତୁ । ଏହି ଅଭିଯୋଗକୁ ଏହି କ୍ଷଣି ଉଠାଇ ନିଅନ୍ତୁ ।" ବିଜୁବାବୁଙ୍କ କଥା ଶୁଣି ତାଙ୍କର ସମର୍ଥକମାନେ ରାଗରେ ପ୍ରଜ୍ୱଳିତ ହୋଇ ଚିତ୍କାର କଲେ ଯେ ଏହାକୁ ପବିତ୍ର ବାବୁ ଶୀଘ୍ର ଉଠାଇ ନିଅନ୍ତୁ । କେହି କେହି ପବିତ୍ରବାବୁଙ୍କୁ ମାଡ ମାରିବାକୁ ଆଗେଇ ଆସିଲେ । ଭୟରେ ପବିତ୍ରବାବୁ ଓ ବନମାଳୀବାବୁ ଧୀରସ୍ଥିର ହୋଇ କେବଳ ଯୁକ୍ତି କରୁଥା'ନ୍ତି । ସେ ଦୁହେଁ କହୁଥାଆନ୍ତି ଯେ, ଏହି ଅଭିଯୋଗଗୁଡିକ ବିଜୁ ଏବଂ ବୀରେନ୍‍ଙ୍କ ବିରୁଦ୍ଧରେ ଅଣାଯାଇଛି । ଏଠାରେ ଆମ ଦୁଇଜଣଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ହେଉଛନ୍ତି ବିଜୁବାବୁଙ୍କ ଲୋକ । ଆମକୁ ଏଠାରେ ନ୍ୟାୟ ମିଳିବ ନାହିିଁ । ସେଥିପାଇଁ ଆମେ ଉଚିତ୍‍ ପ୍ରମାଣ ଦିଲ୍ଲୀର ନିଖିଳ ଭାରତ କଂଗ୍ରେସ କମିଟି ପାଖରେ ପ୍ରକାଶ କରିବୁ ।"

ଏହା ପରେ ବିଜୁ ପଟ୍ଟନାୟକ ଗୋଟିଏ ଟେଲିଗ୍ରାମର ଡ୍ରାଫ୍‍ଟ ପବିତ୍ରବାବୁଙ୍କୁ ଦେଖାଇ କହିଲେ, ଏହାକୁ କେନ୍ଦ୍ର କମିଟିକୁ ପଠାଯିବ । ଆପଣ ଏଥିରେ ଦସ୍ତଖତ କରନ୍ତୁ । ସେହି ଟେଲିଗ୍ରାମରେ ଲେଖାଥିଲା, "ମୁଁ ଯେଉଁ ଆପତ୍ତି ଅଭିଯୋଗ କରିିଥିଲି ତାହା ଡକ୍ଟର ମହତାବ ଆଦିଙ୍କ ପ୍ରରୋଚନାରେ କରିିଥିଲି । ଅଭିଯୋଗଗୁଡିକ ମିଥ୍ୟା । ତେଣୁ ମୁଁ କ୍ଷମା ମାଗିବା ସଙ୍ଗେ ସଙ୍ଗେ ଉକ୍ତ ଦରଖାସ୍ତକୁ ପ୍ରତ୍ୟାହାର କରି ନେଉଛି ।" ପବିତ୍ରବାବୁ ଏହାର ପ୍ରତିବାଦ କରିବାରୁ ବିଜୁବାବୁ ତାଙ୍କ ଆସନରୁ ଉଠିଆସି ପବିତ୍ରବାବୁଙ୍କ ଉପରକୁ ଝା- ମାରି ଏକ ନିର୍ଘାତ ଚାପୁଡା ମାରିଲେ ଏବଂ ତାଙ୍କୁ ଖୁବ୍‍ ଜୋର୍‍ରେ ଟାଣି ପୁଣି ମାରିବାରେ ଲାଗିଲେ । ପବିତ୍ରବାବୁଙ୍କ କାମିଜ୍‍ ଚିରି ପକାଇଲେ । ଏହି ଘଟଣାରେ ବନମାଳୀବାବୁ ଓ ପବିତ୍ରବାବୁ ନିର୍ବାକ - କାଠଭୂତ ପାଲଟିଗଲେ । ବନମାଳୀବାବୁ ପବିତ୍ରବାବୁଙ୍କୁ ସେଠାରୁ ନେଇ ଚାଲିଆସିଥିଲେ । ସେତେବେଳକୁ ସମୟ ରାତ୍ରି ପ୍ରାୟ ସାଢ଼େଦଶଟା କି ଏଗାରଟା ହେବ । ବାହାରେ ଥିବା ଡ୍ରାଇଭର ଓ ଅନ୍ୟାନ୍ୟ କେତେକ ବ୍ୟକ୍ତି ଏପରି ଆକ୍ରମଣାତ୍ମକ ଚିତ୍କାର ଶୁଣି ଅବାକ୍‍ । ପ୍ରଥମେ ବନମାଳୀବାବୁ ଓ ପବିତ୍ରବାବୁ ଏହି ଘଟଣା ସୁରେନ୍ଦ୍ର ନାଥ ପଟ୍ଟନାୟକଙ୍କୁ କହିଲେ । ସଙ୍ଗେ ସଙ୍ଗେ ଏହି ଘଟଣା ଦିଲ୍ଲୀ କର୍ତ୍ତୃପକ୍ଷ ତ‌ଥା ଓଡ଼ିଶାର ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଜଣାଇ ଦିଆଗଲା ।

ପରଦିନ ସକାଳେ ଏହି ଘଟଣା ବିଜୁଳି ବେଗରେ ରାଜ୍ୟର ଚତୁର୍ଦ୍ଦିଗକୁ ବ୍ୟାପିଗଲା । ଓଡ଼ିଶାବାସୀ ଏପରି ଘଟଣାକୁ ତୀବ୍ର ଭାବରେ ନିନ୍ଦା ଓ ଘୃଣାକଲେ । ବିଜୁବାବୁଙ୍କର ଶତ ସଫେଇକୁ କେହି ବିଶ୍ୱାସ କଲେନାହିିଁ । ଏହି ଖବର ଭାରତର ପ୍ରତ୍ୟେକ ଅଞ୍ଚଳର ଖବରକାଗଜମାନଙ୍କରେ ପ୍ରକାଶପାଇଲା । (ମୁକ୍ତିପଥେ ସୈନିକ - ପୃ ୨୦୧-୨୦୫)

ଓଡ଼ିଶା ରାଜନୀତିର ଇତିହାସ . ୧୬୧