ପୃଷ୍ଠା:Odisha Rajanitira Itihasa.pdf/୧୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଊନବିଂଶ ପରିଚ୍ଛେଦ
ପଞ୍ଚମ ବିଧାନସଭା ଓ
ମିଳିତ ସାମ୍ମୁଖ୍ୟ ମନ୍ତ୍ରିମଣ୍ଡଳ

ପୂର୍ବର ସ୍ୱତନ୍ତ୍ର-ଜନକଂଗ୍ରେସ ମିଳିତ ମନ୍ତ୍ରିମଣ୍ଡଳ ୧୯୭୧ ମସିହା ଜାନୁଆରି ୫ତାରିଖରେ ଭାଙ୍ଗିଗଲା । ଜାନୁଆରି ୯ତାରିଖଠାରୁ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି ହେଲା । ଭାରତୀୟ ଜାତୀୟ କଂଗ୍ରେସ- ଶାସକ କଂଗ୍ରେସ ଓ ସଂଗଠନ କଂଗ୍ରେସ ଭାବରେ ଦୁଇଦଳରେ ବିଭକ୍ତ ହୋଇଗଲା । ଓଡିଶାର ପ୍ରଥମ ଆଞ୍ଚଳିକ ଦଳ ଜନକଂଗ୍ରେସ ମଧ୍ୟ ଭାଙ୍ଗିଗଲା । ଡକ୍ଟର ମହତାବ ୧୦ଜଣ ବିଧାୟକଙ୍କୁ ସାଙ୍ଗରେ ଧରି ଶାସକ କଂଗ୍ରେସ ଦଳରେ ଯୋଗଦେଲେ । ସେହିପରି ବିଜୁ ପଟ୍ଟନାୟକ ତାଙ୍କ ସମର୍ଥକଙ୍କ ମଧ୍ୟରୁ କେତେକଙ୍କୁ ଧରି କଂଗ୍ରେସରୁ ବାହାରି ଆସି 'ଉତ୍କଳ କଂଗ୍ରେସ' ନାମରେ ଏକ ନୂଆ ଦଳ ଗଢ଼ିଲେ ।

ନିୟମ ଅନୁସାରେ ପଞ୍ଚମ ସାଧାରଣ ନିର୍ବାଚନ ୧୯୭୨ ମସିହାରେ ହେବା କଥା- ଯେହେତୁ ଚତୁର୍ଥ ସାଧାରଣ ନିର୍ବାଚନ ୧୯୬୭ରେ ହୋଇଥିଲା । କିନ୍ତୁ କଂଗ୍ରେସ ବିଭାଜନ ପରେ ଲୋକସଭାରେ ଜାତୀୟ କଂଗ୍ରେସ ସଂଖ୍ୟା ନ୍ୟୂନ ହୋଇଥିବାରୁ ତତ୍‍କାଳୀନ ପ୍ରଧାନମନ୍ତ୍ରୀ ୧୯୭୧ ମସିହାରେ ଲୋକସଭାପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କଲେ । ସେହିପରି ପାଞ୍ଚବର୍ଷ ନପୂରୁଣୁ ଓଡ଼ିଶାରେ ସ୍ୱତନ୍ତ୍ର-ଜନକଂଗ୍ରେସ ମିଳିତ ମନ୍ତ୍ରିମଣ୍ଡଳ ଭାଙ୍ଗିଯାଇ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିବାରୁ ଓଡ଼ିଶା ବିଧାନସଭା ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା । ସେହି ଅନୁସାରେ ଓଡ଼ିଶା ବିଧାନସଭାର ୧୪୦ଟି ଆସନ ଓ ୨୦ଟି ଲୋକସଭା ଆସନ ନିମନ୍ତେ ୧୯୭୧ ମସିହା ମାର୍ଚ୍ଚ ୫ତାରିଖରେ ଭୋଟ ଗ୍ରହଣ କରାଗଲା ।

୧୮୦ . ଓଡ଼ିଶା ରାଜନୀତିର ଇତିହାସ