ପୃଷ୍ଠା:Odisha Rajanitira Itihasa.pdf/୨୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାବରେ ସେହିଦିନ ସର୍ବସମ୍ମତି କ୍ରମେ ନିର୍ବାଚିତ ହେଲେ । ବିଜୁ ପଟ୍ଟନାୟକ ଜନତା ବିଧାୟକ ଦଳର ନେତା ନିର୍ବାଚିତ ହେଲେ । ସେ ବିରୋଧୀ ଦଳ ନେତା ହେଲେ ବୋଲି ୨୨ ତାରିଖ ଦିନ ଘୋଷଣା କରାଗଲା । ବିଜୁ ପଟ୍ଟନାୟକ ପୂର୍ବରୁ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ପରେ ଭୁବନେଶ୍ୱର ବିଧାନସଭା ଆସନରୁ ନିର୍ବାଚିତ ହେବାରୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଇସ୍ତଫା ପ୍ରଦାନ କଲେ । ଭୁବନେଶ୍ୱରର ବିଧାୟକ ହୋଇ ରହିଲେ ।

ଉପନିର୍ବାଚନ ଫଳାଫଳ :

ପୂର୍ବରୁ ନିର୍ବାଚନ ହୋଇ ନଥିବା କାକଟପୁର ଓ କେନ୍ଦୁଝର ବିଧାନସଭା ନିର୍ବାଚନମଣ୍ଡଳୀ ସହ, ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ଛାଡ଼ି ଦେଇଥିବା ଖୋର୍ଦ୍ଧା ବିଧାନସଭା ଆସନ ଓ ବିଜୁ ପଟ୍ଟନାୟକ ଛାଡ଼ିଥିବା କେନ୍ଦ୍ରାପଡ଼ା ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଲା । କାକଟପୁରରୁ ଜନତା

ପାର୍ଟି ପ୍ରାର୍ଥୀ ସୁରେନ୍ଦ୍ରନାଥ ନାୟକ, କେନ୍ଦୁଝରରୁ ଜନତା ପାର୍ଟି ପ୍ରାର୍ଥୀ ଛୋଟରାୟ ମାଝି ଓ ଖୋର୍ଦ୍ଧାରୁ ଜନତା ପାର୍ଟି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ ନିର୍ବାଚନ ଜିତି ବିଧାନସଭାକୁ ନିର୍ବାଚିତ ହେଲେ । କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଉପନିର୍ବାଚନରେ ଜନତା ପ୍ରାର୍ଥୀ ଶରତ କୁମାର ଦେବ ବିଜୟ ଲାଭ କଲେ । ପରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭବେନ୍ଦ୍ର ନାଥ ମାଝିଙ୍କର ୧୯୮୬ ମସିହା ମାର୍ଚ୍ଚ ମାସ ୩ ତାରିଖରେ ପରଲୋକ ଘଟିଲା । ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେଲା ନଭେମ୍ବର ୨୩ ତାରିଖରେ । ଏଠାରୁ ମଧ୍ୟ ଜନତାପାର୍ଟିର ପ୍ରାର୍ଥୀ ଚୈତନ୍ୟ ପ୍ରସାଦ ମାଝି ଉପନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଲେ ।

ଓଡ଼ିଶା ରାଜନୀତିର ଇତିହାସ . ୨୪୭