ପୃଷ୍ଠା:Odisha Rajanitira Itihasa.pdf/୨୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦଳ ପରିବର୍ତ୍ତନ, ସଦସ୍ୟତା ରଦ୍ଦ ଓ ଇସ୍ତଫା:

ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀର ସିପିଏମ୍ ଦଳର ବିଧାନସଭା ସଦସ୍ୟ ରାଧାକାନ୍ତ ସେଠି ୧୯୯୧ ମସିହା ସେପ୍ଟେମ୍ବର ୧୯ ତାରିଖ ରେ ଜଣାଇଲେ ଯେ, ସେ ବିଧାନସଭାରେ ସ୍ୱାଧୀନ ସଦସ୍ୟ ଭାବରେ ରହିବେ । ତା'ପରେ ସେ ଜଣାଇଲେ ଯେ, ସେ ଓଡ଼ିଶା କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଭାବରେ ରହିବେ । ଜନତା ଦଳରୁ ବହିଷ୍କୃତ ହେବା ଫଳରେ ଜଟଣୀ ବିଧାୟକ ଶରତ ଚନ୍ଦ୍ର ପାଇକରାୟ, ସତ୍ୟବାଦୀ ବିଧାୟକ ଚନ୍ଦ୍ରମାଧବ ମିଶ୍ର ଓ ପୁରୀ ବିଧାୟକ ଉମାବଲ୍ଲଭ ରଥ ୧୯୯୫ ମସିହା ଜାନୁଆରି ୧୫ ତାରିଖ ରେ ସ୍ୱାଧୀନ ସଦସ୍ୟ ଭାବରେ ମାନ୍ୟତା ଲାଭ କଲେ । ଜନତାଦଳରୁ ଚିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ବିଶ୍ୱଭୂଷଣ ହରିଚନ୍ଦନ ଓ ଯାଜପୁର ବିଧାୟକ ଜଗନ୍ନାଥ ମଲ୍ଲିକ ଯଥାକ୍ରମେ ବିଧାୟକ ପଦରୁ ଇସ୍ତଫା ପ୍ରଦାନ କଲେ । ଏମାନଙ୍କର ଇସ୍ତଫା ଯଥାକ୍ରମେ ୧୯୯୪ ମସିହା ନଭେମ୍ବର ୬ ତାରିଖ ଓ ନଭେମ୍ବର ୧୬ ତାରିଖରେ ବାଚସ୍ପତି ଗ୍ରହଣ କରିନେଲେ ।

ବାଙ୍ଗିରିପୋଷୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ସ୍ୱାଧୀନ ସଦସ୍ୟ ସୁଦାମ ଚରଣ ମାରାଣ୍ଡିଙ୍କର ସଦସ୍ୟପଦ ସମ୍ବିଧାନର ଧାରା ୧୯୦(୩) ଅନୁଯାୟୀ ୧୯୯୨ ଜାନୁଆରି ୭ ତାରିଖ ଠାରୁ ୩ ବର୍ଷପାଇଁ ରଦ୍ଦ ହେଲା । ସେହିପରି ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ଜନତାଦଳ ବିଧାୟକ କୁମର ବେହେରା ସମ୍ବିଧାନରେ ପରିଚ୍ଛେଦ-୧୦ ଅନୁଯାୟୀ ବିଧାନସଭା ପଦପାଇଁ ଅଯୋଗ୍ୟ ବିବେଚିତ ହେଲେ । ଫଳରେ ତାଙ୍କ ସଭ୍ୟପଦ ୧.୧୨.୧୯୯୪ଠାରୁ ରଦ୍ଦ ହୋଇଗଲା ।

ଏହି ଦଶମ ବିଧାନସଭାରେ ମୋଟ ୧୭ଟି ଅଧିବେଶନ ଅନୁଷ୍ଠିତ ହେବା ସହିତ ୨୩୯ଟି ବୈଠକ ବସିିଥିଲା । ଏହି ବିଧାନସଭା ୧୯୯୫ ମସିହା ମାର୍ଚ୍ଚ ୧୫ ତାରିଖରେ ଭଙ୍ଗ ହୋଇଥିଲା ।

ସରକାରଙ୍କର ସଫଳତା ଓ ବିଫଳତା :

ସରକାର ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କ ନିମନ୍ତେ ଏକତୃତୀୟାଂଶ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କଲେ । ମୁଖ୍ୟମନ୍ତ୍ରୀଙ୍କ ଧ୍ୱନି ହେଲା "ଗାଁକୁ କାମ ଓ ମା'କୁ ସମ୍ମାନ" । ୧୯୯୨ ମସିହାଠାରୁ ବିଜୁବାବୁଙ୍କ ଜନ୍ମଦିନ ମାର୍ଚ୍ଚ ୫ତାରିଖକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରିବା ଆରମ୍ଭ ହେଲା । ଏହି ଦିବସକୁ ମଧ୍ୟ ଛୁଟି ଦିବସ ଭାବରେ ସରକାର ଘୋଷଣା କଲେ । ୧୯୯୨ ମାର୍ଚ୍ଚ ୫ତାରିଖରେ ଭୁବନେଶ୍ୱରଠାରେ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହେଲା । ପଞ୍ଚାୟତିରାଜ ଅନୁଷ୍ଠାନପାଇଁ ମହିଳାମାନଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ଏକ ଉଲ୍ଲେଖନୀୟ ପଦକ୍ଷେପ । ଆଦିବାସୀ ମହିଳାମାନଙ୍କୁ ମଧ୍ୟ ପୋଲିସ କ୍ଷମତା ପ୍ରଦାନ କରାଗଲା । ସର୍ବନିମ୍ନ ମଜୁରିହାର ବୃଦ୍ଧି କରାଗଲା । ଫଳରେ ଗରିବ ଲୋକମାନେ ଉପକୃତ ହେଲେ ।

ତିରିଶଟି ଜିଲ୍ଲା ସୃଷ୍ଟି :

ଓଡ଼ିଶାରେ ଥିଲା ୧୩ଟି ଜିଲ୍ଲା । ଏହି ସରକାର ସମୁଦାୟ ଜିଲ୍ଲା ସଂଖ୍ୟା ୩୦କୁ ବୃଦ୍ଧି କଲେ । ଏହା ଥିଲା ଏକ ରାଜନୈତିକ ନିଷ୍ପତ୍ତି । କଟକ, କୋରାପୁଟ, ସମ୍ବଲପୁର ଜିଲ୍ଲାମାନଙ୍କୁ

୨୬୬ ଓଡ଼ିଶା ରାଜନୀତିର ଇତିହାସ