ପୃଷ୍ଠା:Odisha Rajanitira Itihasa.pdf/୨୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ମନ୍ତ୍ରିମଣ୍ଡଳ ଗଠନ :

ଏହି ନିର୍ବାଚନରେ କଂଗ୍ରେସର ଐତିହାସିକ ବିଜୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଦେଲା । କାରଣ କଂଗ୍ରେସ ଦଳ ୧୪୭ଟି ଆସନରୁ ୧୧୭ଟି ଆସନରେ ବିଜୟୀ ହେଲା । ଏହା ପୂର୍ବରୁ ରାଜ୍ୟ ବିଧାନସଭା ନିର୍ବାଚନରେ କୌଣସି ଦଳ ଏପରି ସଫଳତା ହାସଲ କରି ନ ଥିଲା । କଂଗ୍ରେସ ଦୁଇ ତୃତୀୟାଂଶରୁ ଅଧିକ ଆସନ ଲାଭ କଲା । ଏହି ସମୟରେ ଜାନକୀବଲ୍ଲଭ ପଟ୍ଟନାୟକ ଥିଲେ ପ୍ରଦେଶ କଂଗ୍ରେସ କମିଟିର ସଭାପତି । ଜାନକୀବାବୁ ଏହି ସମୟରେ କେନ୍ଦ୍ରରେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ଥିଲେ ଶ୍ରମ, ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ବିଭାଗର କ୍ୟାବିନେଟ ମନ୍ତ୍ରୀ । ତାଙ୍କ ନେତୃତରେ ଖୁସିହୋଇ ଇନ୍ଦିରା ଗାନ୍ଧୀ ଜାନକୀବାବୁଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାପାଇଁ ଅନୁମୋଦନ କଲେ । ଫଳରେ ଜାନକୀବାବୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ଓଡ଼ିଶା ବିଧାନସଭାର କଂଗ୍ରେସ (ଇ) ବିଧାୟକ ଦଳର ନେତା ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହେଲେ । ୧୯୮୦ ମସିହା ଜୁନ୍‍ ୯ତାରିଖ ଦିନ ଜାନକୀବାବୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ଓଡ଼ିଶାର ତତ୍‍କାଳୀନ ମାନ୍ୟବର ରାଜ୍ୟପାଳ ଚେପ୍ପଦିରା ମୁଥାନା ପୁନାଚା (ସି.ଏମ.ପୁନାଚା) ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ଶପଥ ଗ୍ରହଣ କରାଇଲେ । ଜାନକୀ ବାବୁଙ୍କ ମନ୍ତ୍ରିମଣ୍ଡଳରେ ରହିଲେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୮ଜଣ କ୍ୟାବିନେଟ ମନ୍ତ୍ରୀ, ଦଶଜଣ ରାଷ୍ଟ୍ରମନ୍ତ୍ରୀ ଓ ଜଣେ ଉପମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ନାମ ଓ ବିଭାଗମାନ ହେଲା

୨୦ . ଓଡ଼ିଶା ରାଜନୀତିର ଇତିହାସ