ପୃଷ୍ଠା:Chha mana atha guntha.pdf/୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦ୍ୱିତୀୟ ପରିଚ୍ଛେଦ

ସ୍ୱନାମ ପୁରୁଷ ଧନ୍ୟଃ:

ମଙ୍ଗରାଜେ ଗରିବ ପୁଅ ଥିଲେ । ଶୁଣାଅଛି, ସାତବର୍ଷ ବୟସରେ ସେ ଛେଉଣ୍ଡ ହୋଇ ବୁଲୁଥିଲେ । ପଇସା ଅଭାବକୁ ବାପର ଶୁଦ୍ଧ ହୋଇନାହିଁ । ଚାଳକୁ ନଡ଼ା ନ ଉଠିବାରୁ କାନ୍ଥ ପଡ଼ିଯାଇଥିଲା । ଏହାଙ୍କ ବାଲ୍ୟଜୀବନ, ବିଦ୍ୟାଶିକ୍ଷା, କର୍ମକ୍ଷେତ୍ରରେ ପ୍ରବେଶ ପ୍ରଭୁତି ଘଟଣାମାନ ବିଚିତ୍ର ରକମର । ଜଗତର କୌଣସି ପ୍ରଧାନ ଲୋକଙ୍କ ଜୀବନ ଚରିତ ଅଲୌକିକ ଘଟଣାଶୂନ୍ୟ ନୁହେଁ । ସେ ସବୁ କଥା ଲେଖିବାକୁ ଗଲେ ଢେର କାଗଜ କଲମ, ଢେର ସମୟ ଆବଶ୍ୟକ ମାତ୍ର ପରିମିତବ୍ୟୟିତା ଯେ ଗୋଟିଏ ମହତ୍ ଗୁଣ, ଏ ବିଷୟରେ ଆମ୍ଭମାନଙ୍କର ଶିକ୍ଷାଗୁରୁ ମଙ୍ଗରାଜେ । ଅର୍ଥନୀତି ସମ୍ବନ୍ଧରେ ମହାପଣ୍ଡିତ ବେଞ୍ଜାମିନ ଫ୍ରାଙ୍କଲିନ ଯେଉଁ ଉପଦେଶ ଦେଇଯାଇଛନ୍ତି, ସେଥିର ମର୍ମ ଆମ୍ଭେମାନେ ଠିକେ ଠିକେ ସବୁକଥା ଲେଖି ମଙ୍ଗରାଜ ଅର୍ଥନୀତିର ମର୍ଯ୍ୟାଦା ରକ୍ଷା କରିବାକୁ ଚେଷ୍ଟା କରିବୁଁ । ମଙ୍ଗରାଜଙ୍କ ଜମିଦାରୀ ନାମ ଫତେପୁର ସରଷଣ୍ଢ, ସଦରଜମା ପାଞ୍ଚ ହଜାର, ଅଠେଇଶ ବାଟି ବାହେଲ ଲାଖରାଜ, ବାଜିଆପ୍ତି ପନ୍ଦର ବାଟି ସତାଇଶ ମାଣ, କିମ୍ବା ଜାଣ, ଏଥିର ଜଣେ ସାତ ମାଣିଆ ସରିକଦାର ଥିବାର ଜଜ୍ ଅଦାଲତରେ ଅପିଲ ଦାୟର ଅଛି । ଲୋକେ କହନ୍ତି ଚାଳିଶ ପଚାଶ ହଜାର ଟଙ୍କା ମହାଜନୀରେ ଖେଳୁଅଛି । ବଡ଼ଲୋକ ଘରକଥା ବଡ଼ ଶୁଭେ । ଆମ୍ଭେମାନେ ଅନୁମାନ କରୁଁ ୧୫ ହଜାରରୁ ବେଶିନୁହେଁ । ମିଥ୍ୟା କଥା କହିବା ଆମ୍ଭମାନଙ୍କର ଧର୍ମନୁହେଁ । ଇନକମ୍ ଟିକସ ଇଲାକା ପିଆଦାଠାରୁ ଶୁଣି ଏକଥା କହୁଅଛୁ । ଧାନ ମହାଜନୀ କାଗଜ କୋଡ଼ିଏ ବରଷ ହେଲା ରଫା ହୋଇନାହିଁ । ଏଥର ସଠିକ ହିସାବ ଦେବାକୁ ଅକ୍ଷମ । ଗଲାଅଙ୍କ ସୁନିଆଁ ବାହାରେ ଧାନଘରିଆ ଯେଉଁ ପାଞ୍ଜି ଦାଖଲ କରିଥିଲା, ସେଥି ମଥୋଟରୁ ଆମ୍ଭେମାନେ ଜାଣିଅଛୁ ଯେ, ଦୁଇ ହଜାର ସାତ ଭରଣ ପନ୍ଦର ନଉତି ଛ ବିଶ୍ୱା ଦୁଇ କାଣି ଧାନ ଅମାରରେ ଜମା ଅଛି । ଘର ପାଞ୍ଚ ପରସ୍ତ । ତିନି