ନମସ୍ତେ ନମସ୍ତେ ପ୍ରଭୁ ଭକତ ବତ୍ସଳ

ଉଇକିପାଠାଗାର‌ରୁ

ନମସ୍ତେ ନମସ୍ତେ ପ୍ରଭୁ ଭକତ ବତ୍ସଳ
ବିଷୟ
ରାଗ କଳସା

ନମସ୍ତେ ନମସ୍ତେ ପ୍ରଭୁ ଭକତ ବତ୍ସଳ ।
ନମୋ ପତିତପାବନ ପ୍ରଭୁ ଆଦିମୂଳ ।୧।

ନମୋ ନମୋ ଶୋକତାପ ହାରୀ ଦଇତାରି ।
ଦୁଃଖୀ ଦୁଃଖ ହର କରେ ଶଙ୍ଖ ଚକ୍ର ଧରି ହେ ।୨।

ଯୁଗେ ଯୁଗେ ଅସୁର ନାଶନେ ତୁମ୍ଭ ଜାତ ।
ରାବଣ ବିନାଶି କଷ୍ଟ ଫେଡ଼ିବା ତ୍ୱରିତ ହେ ।୩।

ଅଶେଷ ମହିମା ପ୍ରଭୁ ଅଟଇ ତୁମ୍ଭର ।
ବେଦ ଉଦ୍ଧରି ଧରିଲ ମୀନ କଲେବର ହେ ।୪।

ମନ୍ଦର ଧାରଣ କରି କୂର୍ମ ଅବତାରେ ।
ଦୈତ୍ଯ ପରାଜୟ କଲ ମୋହିନୀ ରୂପରେ ହେ ।୫।

ବରାହ ରୂପରେ ଦନ୍ତେ ଧରିଲ ଧରଣୀ ।
ହରିଣାକ୍ଷ ନାଶିଲ ନୃସିଂହ ରୂପେ ପୁଣି ହେ ।୬।

ବାମନ ରୂପରେ ତ୍ରୟପାଦ ଭୂମିଦାନ ।
ମାଗି ବଳି ନୃପେ ଦେଲ ପାତାଳରେ ସ୍ଥାନ ହେ ।୭।

ଏହି ପରି ଅବତାର ଦେବେ ଅଗୋଚର ।
ରାବଣ ବିନାଶି ପ୍ରଭୁ ମହୀ ଭାରା ହର ହେ ।୮।

ତୁମ୍ଭେ ଗୋଳକର ପତି ଅଗତିର ଗତି ।
ଏ ଘୋର ସଙ୍କଟୁ ଦେବ କରିବାକୁ ମୁକ୍ତି ହେ ।୯।

ଏହି ରୂପେ ସ୍ତୁତି କରନ୍ତେଣ କୁଶପାଣି ।
ଶୁଣି ତୋଷ ହେଲେ ପ୍ରଭୁ ପଦ୍ମନାଭ ଭଣି ହେ ।୧୦।