ପୃଷ୍ଠା:Odisha Rajanitira Itihasa.pdf/୩୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କେତେ ବର୍ଷ ହେବ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ବସାଇ ନାହାନ୍ତି, ସେ ପୁଣି ମୋତେ ସସ୍‍ପେଣ୍ଡ୍‍ କରିବେ ?'

ଦଳରୁ ପ୍ୟାରୀଙ୍କୁ ନିଲମ୍ବନ ଏବଂ
ଅଞ୍ଜଳି, ସଂଜୀବ ଓ ସାରଦାଙ୍କୁ ମନ୍ତ୍ରୀପଦରୁ ବରଖାସ୍ତ:

୩୧-୫-୨୦୧୨ରେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ୟାରୀମୋହନ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କଲେ । ମନ୍ତ୍ରୀ ଅଞ୍ଜଳି ବେହେରା ଓ ସଂଜୀବ ସାହୁଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବାପାଇଁ ମଧ୍ୟ ରାଜ୍ୟପାଳଙ୍କୁ ସୁପାରିଶ କଲେ । ମୁଖ୍ୟମନ୍ତ୍ରୀଙ୍କ ସୁପାରିଶକୁ ରାଜ୍ୟପାଳ ଅନୁମୋଦନ କଲେ । ଅଞ୍ଜଳିଙ୍କ ହାତରେ ଥିବା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓ ସଂଜୀବଙ୍କ ହାତରେ ଥିବା ପରିବହନ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଲେ । ସେହିପରି ୪-୬-୨୦୧୨ରେ ମନ୍ତ୍ରିମଣ୍ଡଳରୁ ସାରଦା ନାୟକଙ୍କୁ ବରଖାସ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ସୁପାରିଶ କଲେ । ମୁଖ୍ୟମନ୍ତ୍ରୀଙ୍କ ସୁପାରିଶକୁ ରାଜ୍ୟପାଳ ଅନୁମୋଦନ କରିଦେଲେ । ବରଖାସ୍ତ ମନ୍ତ୍ରୀ ସାରଦା ନାୟକଙ୍କ ହାତରେ ଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ମୁଖ୍ୟମନ୍ତ୍ରୀ ନିଜ ହାତରେ ରଖିଲେ ଏବଂ ଅବକାରୀ ବିଭାଗ ଦାୟିତ୍ୱ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କୁ ପ୍ରଦାନ କଲେ ।

ଏନ୍‍.ସି.ପି. ବିଧାୟକମାନେ ବିଜେଡ଼ିରେ ମିଶିଲେ :

ଓଡ଼ିଶାରେ ନ୍ୟାସ୍‍ନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‍.ସି.ପି.) ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ସହ ମେଣ୍ଟ କରି ଚାରିଟି ଆସନରେ ବିଜୟୀ ହୋଇଥିଲା । ଏହି ଦଳରୁ ଚାରିଜଣ ସଦସ୍ୟ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଶାସକ ବିଜୁ ଜନତା ଦଳର ସହଯୋଗୀ ଭାବରେ କାର୍ଯ୍ୟ କରୁଥିଲେ । ହେଲେ ୨୦୧୨ ମସିହା ଜୁନ୍ ୫ ତାରିଖରେ ଏହି ବିଧାୟକମାନେ ନିଃସର୍ତ୍ତ ଭାବରେ ବିଜୁ ଜନତା ଦଳରେ ମିଶିଗଲେ ବୋଲି ଘୋଷଣା କଲେ । ଏମାନଙ୍କ ସହ ଏନ୍.ସି.ପି. ଓଡ଼ିଶା ଶାଖାର ସାଧାରଣ ସଂପାଦକ ମନୋଜ ଚୌଧୁରୀ ମଧ୍ୟ ବିଜେଡ଼ି ସହିତ ମିଶିଗଲେ । ଫଳରେ ଓଡ଼ିଶା ବିଧାନସଭାରେ ବିଜୁ ଜନତା ଦଳର ସଦସ୍ୟ ସଂଖ୍ୟା ୧୦୪ରୁ ୧୦୮କୁ ବୃଦ୍ଧିପାଇଲା । ନାସ୍‌ନାଲିଷ୍ଟ କଂଗ୍ରେସ ପାର୍ଟିର ଓଡ଼ିଶା ବିଧାନସଭାର ସଦସ୍ୟମାନେ ହେଲେ ଅମର ଶତପଥୀ (ବଡ଼ଚଣା), ପ୍ରଶାନ୍ତ ନନ୍ଦ (ବେଗୁନିଆ), ନବୀନ ଚନ୍ଦ୍ର ନନ୍ଦ (ଢେଙ୍କାନାଳ) ଓ ରାମଚନ୍ଦ୍ର ହାଁସଦା (ସାରସକଣା) ।

ତୃତୀୟଥରପାଇଁ ନବୀନଙ୍କ ମନ୍ସିମଣ୍ଡଳରେ ଅଦଳ ବଦଳ :

ତୃତୀୟ ଥରପାଇଁ ଓଡ଼ିଶା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଓ ଅଦଳ ବଦଳର ଅବ୍ୟବହିତ ପୂର୍ବରୁ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପ୍ରଫୁଲ୍ଲ ସାମଲ, ପୁଷ୍ଟେନ୍ଦ୍ର ସିଂହଦେଓ, ପ୍ରତାପ ଜେନା ଓ

ଓଡ଼ିଶା ରାଜନୀତିର ଇତିହାସ . ୩୨୭