ପୃଷ୍ଠା:Bikalpa Biswa.pdf/୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଧର୍ମାନ୍ତରୀକରଣ :

ସାପ ନା ପାଳଦ‌ଉଡ଼ି ?

ଗତ ତିନି ବର୍ଷ ଧରି ଦରିଦ୍ର କନ୍ଧମାଳକୁ କୁରୁକ୍ଷେତ୍ରରେ ପରିଣତ କରିଥିବା ସଂଗଠନମାନଙ୍କର ଏବେ ଆତ୍ମ-ସମୀକ୍ଷାର ବେଳ ଉପସ୍ଥିତ । ଭୋକର ଭୂଗୋଳରେ ସ୍ଥାନ ପାଇଥିବା ମାଲକାନଗିରି, ଗଜପତି, ରାୟଗଡା ଓ କନ୍ଧମାଳରେ କ୍ଷୁଧା ବିରୋଧରେ ଯୁଦ୍ଧ ପରିବର୍ତ୍ତେ ଜାତି, ସମ୍ପ୍ରଦାୟର ଧର୍ମଯୁଦ୍ଧ ଚାଲିଛି । ଖ୍ରୀଷ୍ଟ ଓ କୃଷ୍ଣ ଉଭୟେ ତାଙ୍କ ଭକ୍ତଙ୍କ ଆଚରଣ ଦେଖି ବ୍ୟଥିତ ହେଉଥିବେ । କଲେଶପେଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କ ଶିଷ୍ୟମାନଙ୍କୁ ବର୍ବରୋଚିତ ଭାବରେ ହତ୍ୟା କରିଥିବା କାପୁରୁଷମାନେ ଏବେ ନାଗପୁରର ଚର୍ଚ୍ଚଗୁଡିକ ଉପରେ ଆକ୍ରମଣ କରି ନିଜକୁ ମାଓବାଦୀ ଓ ନକ୍ସଲବାଦୀ ବୋଲି କହୁଛନ୍ତି ।

କୃଷ୍ଣ, ଖ୍ରୀଷ୍ଟ, ମାର୍କ୍ସ, ଲେନିନ୍ ଓ ମାଓଙ୍କ ନାଁରେ ଯେଉଁମାନେ ହିଂସା ଓ ହତ୍ୟା କରୁଛନ୍ତି, ସେମାନେ ଏହି ମହାପୁରୁଷମାନଙ୍କ ଦର୍ଶନ କେତେ ବୁଝିଛନ୍ତି, ସନ୍ଦେହ ହୁଏ । ପୁରାଣରେ ଧର୍ମଗୁରୁ ଓ ଧର୍ମାନୁଷ୍ଠାନ ଉପରେ ହମ୍‌ଲା କରୁଥିବା ଲୋକଙ୍କୁ ରାକ୍ଷସ ବୋଲି ବର୍ଣ୍ଣନା କରାଯାଇଛି । ଏପରିକି ନକ୍ସଲ ଆନ୍ଦୋଳନର ଜନକ ଓ ନେତା ଚାରୁ ମଜୁମଦାର, କାହ୍ନୁ ସାନ୍ୟାଲ୍, ଜଙ୍ଗଲ ସାନ୍ତାଳ ଓ ନାଗଭୂଷଣ ପଟ୍ଟନାୟକ; ମଠ ମନ୍ଦିର, ଚର୍ଚ୍ଚ ଆକ୍ରମଣରୁ ଦୂରରେ ରହି ଶୋଷଣ, ଦୁର୍ନୀତି, ଅତ୍ୟାଚାର ବିରୋଧରେ ଲୋକମାନଙ୍କୁ ସଚେତନ ଓ ସଂଗଠିତ କରୁଥିଲେ । ମାଓ ଧର୍ମକୁ ଅଜ୍ଞାନଙ୍କ ଅଫିମ କହି ସମାଲୋଚନା କରୁଥିଲେ, କିନ୍ତୁ ଧର୍ମଗୁରୁଙ୍କୁ ହତ୍ୟା କରୁନଥିଲେ ।

ବ୍ୟକ୍ତିଙ୍କୁ ହତ୍ୟା କଲେ ତାଙ୍କ ବିଚାରଧାରା ମରିଯାଏ ନାହିଁ, ଆହୁରି ବଳିଷ୍ଠ ଓ ବ୍ୟାପକ ହୁଏ । ଶ୍ରୀକୃଷ୍ଣଙ୍କୁ ଜନ୍ମରୁ ମାରିବାପାଇଁ ବାରମ୍ବାର ଚେଷ୍ଟା ହୋଇଥିଲା । ଯୀଶୁଙ୍କୁ


ବିକଳ୍ପ ବିଶ୍ୱ ୨୩