ପୃଷ୍ଠା:Chha mana atha guntha.pdf/୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଟାଙ୍ଗୀ ମାଉସୀ :

ଆଜି ସ୍ନାନ ପୂର୍ଣ୍ଣୀମା, ଜ୍ୟେଷ୍ଠମାସିଆ ଦିନ, ଭାରୀ ଖରା, ମହାପ୍ରଭୁ ଅଣସରକୁ ଯାଇଛନ୍ତି, ଭାରୀ ଗୁଳୁଗୁଳି । ଆଜକୁ ଅଢ଼େଇ ମାସ ହେଲା ଟୋପାଏ ପାଣି ଦେଖିବାକୁ, ନାହିଁ । ପବନ ଗୁମସୁମ କରି ରହିଅଛି, ଖୁଣ୍ଟା ଗଛଗୁଡ଼ାକ ଜଗନ୍ନାଥ ମହାପ୍ରଭୁଙ୍କ ଆଗରେ ଗରୁଡ଼ଖମ୍ବ ପରି ଛିଡ଼ା ହୋଇଅଛନ୍ତି । ଆଉ ଗଛ ଥାଉ, ଅଶ୍ୱତ୍‌ଥପତ୍ର ଗୋଟିଏ ମଧ୍ୟ ଖସ କରିବାକୁ ନାହିଁ । ଦାଣ୍ତ ବାଲିଗୁଡ଼ାକରେ ମୁଠାଏ ଧାନ ପକାଇ ଦେଲେ ଚଡ଼ଚଡ଼ କରି ଖଇ ଫୁଟିଯିବ । ଗାଆଁର ବୁଲା କଳୀତିଳକୀ କୁତୀଟା ପୋଖରୀପଙ୍କରେ ପଡ଼ି ଲଟଲଟ ହେଉଅଛି, ଆଉ ଡେମ୍ଫେ ଜିଭଟା କାଢ଼ିପକାଇ ଧକାଉ ଅଛି । ପାଣିକି ଯାଉ ନାହିଁ । ପାଣିଗୁଡ଼ାକ ତାତିଯାଇଛି ନା କଣ ? ପଡ଼ିଆରେ ଗୋଟାଏ ମଧ୍ୟ ଗୋରୁ ବାଛୁରୀ ନାହାନ୍ତି; ଗଛମୂଳରେ ଶୋଇପଡ଼ି ବୈଷ୍ଠବମାନେ ମାଳ ଝୁଲି ଧରି ହରିନାମ ଭଜିଲାପରି ଆଖି ବୁଜି ପାକୁଳି କରୁଅଛନ୍ତି । ଆକାଶରେ ଗୋଟିଏ କାଉ କୋଇଲି ଉଡ଼ିବାକୁ ନାହିଁ, ପତ୍ର ମଧ୍ୟରେ ଲୁଚି ଆଁ କରି ବସିଅଛନ୍ତି । ମୁଣ୍ତଫଟା ଖରା; ଦିନ ତିନିପ୍ରହର ଗଡ଼ିଲାଣି; ତଥାପି ଆକାଶରୁ ନିଆଁ ଛିଡୁଛି ।

ହଁ ମେରା ଭାଇରେ ହୁଂ ହୁଁ
ଖବରଦାରିରେ ହୁଂ ହୁଁ
ଜୋର କରି ରେ ହୁଂ ହୁଁ;
ଡାହାଣେ ଧର ରେ ହୁଂ ହୁଁ;
ବାଁ କୁ ଛାଡ଼ି ରେ ହୁଂ ହୁଁ;
ଖଡ଼ପା ଖଡ଼ପା ଖଡ଼ପା -

ରତନପୁର ମୌଜା ଗୋହିରୀରେ ଗଉଡ଼ ଡାକ ଶୁଭିଲା । ଆଗରେ ଗୋଟାଏ ଡୋଲି, ପଛଲାଗି ପାଞ୍ଚଟା ଭାର ଚାଲିଅଛି । ଡୋଲିଟା ଦଶିଆ