ପୃଷ୍ଠା:Chha mana atha guntha.pdf/୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗାଁ ମାଇକିନିଆମାନେ ଦେଖିବାକୁ ଧାଇଁଲେ, ରେବତୀ, ଶୁକୁରୀ, ଶଂକ୍‌ରି, ମାଳିଆ, ଜେମା ମା, ଭୀମା, ମାଉସୀ, ହଗୁରାମା, ସୋରୀ, ମେଙ୍କୀ, କନକ, ନେତଜେଜୀ, ସବୀ, କମଳୀ, ପଦିଅପା, ଶାମାବୋହୂ, ନଳିତ, ବିଷ୍କା, ସୁମିତ୍ରା, ଗଉଡ଼ ଘର କନିଆ ବୋହୂ; କେହି ପିଲା କାଖେଇ, କେହି ପିଲା ହାତ ଧରି ଚଲାଇ, କେହି ଜଣକ ପଛରେ, କେହି ଏକାକିନୀ ଧାଇଁ ଅଛନ୍ତି । ସୁମିତ୍ରାଘର ଲିପୁଥିଲା, ଛୂଞ୍ଚ ପାଣି ହାତ ଧୋଇବାକୁ ବେଳନାହିଁ, ସାପ ଫଣା ପରି ହାତଟି ଟେକିଅଛି । ବାଘସିଂ ଅଗଣା ପୂରିଗଲା । ଦେବୀ ପ୍ରତିମା ଦେଖିଲାପରି ମାଇକିନିଆମାନେ ଏକ ଧ୍ୟାନରେ ମାଉସୀଙ୍କ ରୂପମାଧୁରି ଅନୁଭବ କରୁଅଛନ୍ତି ; କିନ୍ତୁ ବନିଆ, ବଙ୍କିଆ, କାଳିଆ, ବନମାଳିଆ, ଗୋପାଳିଆ, ରାମିଆ, ଉମେଶିଆ, କାଶୀ, ଦୈତାରୀ ପ୍ରଭୃତି ଗ୍ରାମର ଦୁଷ୍ଟପିଲା ଗୁଡ଼ାକ ମାଉସୀଙ୍କ ସୌନ୍ଦର୍ଯ୍ୟ ଦର୍ଶନ ବିଷୟରେ ମନ ଯୋଗ ନକରି ବିରାଡ଼ି ଶୁଖୁଆ ଖାଳେଇକୁ ଅନେଇଲାପରି ବାହାରେ ଥୁଆ ହୋଇଥିବା ପାଚିଲା କଦଳୀ, ପାଚିଲା ଆମ୍ବକୁ ଅନେଇ ରହିଛନ୍ତି । ଏହା ଯେ ସଭ୍ୟତାର ଏକ ନୀତିଶାସ୍ତ୍ର ବିରୁଦ୍ଧ କାର୍ଯ୍ୟ ସେଥିରେ ସନ୍ଦେହ ନାହିଁ । ଆଉ ସେମାନଙ୍କର ବୃତ୍ତରେଖାକ୍ରମ ଗତିରେ ଯେପରି ସଙ୍କୋଚଭାବ ଧାରଣ କରି ଆସୁଥିଲା, ବୁଦ୍ଧିମତୀ ମାଣିକ ସେଥରେ ପ୍ରଚ୍ଛନ୍ନ ଅସଦାଭିପ୍ରାୟ ହୃଦୟଙ୍ଗମ କରି ଈଷତ୍ ତର୍ଜନ ପୂର୍ବକ ଡାହାଣ ହାତ ହଲାଇ ସେମାନଙ୍କୁ ଅପସାରିତ କରିଦେଇ ନ ଥିଲେ, ଗୋଟାଏ ଲୁଟତରାଜ ମାମଲା ଉକୁ ହେବାର ଖୁବ୍ ସମ୍ଭାବନା ଥିଲା ।

ବୋହୂମାଉସୀ ମୁଣ୍ତରେ ମା ମଙ୍ଗଳା ପରି ମୁଣ୍ତାଏ ସିନ୍ଦୂର, ଆଖିରେ କଜ୍ଜ୍ୱଳ, ନାକରେ ଗୁଣା, ତାପରେ ନାଟ ମୟୂର, ବାଁ ପୁଡ଼ାରେ ବସଣି, ଦୁଇ କାନରେ ବଡ଼ ବଡ଼ ଦୁଇଟା କାପ, ବେକରେ ଚାପସରୀ, ତା ତଳେ ପାଟ ସୂତାରେ ଗୁନ୍ଥାମାଳେ କୁରୁଜାତକ, ବାହୁରେ ବିଦ, ହାତରେ ପଇଞ୍ଚି, ତାହା ଉପରେ କଟା, ତାହା ଉପରେ ଚୂଡ଼ି, ହାତ ପାଞ୍ଚ ଆଙ୍ଗୁଳିରେ ରୂପା ଛାପମୂଦି, ସାତ ଗୋଟା ଗୋଡ଼ରେ ଚବିଶପଳ ଓଜନରେ ଦୁଇଟା କଂସା ବାଙ୍କ, ଗୋଡ଼ ଦଶ ଆଙ୍ଗୁଳିରେ ଝୁଣ୍ଟିଆ । ମୁଣ୍ତରେ ଦଶବାର କୋରାପାଟ ଥୋପରେ ବିଶାଳ ଜୁଡ଼ା, ତାହା ଉପରେ ତିନିଟା ବେଙ୍ଗପାଟିଆରେ ତିନିକେରା ଶିକୁଳିଲଗା