ପୃଷ୍ଠା:Semananka piladina.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଡିସେମ୍ବର ମାସ ଆରମ୍ଭରେ ହେଲା । ନନା ଓ ମାଷ୍ଟ୍ରେମାନେ ଅଧିକାଂଶ ବାଟ କାନ୍ଧରେ ବସାଇ ନେଇଯାଇଥିଲେ । ପରୀକ୍ଷା ଆରମ୍ଭ ହେବାର ଦୁଇଦିନ ଆଗରୁ ମୁଁ ଆମ ଗାଁ ଛାଡ଼ିିଥିଲି । ଓଚିନ୍ଦା ଦାଶଙ୍କ ବନ୍ଧୁ ଚଇନୀ ଘର ନରୁଆରେ ଥିଲା । ଆମେ ପ୍ରଥମ ଦିନ ରାତିରେ ତାଙ୍କ ଘରେ ରହିଲୁ । ଦ୍ୱିତୀୟ ଦିନ ମଣିଜଙ୍ଗାରେ ପହଞ୍ଚିଲୁ । ଲକ୍‍ପୋଲ ପାଖରେ ବସାଘର କରିିଥିଲୁ । ପାଣି ଘୁ ଘୁ ହୋଇ ପଡ଼ୁଥିବାରୁ ରାତିରେ ନିଦ ହେଲାନାହିଁ । ତା' ପରଦିନ ପରୀକ୍ଷା । ଗୋଟିଏ ଦିନ ମାତ୍ର ପରୀକ୍ଷା ହେଲା । ଅଙ୍କରେ ମୋର ସବୁ ଉତ୍ତର ଠିକ୍‍ ହୋଇଛି ବୋଲି ମାଷ୍ଟ୍ରେ ଜାଣିପାରି କହିଲେ, 'ମୁଁ ନିଶ୍ଚୟ ବୃତ୍ତି ପାଇବି । ଆମେ ଫେରିବା ବେଳେ ଝଙ୍କଡ଼ ବାଟେ ଶାରଳା ଠାକୁରାଣୀଙ୍କୁ ଦର୍ଶନ କରି ଗୁହାରି ଜଣାଇ ଆସିଲୁ । ସେଥର ମୁଁ ବୃତ୍ତି ପାଇଥିବାଯୋଗୁଁ ନନା ମୋର ସବୁ ପରୀକ୍ଷା ବେଳେ ଶାରଳା ଠାକୁରାଣୀଙ୍କୁ ଗୁହାରି କରୁଥିଲେ । ନୀଳକଣ୍ଠେଶ୍ୱରଙ୍କଠାରେ ମଧ୍ୟ ଜଳଛାୟା ହେଉଥିଲା ।

ପରୀକ୍ଷା ଦେବା ଥିଲା ମୋ କାମ । ମୁଁ ସେତକ ସାରି ଦେଇ ଆସିଥିଲି । ଫଳ ବାହାରିବା କଥା ମୋତେ ଜଣା ନଥିଲା । ମାଷ୍ଟ୍ରେ ନନା ଓ ପୋଷ୍ଟମାଷ୍ଟର ଦୟାନିଧି ନନ୍ଦ (ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଲୋକନାଥ ନନ୍ଦଙ୍କ ପିତା) ପରୀକ୍ଷା ଫଳ ବିଷୟରେ ଜାଣିିଥିଲେ । ଡିସେମ୍ବର ମାସ ଶେଷ ସପ୍ତାହରେ ମୁଁ ଗାଁ ବ୍ରାହ୍ମଣମାନଙ୍କ ସହିତ ଗୋଟିଏ ଅବ୍ରାହ୍ମଣର ଶୁଦ୍ଧିକ୍ରିୟାରେ ଚୁଡାଦହି ଖାଇବାକୁ ଯାଇଥିଲି । ରାତି ୮ଟା ବେଳକୁ ଫେରିଲୁ । ନୀଳକଣ୍ଠେଶ୍ୱର ମନ୍ଦିର ପାଖରେ ଜଣେ ନନାଙ୍କୁ କହିଲା ଯେ, ମୋ ନାଁରେ ଗୋଟିଏ ଲମ୍ବ ଚିଠି ଆସିଛି ବୋଲି ପୋଷ୍ଟମାଷ୍ଟର ନିଧିଆ ପିଇସା କହୁଥିଲା । ମୋତେ କୁଆଡେ଼ ସରକାର ଟଙ୍କା ଦେବେ ବୋଲି ସେଥିରେ ଲେଖାଥିଲା ବୋଲି ସେ କହିଲା । ମୁଁ ଗାଁକୁ ଆସିଲି । ନନା ମାଷ୍ଟ୍ରଙ୍କ ପାଖକୁ ଯାଇ ବୁଝିଲେ ଯେ, ମୁଁ ମାସିକ ତିନି ଟଙ୍କା ହିସାବରେ ବୃତ୍ତି ପାଇଛି । ବାଲିକୁଦା ମଧ୍ୟ ଇଂରାଜୀ ମାଇନର ସ୍କୁଲ୍‍ରେ ନାମ ନ ଲେଖାଇଲେ ସେ ଟଙ୍କା ମିଳିବ ନାହିଁ । ତେଣୁ ମୋତେ ଚାରି ବର୍ଷ ବାଲିକୁଦାରେ ରହିବାକୁ ପଡ଼ିବ । ନନା ଏକା ବୋଉକୁ କହୁଥିବା ବେଳେ ମୁଁ ଶୁଣିପାରି ଭୋ କରି କାନ୍ଦି ଉଠିଲି । ମୁଁ ବୋଉକୁ କହିଲି, ତାକୁ ଛାଡ଼ି ମୁଁ ଚାରିବର୍ଷ କାଳ ବାଲିକୁଦାରେ ରହିପାରବି ନାହିଁ । ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ପଢ଼ିବାବେଳେ ଦିନେ ଦିନେ ବୋଉ ପାଖରୁ ଯିବି ନାହିଁ ବୋଲି ଜିଦ୍‍ କରି ସକାଳ ହେବା ମାତ୍ରେ ଭାତହାଣ୍ଡିକୁ ଧରି ଠିଆ ହେଉଥିଲି । ବ୍ରାହ୍ମଣ ଘରେ କେହି ଅଗାଧୁଆ ଭାତହାଣ୍ଡିକୁ ଛୁଅଁନ୍ତି ନାହିଁ । ତେଣୁ ନନା କି ବୋଉ କେହି ମୋତେ ଭାତହାଣ୍ଡି ପାଖରୁ ଅଗାଧୁଆ ଟାଣି ନେଇ ପାରିଲେ ନାହିଁ । ତେଣୁ ଭାତହାଣ୍ଡି ଥିଲା ସ୍କୁଲ୍‍କୁ ନଯିବା ଲାଗି ସର୍ବଶ୍ରେଷ୍ଠ ଆଶ୍ରୟସ୍ଥଳ । ଥରେ ନନା ବିରକ୍ତ ହୋଇ ଗାଧୋଇ ଆସି ଭାତହାଣ୍ଡିରୁ ଛଡ଼ାଇ ନେଇ ଫୋପାଡି ଦେଲେ ଯେ ମୁଣ୍ଡ ମାଟିରେ ବାଜି ଫୁଲିଗଲା । ବୋଉ ବହେ କାନ୍ଦିଲା ଓ କହିଲା, ପୁଅ ପାଠ ପଢ଼ିବ ନାହିଁ କି ଏ କଂସ କଚଡ଼ା ଖାଇବ

୪୮ ସେମାନଙ୍କ ପିଲାଦିନ