ପୃଷ୍ଠା:Chha mana atha guntha.pdf/୯୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସପ୍ତଦଶ ପରିଚ୍ଛେଦ

କିପରି ଘର ପୋଡ଼ିଲା :

ଆଜି ଅନନ୍ତପୁର ଗ୍ରାମରେ ହାହାକାର ପଡ଼ିଛି । ଗଲା ଅଧରାତିରୁ ବାଘସିଂହ ଘରେ ନିଆଁ ଲାଗି ସମସ୍ତ ଘର, ଧାନ ଅମାର ପୋଡ଼ି ଛାରଖାର ହୋଇଗଲାଣି । ନିଆଁ ପାଉଁଶ ବୋଳି ହୋଇ କାଳିଆ କାଳିଆ କାନ୍ଥଗୁଡ଼ାକ ଛିଡ଼ା ହୋଇଅଛି । ଏପର୍ଯ୍ୟନ୍ତ ନିଆଁ ଲିଭି ନାହିଁ । ଘର ଭିତରେ ଚାଳ ବସିଯାଇ ଧୂ ଧୂ ହୋଇ ଜଳୁଅଛି ମୂଳିବାଉଁଶଗୁଡ଼ାକ ଫଟ୍ ଫଟ୍ କରି ଫୁଟୁଅଛି । କେଉଁଠାରେ କାନ୍ଥ ଉପରେ ବାଉଁଶ ଯୋଡ଼ାଏ, କେଉଁଠାରେ ନଡ଼ା ମେଞ୍ଚାଏ ଲାଗି ଜଳୁଅଛି । ମୋଟା ମୋଟା ଖମ୍ବଗୁଡ଼ାକ ଅଗ୍ନିସ୍ତମ୍ବ ପରି ଦିଶୁଅଛି । କବାଟରେ ନିଆଁ, ଚୌକାଠରେ ନିଆଁ, ଚାରିଆଡ଼େ ନିଆଁ । ଧାନ ଘର ଭିତରେ ନିଆଁ ପଶି ଭାରି ଧୂଆଁ ବାହାରୁଅଛି । ଜ୍ୟେଷ୍ଠମାସିଆ ଦିନ, ଚାଳ ବାଡ଼ ଶୁଖି ସବୁ ଝୁଣା ହୋଇ ରହିଥିଲା, ପାଖ ମୁହିଁବାକୁ ସାଧ୍ୟକାହାର ? ପବନ ଏତିକିବେଳେ କାହିଁ ଥିଲା । କେବଳ ଆଟୁ ଭିତରକୁ ନିଆଁ ଯାଇପାରି ନାହିଁ, କବାଟ ଧରିଲାଣି । ହଳିଆମାନେ ମାଠିଆ ମାଠିଆ ପାଣି ପକାଇ ଆଟୁ କବାଟ ପାଖକୁ ଯିବାକୁ ଚେଷ୍ଟା କରୁଅଛନ୍ତି । ଯାତ୍ରାକାଳିଆମାନେ ବାହୁଡ଼ି ଅଇଲେଣି । ଦିନ ଛ ଘଡ଼ି, ତଳେ ନିଆଁ, ଉପରେ ନିଆଁ, ଘରୁ କୁଟାକେରାଏ ବାହାରି ନାହିଁ । ଅଧରାତିରେ ନିଆଁ ଲଗିଲା, ମାଇକିନିଆମାନେ ନିଦବାଉଳାରେ ହାଉଳି ଖାଇ ଦେହଲୁଗା ଘେନି ବାହାରି ତୋଟା ମଧ୍ୟରେ ଗଛମୂଳେ ବସିଅଛନ୍ତି । ବଣ ବିରାଡ଼ି ପରି ଘରନିଆଁକୁ ଅନାଇ ଡକା ପାଡୁଛନ୍ତି । ହଳିଆ ମାନେ ଗାଈ ବଳଦ ଫିଟାଇଦେଇ ଆଗରୁ ପଳାଇଯାଥିଲେ । ସେମାନେ ଚେଷ୍ଟା କରିଥିଲେ କେତେକ ଜିନିଷ ବଞ୍ଚାଇପାରିଥାଆନ୍ତେ; ମାତ୍ର ପରପାଇଁ କେତେଜଣ ନିଆଁରେ ପଶନ୍ତି ? ଦିନ ବୁଡ଼ିଆସିଲାଣି । ବାଘସିଂହ ଘରେ ପିଲାଠାରୁ ବୁଢ଼ାଯାଏ କାହାରି ଦାନ୍ତରେ ଦାନ୍ତକାଠି ବାଜିନାହିଁ ; ପିଲାଗୁଡ଼ିଙ୍କୁ ଆଉ ବୋହୂଗୁଡ଼ାଙ୍କୁ ଝୋଲା ମାରିଗଲାଣି । ବୁଢ଼ା ପୁରୋହିତ କେଳୁ ରଥେ ଅନେକ ବୁଝାଇ ସମଝାଇ ଦାନ୍ତ ଘସାଇଲେ ଘରୁ ଗୁଡ଼, ଚୁଡ଼ା କଂସା କଂସା ତୋରାଣି ସମସ୍ତଙ୍କୁ ମୁଦାଏ ମୁଦାଏ ପିଆଇ ସାଷ୍ଟମ କରାଇଲେ । ମାଈକିନିଆ