ପୃଷ୍ଠା:First Printing Press of Baleswar.pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


କୋଡ଼ିଏ ଜଣ କୁଲି ଲାଗି ବଜାର ଦାଣ୍ଡଟା ପାର କରି ଦେବାକୁ ଆଠଦନ ଲାଗିଥିଲା । ଯାହାହେଉ ପ୍ରେସ୍ କଲିକତାରୁ ବାହାରି ବାଇଶ ଦିନରେ ବାଲେଶ୍ୱରରେ ପହଞ୍ଚି ଥିଲା ।


ବର୍ତ୍ତମାନ ସମସ୍ତ ପ୍ରକାର ଅଭାବ ଓ ଦୁର୍ଯୋଗ ଗତ ହୋଇଅଛି । ନବ-ନିଯୁକ୍ତ ଲୋକେ କର୍ମ ଶିଖି ଗଲେଣି । ଓଡ଼ିଆ ଏବଂ ଇଂରାଜୀ ସୁନ୍ଦର ରୂପେ ଛାପା ହେଉଅଛି । ଦିନେ ବାଲେଶ୍ୱର ଜିଲ୍ଲାର କଲେକ୍‌ଟର ବିଗନୋଲ୍‌ଡ଼ ସାହେବ ମୋତେ ଡକାଇ ଖୁବ୍ ଆନନ୍ଦ ମନରେ ଧନ୍ୟବାଦ ଦେଲେ ଏବଂ ଆମ୍ଭମାନଙ୍କ ଉତ୍ସାହ ବର୍ଦ୍ଧନ ନିମନ୍ତେ କଚେରିରୁ ଅନେକଗୁଡ଼ିଏ ଫାରମ ଛପାଇବାକୁ ଦେଲେ । ସେହି ସମସ୍ତ ଫାରମ୍ ଛପାଇ ପ୍ରଥମ ଉଦ୍ୟମରେ ଢେର ଲାଭ ମିଳିଥିଲା ।

ରଥ ଦେଖା ଯାତ୍ରା-କାଳି ପରି ପ୍ରେସ୍ ଦେଖିବା ସକାଶେ ଦୁଇ ତିନି ମାସ ପର୍ଯ୍ୟନ୍ତ ଦୁରଦୁରାନ୍ତରରୁ ଲୋକେ ଧାଡ଼ି ଛୁଟିଥିଲେ । ମଫସଲରୁ ଜମିଦାରମାନେ ସବାରି ଚଢ଼ି ଛାପା ଦେଖିବାକୁ ଆସୁଥିଲେ । ଛାପାକାର୍ଯ୍ୟ ଆରମ୍ଭ ଦିନଠାରୁ ଅନେକ ମାସ ପର୍ଯ୍ୟନ୍ତ ବାଲେଶ୍ୱରନିବାସୀ ଦଳବଦ୍ଧ ହୋଇ କାର୍ଯ୍ୟ ଦେଖିବାକୁ ଆସୁଥିଲେ । ଆଜି ଛାପାର ବହୁଳ ପ୍ରଚାର ଦିନରେ ଲୋକେ ଏ କଥାକୁ ଆଶ୍ଚର୍ଯ୍ୟ ମଣିପାରନ୍ତି । ମାତ୍ର ଲଣ୍ଡନ୍ ସହରରେ ପ୍ରଥମ ଛାପାକଳ ସ୍ଥାପିତ ହେବା ଦିନ ରାଜା ଓ ରାଣୀ ଅଦ୍ଭୁତ ଘଟଣା ଦେଖିବା ନିମନ୍ତେ ଛାପାଖାନାକୁ ଶୁଭାଗମନ କରିଥିଲେ ।

ଛାପା-କାର୍ଯ୍ୟ ଆରମ୍ଭ ହେବାର ଛମାସ ଉତ୍ତାରେ ବିଗ୍‌ନୋଲଡ଼ ଓ ପରବର୍ତ୍ତୀ କଲେକ୍ସର ଜନ୍ ବୀମ୍‌ସ ସାହେବଙ୍କ ସହିତ ଉତ୍କଳର ପରମହିତୈଷୀ ଟି. ରେଭେନ୍‌ସା ସାହେବ ଦିନେ ପ୍ରାତଃକାଳରେ ଛାପାଖାନାରେ ଉପସ୍ଥିତ ହେଲେ । ପ୍ରେସ୍‌ର ସମସ୍ତ ପଦାର୍ଥ ଦେଖିଲେ, ପ୍ରେସ୍ ସ୍ଥାପନର ସଂକ୍ଷିପ୍ତ ବିବରଣ ଶୁଣି, ଆମ୍ଭମାନଙ୍କୁ ଦଶ ଟଙ୍କା ପାରିତୋଷିକ ଦେଇ ଗଲେ ; ମାତ୍ର ଆମ୍ଭେମାନେ ସେହି ଟଙ୍କା ଆପଣା ସକାଶେ ନ ନେଇ ସାହେବ ମହୋଦୟଙ୍କ ନାମରେ କୋମ୍ପୋନୀରେ ଦୁଇଟି ସେୟାର ସ୍ୱରୂପ