ପୃଷ୍ଠା:Chha mana atha guntha.pdf/୯୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅମଙ୍ଗଳ ସାଙ୍ଗେ ସାଙ୍ଗେ ।" ବାଘସିଂହ ପଚାରିଲେ, "ବୋହୁ ମାଉସୀ କିଏ ? ବୋହୁ ମାଉସୀ କିଏ ?' ଡୋଲିଚଢ଼ି ବୋଉ ମାଉସୀର ଆଗମନ, ଅଶ୍ୱାରୋହଣପୂର୍ବକ ଡାଳିଯୋଡ଼ା ଫତେ ସିଂହଙ୍କର ଦେବଦର୍ଶନକୁ ଯାତ୍ରା ଇତ୍ୟାଦି ଯଥା ଶ୍ରୁତ ସାଳଙ୍କାରେ ପୂର୍ବକଥିତ ମାଣିକ ବର୍ଣ୍ଣନା କଲା ଏବଂ ସଙ୍ଗେ ସଙ୍ଗେ ମାଉସୀ ଆଣିଥିବା ଭାରର ସଂଖ୍ୟା, ଭାରସ୍ଥିତ ପଦାର୍ଥମାନଙ୍କ ବିଷୟ ବର୍ଣ୍ଣନା କରିବାକୁ ବିସ୍ମୃତ ହେଲାନାହିଁ । ସାବି ମା କେଉଟୁଣୀ କହିଲା, "ସେ ଗୋବିନ୍ଦପରୁକୁ କେତେଥର ଚୁଡ଼ା ବିକିବାକୁ ଯାଇ ଦେଖିଆସିଛି, ବୋହୁ ମାଉସୀ ରୂପ ଠିକ୍ ରାମଚନ୍ଦ୍ର ମଙ୍ଗରାଜ ଘରର ଚମ୍ପାପରି ।" ଶଙ୍କରା ହଳିଆ କହିଲା," ଯେଉଁ ଲୋକଟା ପଣସ ଭାର ଆଣିଥିଲା, ସେଟା ମଙ୍ଗରାଜଙ୍କ ହଳିଆ ।" ବାଘସିଂହ ଭାଇମାନେ ମୁହଁ ଚାହାଁଚୁହିଁ ହୋଇ କହିଲେ, "କାହିଁ, ଆମ୍ଭେମାନେ ତ ଦାଣ୍ତ ଦାଣ୍ତ କେନ୍ଦ୍ରାପଡ଼ାରୁ ଆସୁଅଛୁଁ, ଡୋଲି କିମ୍ବା ଘୋଡ଼ା ତ ଦେଖିଲୁ ନାହିଁ ?" କେନ୍ଦ୍ରାପଡ଼ା ଦାଣ୍ତ ଏବଂ ଡାଳିଯୋଡ଼ା ଫତେସିଂହଙ୍କ ଘରଠାରୁ ରାତିରାତି ଲୋକ ଗଲେ । ସେମାନେ ବାହୁଡ଼ି ଯେଉଁ ସମ୍ବାଦ ଦେଲେ, ସେଥିରୁ ଜଣାଗଲା, ସର୍ବୈବ ମିଥ୍ୟା, ମାଉସୀର ଅସ୍ତିତ୍ୱ ଅସ୍ୱୀକାର । ଏହି ଘଟନା ଘେନି ଗ୍ରାମ ମଧ୍ୟରେ ଅନେକ ଦିନ ପର୍ଯ୍ୟନ୍ତ ଆଲୋଚନା ହେଲା, ଆଖ ପାଖ ଗ୍ରାମରେ ମଧ୍ୟ କଥା ପଡ଼ିଲା । ସମସ୍ତେ ଅନୁମାନ କଲେ, ଏହା ମଙ୍ଗଳାର ମାୟା । ଆମ୍ଭେମାନେ କହୁ, ପିଶାଚୀର କାର୍ଯ୍ୟ ହୋଇପାରେ । ଡାଳିଯୋଡ଼ା ଫତେସିଂହ ସଙ୍ଖୁଳି ଆସି ଝିଅକୁ ଘେନିଗଲେ । ଲୋକେ କହନ୍ତି, ପିଲାଟା ଯେପରି ଅନ୍ନ ଜଳ ଛାଡ଼ି ବସିଥିଲା, ବାପ ଘେନିଯାଇ ନ ଥିଲେ, ପ୍ରାଣ ପାଇବା କଠିନ ହୋଇଥାନ୍ତା ।