ପୃଷ୍ଠା:Kaunri Kamachandira dese.pdf/11

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇଂରେଜୀ ଅଧ୍ୟାପକ ଶ୍ରୀ ସୁମନ ପାଣିଗ୍ରାହୀଙ୍କ ସହିତ କଥା ହେଲି । ସେ ପଟ୍ଟାମୁଣ୍ଡାଇ କଲେଜରେ ବର୍ଷେ ଦେଢ଼ବର୍ଷ ଅଧ୍ୟାପକ ଥିଲେ । ମାତ୍ର ଦରମା କମ୍ ମିଳିବାରୁ ସେଠାରୁ ଚାଲିଗଲେ । ଗୌହାଟୀ ପୂର୍ବରୁ ସେ ଓହ୍ଲାଇବେ । ମୋତେ ସେ ପରାମର୍ଶ ଦେଲେ- ଗୌହାଟୀ ଷ୍ଟେସନରୁ ଓହ୍ଲାଇ ଆପଣ ପାନ ବଜାରକୁ ଯିବେ । ସେଠାରୁ ରିକ୍ସାଟିଏ କରି ହାଇକୋର୍ଟ ପାଖକୁ ଯିବେ । ଅଟୋରେ ଗଲେ ୫୦ ଟଙ୍କା ନେବ । ମାତ୍ର ଏ ପ୍ରକାର ଗଲେ ଆପଣଙ୍କର ୪/ ୫ ଟଙ୍କା ଖର୍ଚ୍ଚ ହେବ ।

ସେଠାରେ ଗାଡ଼ି ଏତେ ସମୟ ପଡ଼ି ରହିବାର କାରଣ ବୁଝାଇ ସୁମନବାବୁ କହିଲେ – ଆସାମ ଗଣ୍ଡଗୋଳ ଯୋଗୁ ଆଜିକାଲି ରାତିରେ ଟ୍ରେନ ଚାଲୁ ନାହିଁ । ବିଶେଷ କରି ବୋଡ଼ୋ ଅଞ୍ଚଳ ପଡ଼ିବ ଗୌହାଟୀ ପୂର୍ବରୁ । ସେଥିପାଇଁ ସନ୍ଧ୍ୟାରେ କୁଚବିହାର ଷ୍ଟେସନରେ ଗାଡ଼ି ଅଟକିବ । ଭୋରରୁ ପୁଣି ଗାଡ଼ି ଚାଲିବ । ଗୋଟିଏ ସ୍ଥାନରେ ଦେଖିଲି ମସ୍ତବଡ଼ ଆମ୍ବ ତୋଟା ପରି ଏକ ଜଙ୍ଗଲ । ଉପରକୁ ମୁଣ୍ଡ ଟେକି ରହିଛି ବଡ଼ ବଡ଼ ଗଛ । ତଳେ ତା'ର ସବୁ ଘଞ୍ଚ ବୁଦୁ ବୁଦିକିଆ ଗଛ । ସେଇ ସବୁ ଗଛ କେହି ଲଗାଇଲା ପରି ଲାଗିଲା । ପଚାରିବାରୁ ସାହୁବାବୁ କହିଲେ – ଏହା ଚା’ ବଗିଚା । ବଡ଼ ବଡ଼ ଗଛ ତଳେ ବୁଦୁ ବୁଦିକିଆ ଜଙ୍ଗଲ ପରି ଦିଶୁଛି । ତାକୁ ଛାଇ ଦେବାକୁ ଉପରେ ଏଇ ଡେଙ୍ଗା ଡେଙ୍ଗା ଗଛ । ମୁଁ ଏବେ ବୁଝିଲି, ପିଲାଦିନେ ଚା’ ଚାଷ ବିଷୟରେ ପଢ଼ିଥିବା ପାଠ ମନେ ପଡ଼ିଲା ।

ସତକୁ ସତ କୁଚବିହାର ଷ୍ଟେସନରେ ଗାଡ଼ି ଅଟକି ରହିଥିଲା । ଷ୍ଟେସନରେ ଖାଦ୍ୟର ଉତ୍କଟ ଅଭାବ । ବାସି ଶୁଖିଲା ଖାଦ୍ୟ ମିଳିଲା, ସେଥିରୁ ଖାଇ ପେଟକୁ ଥୟ କରାଗଲା । ଯାତ୍ରୀମାନେ ରାତିଟି ସେଠାରେ ଗାଡିର ବଗି ମଧ୍ୟରେ କଟାଇଲେ । ପୋଲିସ ଫୋର୍ସ ଆଦି ଅବଶ୍ୟ ଏପଟ ସେପଟ ହେଉଥା'ନ୍ତି ।

୧୧