ପୃଷ୍ଠା:Gauracharana Gitabali.pdf/୧୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୯୬
ଗୌରଚରଣ ଗୀତାବଳୀ

[ସତାଅଶି]

ସୁତବତ୍ସଳା ଯଶୋଦା

(ରାଗ ଲଳିତ କାମୋଦୀ ତାଳ ଆଠତାଳୀ)

ରେ ଜୀବଧନ ! କାହିଁକି ତୁ ରଖିବୁ ଗୋଧନ ରେ । ଘୋଷା ।
କେଉଁ ଦ୍ରବ୍ୟ ଅପୂର୍ବ କି ନମିଳି ମୋତେ ରେ
ବଛା ରଖିବାକୁ ବନେ ପଠାଇବି ତୋତେ ରେ । ୧ ।
ଲକ୍ଷେ ଲକ୍ଷେ ରଖୁଆଳ ଅଛନ୍ତି ମୋହର
ଭାତ ବରତନ ଖାଇ ହୋଇଣ ଚାକର ରେ । ୨ ।
ବନେ ବୁଲି ବଛା ଚରାଇବା ବଡ଼ ଦୁଃଖ
ଖରା ବରଷାରେ ଗଞ୍ଜି ଲବେ ନାହିଁ ସୁଖ ରେ । ୩ ।
କାନନେ ବାଘ ଭାଲୁଙ୍କ ଭୟଙ୍କର ବାଣୀ
ଛନ୍ନ ହେବୁ ବାବୁ ତାଙ୍କ ରବେ କର୍ଣ୍ଣେ ଶୁଣି ରେ । ୪ ।
ଭୟଙ୍କର ରୂପ ବାଡ଼େ ଚିତ୍ର ଲେଖା ଦେଖି
ଡରି ମୋ କୋଳରେ ବସି ବୁଜୁ ପରା ଆଖି ରେ । ୫ ।
ଖାଲ ଖଣା ଗୋଡ଼ି କଣ୍ଟା ଗହନ ବନସ୍ତେ
ସୁକୁମାର ପଦ ତୋର ଚାଲିବୁ କେମନ୍ତେ ରେ । ୬ ।
ହଂସୁଲୀ ତୂଳୀରେ ନିଦ ନ ମାଡ଼ରେ ତୋତେ
ଲୋଡ଼ିଲେ କି ଶଯ୍ୟା ଆଉ ମିଳିବ ବନସ୍ତେ ରେ । ୭ ।
ତୃଷା କଲେ ତହିଁ ଜଳ ନ ମିଳେ ରେ କହ୍ନା !
କ୍ଷୁଧା କଲେ ଫଳ ମୂଳ ଖାଇବୁ ତୁ ସିନା ରେ । ୮ ।
ଜାଣୁ ଜାଣୁ ଏତେ ଦୁଃଖ ପେଷିବି ବଙ୍କୁ
ସତ କି ମିଛ ମୋ ବାବୁ ! ବୁଝ ତୋ ମନକୁ ରେ । ୯ ।