ପୃଷ୍ଠା:Kaunri Kamachandira dese.pdf/8

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦେଖାଯାଉ କ’ଣ ହେଉଛି । ଗାଡ଼ି ଚାଲିବାରେ ଲାଗିଲା । ରାତି ୧୦ଟା ବାଜିଲା । ଆମେ ସବୁ ଶୋଇଗଲୁ । ପାଞ୍ଚଟାରେ ଶାଗୁଆ ଧାନ କିଆରୀ, ନଦୀନାଳ, ଗାଁ ଗଣ୍ଡା ମଧ୍ୟରେ ଗାଡ଼ି ଚାଲିଛି । ଦଳ ଦଳ ପକ୍ଷୀ ଉଡ଼ି ଚାଲିଛନ୍ତି । କ୍ରମେ ଦଶ ଦିଗ ସଫା ହୋଇ ଆସିଲା ।

ଫରକ୍କା ବ୍ୟାରେଜ୍ ପଡ଼ିଲା । ଗଙ୍ଗାଜଳକୁ ବାଣ୍ଟିବାରେ ବଙ୍ଗଳା ଦେଶ ସହିତ ଭାରତର ଗଣ୍ଡଗୋଳ । ଏହି ବ୍ୟାରେଜ୍‌ରେ ନଦୀ ଜଳ ଅଟକ କରି କେନାଲ ସାହାଯ୍ୟରେ ଜଳସେଚନର ବ୍ୟବସ୍ଥା ହୋଇଛି । କେତୋଟି ନୂଆ କଳକାରଖାନା ଗଢ଼ି ଉଠିଛି ।

ସୁନ୍ଦର ସବୁଜ ପରିବେଶ

ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଟ୍ରେନ୍ ଚାଲିଛି । କ୍ଷେତ ଓ ଖମାର ଆଉ କଳକାରଖାନା ମଧ୍ୟରେ ଏକ ଅପୂର୍ବ ଯୋଗାଯୋଗ । ମାଲ୍‌ଦା ଷ୍ଟେସନ୍ ପଡ଼ିଲା । ଏକ ଜାତିର ସବୁଜ ଆମ୍ବ ପାଇଁ ସ୍ଥାନଟି ପ୍ରସିଦ୍ଧ । ସେଇ ଆମ୍ବ ସରିଆସିଲାଣି । ପାଚିଲେ ମଧ୍ୟ ଏହି ଆମ୍ବ ସବୁଜ ଦିଶେ । ଜଣେ ଦି ଜଣ ଗୋଟିଏ ଲେଖାଁ ଝୁଡ଼ିରେ କିଛି ଆମ୍ବ ଧରି ଷ୍ଟେସନ ଉପରେ ଆସି ବିକୁଥିଲେ । କିଲୋ ନ’ଅ ଟଙ୍କା ।

ଚାଷୀମାନେ ଭୋରରୁ ଚାଷ କାମରେ ଲାଗିଗଲେଣି । କିଏ ମଇ ଦେଉଛି ତ କିଏ ବେଉଷଣ କରୁଛି । କିଏ ରୋଉଛି ତ କିଏ ତଳି ଉପାଡ଼ୁଛି । ନିଜ ନିଜ ଚାଷ କାର୍ଯ୍ୟରେ ସେମାନେ ଲାଗିଲେଣି । ଅନେକ ସ୍ଥାନରେ ନଳିତା କିଆରୀମାନ ଦେଖିଲୁ । କେତେକ ଜାଗାରେ ନଳିତା କାଟି ତାକୁ ପାଣିରେ ମଡ଼ାଉଛନ୍ତି । କେତେକ ଜମି ଉପରେ ନଳିତା ଗୋଛା ଠିଆ ହୋଇ ରହିଛି । ସମ୍ଭବତଃ ପତ୍ର ଝଡ଼ିଲେ ପାଣିରେ ମାଡ଼ିବେ ।

ରେଳ ରାସ୍ତା କଡ଼ରେ ମଧ୍ୟ ଆକାଶିଆ ଗଛଗୁଡ଼ିକର ବଣ । ଆକାଶୁଛୁଆଁ ହେଲାଣି । ସାମାଜିକ ବନୀକରଣ ଯୋଜନାରେ ସବୁଠି ଏଇ ଗଛ ଜଙ୍ଗଲ ଦେଖିବାକୁ