ପୃଷ୍ଠା:Baula Charita o Ramagatha (Gobinda Bhanja).pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଦେଖିଲା ବଉଳା ଉଭା ହୋଇଛି ଆଗରେ
ରୋଦନ କରଇ ଧେନୁ ଦୁଃଖିତ ମନରେ
ବଉଳା ବଚନ ଶୁଣି କାମରୂପୀ ବାଘ
ଗର୍ଜ୍ଜିଣ କ‌ହଇ କିମ୍ପା କାନ୍ଦୁ ମୋର ଆଗ ।
ଯେତେ ଭକ୍ଷ୍ୟ ଦଇବ ଆମ୍ଭନ୍ତ ଭିଆଇଲା
ବ୍ୟାଘ୍ରକୁ ଗାଈ ଆହାର ଆଗ କରି ଦେଲା ।
ତୁ ଅବା ରୋଗନ‌ହିଁ ସେ ମୋର ଆଗେ କଲେ
ତ‌ଥାପି ଜୀବନ ଆଉ ନ ପାଇବୁ ଭଲେ ।୬୧।
ଆଜି ତୋର ମୃତ୍ୟୁକାଳ ବିହିଲା ବିଧାତା
ବିଅର୍ଥେ ମନରେ କିପାଁ କରୁ ଗରୁ ଚିନ୍ତା ।
ବ୍ୟାଘ୍ରର ନିଷ୍ଠୁର ବାଣୀ ଶୁଣିଲାକ ଯ‌ହୁଁ
ବଉଳା ବ୍ୟାଘ୍ରକୁ ବାକ୍ୟ କ‌ହୁଅଛି ତ‌ହୁଁ ।
କ୍ଷମା କର ନାଥ ତୁହୋ ଦ‌ୟାକର ମୋତେ
କାମରୂପି ! ନମସ୍କାର କରୁଅଛି ତୋତେ ।
ତୋହର ନିକଟରେ ପ୍ରବେଶ ଯେଉଁ ପ୍ରାଣୀ
ତାହାର ଶରୀରେ ଆଶା କେବେହେଁ ନ ଜାଣି ।୬୫।
ଜୀବନର ଅର୍ଥେ ହୋ ଶୋଚନା ମୋର ନାହିଁ
ଜୀବନ ନିମନ୍ତେ ମୁଁ ଶରଣ ମାଗୁନାହିଁ ।
ଯେହୁ ଜାତ ହୁଅଇ ସେ ଅବଶ୍ୟ ମରଇ
ମରନ୍ତେ ସଂସାରେ ଜାତ ଅବଶ୍ୟ ହୁଅଇ ।
ଜାତ ମୃତ୍ୟୁ ଅବଶ୍ୟ ଶୁଣ ତୁ ମୃଗପତି
ନିଶ୍ଚୟ କଥାକୁ କିପାଁ କରିବି ମୁଁ ଭ୍ରାନ୍ତି ।
ସୁରାସୁର ମାନବ ଦାନବ ଆଦି କରି
କାଳକୁ ଉପାୟେ ପୁଣ ନାହିଁ ନା କାହାରି ।
ମୁଁ କେମନ୍ତେ ବ୍ୟାଘ୍ର ଅଦ୍ୟ ମୃତ୍ୟୁ ବଞ୍ଚାଇବି
ସାବଧାନେ ଶୁଣ ଏକ କଥାଏ କ‌ହିବି ।୭୦।