ପୃଷ୍ଠା:Krutrima upagrahara jayajatra.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏକ ଉପଗ୍ରହକୁ ଅନ୍ତରୀକ୍ଷକୁ ପଠାଇଥିଲା । ସେଥିରେ ରାଷ୍ଟ୍ରପତି ଆଇଜେନହାଓରଙ୍କର ଏକ ବଡ଼ଦିନବାର୍ତ୍ତା ଟେପରେକର୍ଡ଼ରେ ପଠାଯାଇିଲା । ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଉକ୍ତ ଉପଗ୍ରହରୁ ତାହା ସଂପ୍ରସାରିତ ହୋଇଥିଲା । ୧୯୬୦ ମସିହାରେ ଆମେରିକା "କୋରିୟର" ନାମକ ଏକ ଉପଗ୍ରହକୁ ମହାକାଶକୁ ଉତ୍‌କ୍ଷେପଣ କରିଥିଲା । ଏହା ପୃଥିବୀରୁ ପ୍ରେରିତ ରେଡ଼ିଓ ସଂକେତ ଗ୍ରହଣ କରୁଥିଲା ଏବଂ ପରେ ତାକୁ ସଂପ୍ରସାରଣ କରୁଥିଲା । ତାକୁ ବିଶ୍ୱବାସୀମାନେ ଶୁଣିପାରିଥିଲେ । ଏହି ସବୁ କୃତ୍ରିମ ଉପଗ୍ରହ ସାରା ଜଗତର ବିଜ୍ଞାନ ଜଗତରେ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ମାନବସଭ୍ୟତାରେ ଏକ ନୂତନ ଯୁଗର ଅଭ୍ୟୁଦୟ ଘଟାଇଥିଲା ।

୧୯୪୫ ମସିହାରେ ଇଂଲଣ୍ଡର ବିଖ୍ୟାତ ପଦାର୍ଥବିଦ୍‌ ଆର୍ଥର ଡି. କ୍ଲାର୍କ ଗୋଟିଏ ପୁସ୍ତକରେ ମହାକାଶଯାତ୍ରା ବିଷୟରେ ଗଭୀର ଆଲୋଚନା କରିଥିଲେ । ସେଥିରେ ସେ ସୂଚନା ଦେଇଥିଲେ ଯେ ଗୋଟିଏ କୃତ୍ରିମ ଉପଗ୍ରହ ୨୨,୩୦୦ ମାଇଲ ବା ପ୍ରାୟ ୩୩,୪୫୦ କି.ମି. ଉଚ୍ଚରେ ରହି ପୃଥିବୀର ସାଧାରଣ ଗତିରେ ତାକୁ ପ୍ରଦକ୍ଷିଣ କରିବ ଏବଂ ଏହା ଫଳରେ ଭୂପୃଷ୍ଠ ସହିତ ଏହାର ଏକ ସ୍ଥିର ଗତି ବା ସ୍ଥିରାବସ୍ଥା ବଜାୟ ରଖିପାରିବ। ଏହାକୁ ଭୂସ୍ଥିର ଗତି (Geostationary position) କୁହାଯାଇଥାଏ । କ୍ଲାର୍କଙ୍କ ମତରେ ପୃଥିବୀ ଉପରେ ଏହିପରି ସମାନ ଦୂରତାରେ ମହାକାଶରେ ତିନୋଟି ଉପଗ୍ରହ ରଖାଗଲେ, ସମଗ୍ର ବିଶ୍ୱ ସଂଚାରିତ ହୋଇପାରିବ ।

କୃତ୍ରିମ ଉପଗ୍ରହ ଏକ ଭୂସ୍ଥିର କକ୍ଷରେ ପୃଥିବୀକୁ ପରିକ୍ରମା କରିଥାଏ । ଏହା ପ୍ରାୟ ୩୬ ହଜାର କି.ମି. ଉପରେ ରହି ପ୍ରତି ସେକେଣ୍ଡରେ ତିନି କି.ମି. ବେଗରେ ଚବିଶ ଘଣ୍ଟାରେ ଥରେ ପୃଥିବୀକୁ ପ୍ରଦକ୍ଷିଣ କରିପାରେ । ଏବେ ହଜାର ହଜାର ସଂଖ୍ୟାରେ ଉପଗ୍ରହ ମହାକାଶକୁ ପଠାଯାଇଛି । ଏକା ସୋଭିଏତ ଋଷ ଏକ ହଜାରରୁ ଅଧିକ ଉପଗ୍ରହ ମହାଶୂନ୍ୟକୁ ଛାଡ଼ିସାରିଛି । ସେଥିରୁ କେତୋଟି ଜୀବିତ, ମାତ୍ର ଅଧିକାଂଶ ମୃତ ।