ପୃଷ୍ଠା:Krutrima upagrahara jayajatra.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୃତ୍ରିମ ଉପଗ୍ରହ ମହାଶୂନ୍ୟକୁ ପଠାଯାଇ ପରୀକ୍ଷାନିରୀକ୍ଷା ସଙ୍ଗଠିତ ହୋଇଥିଲା । ମନୁଷ୍ୟର ମହାକାଶଯାତ୍ରା ପାଇଁ ଏବଂ ଯୋଗାଯୋଗ କ୍ଷେତ୍ରରେ କୃତ୍ରିମ ଉପଗ୍ରହର ଉପଯୋଗିତା ଓ କାର୍ଯ୍ୟକାରିତା ପାଇଁ ଏହି ପ୍ରତିଯୋଗିତା ପଥ ପରିଷ୍କାର କରି ଦେଇଥିଲା ।

୧୯୬୩ ଜୁନ୍‌ ମାସରେ ଭୋସ୍ତକ-୬ ଯାନରେ ପ୍ରଥମ ମହିଳା ମହାକାଶଚାରୀ ଭାଲେନ୍ତିନା ତେରିସ୍କୋଭା ମହାଶୂନ୍ୟକୁ ଯାଇଥିଲେ । ତା ପୂର୍ବରୁ ଭୋସ୍ତକ-୫ରେ ମହାକାଶକୁ ଭାଲେରୀ ବାଇକୋଭାସ୍କି ଯାଇଥିଲେ। ଭାଲେନ୍ତିନା ମହାଶୂନ୍ୟରେ ବହୁ ପରୀକ୍ଷାନିରୀକ୍ଷା କରିଥିଲେ । ସେ ୪୯ ଥର ପୃଥିବୀ ପରିକ୍ରମା କରି ଅନ୍ୟ ମହାକାଶଯାନର ଯାତ୍ରୀ ଭାଲେରୀଙ୍କ ସହିତ କଥାବାର୍ତ୍ତା କରିଥିଲେ ।

୧୯୬୪ ମସିହାରେ ଋଷ୍‌ର ତିତଭ, ଇୟେଗୋରଭ ଓ କୋମରଭ ନାମକ ତିନିଜଣ ମହାକାଶଚାରୀ ଗୋଟିଏ ଗୋଟିଏ ଯାନରେ ମହାଶୂନ୍ୟକୁ ଯାତ୍ରା କରିଥିଲେ । ସେମାନେ ପ୍ରାୟ ୨୪ ଘଣ୍ଟା ମହାକାଶରେ ଅତିବାହିତ କରି ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

୧୯୬୫ ମସିହାରେ ଋଷ୍‌ର ପାଭେଲ୍, ବେଲୟେଭ ଓ ଆଲେନ୍‌ସିସ୍‌ ନରଓନଭ ଗୋଟିଏ ମହାକାଶ ଯାନରେ ମହାଶୂନ୍ୟକୁ ଯାତ୍ରା କରିଥିଲେ । ସେମାନେ ପୃଥିବୀକୁ ୧୭ ଥର ପ୍ରଦକ୍ଷିଣ କରିଥିଲେ । ଏହି ସମୟରେ ଲିଓନଭ ମହାକାଶଯାନରୁ ବାହାରି ମହାଶୂନ୍ୟରେ ୧୦ ମିନିଟ୍‌ କାଳ ବୁଲିଥିଲେ । ସେ ଦଉଡ଼ିଟିଏ ଧରି ପାଣିରେ ପହଁରିଲା ପରି ମହାକାଶଯାନରେ ଲାଗିଥିବା ଫିତାଟିକୁ ଧରି ମହାକାଶରେ ବିଚରଣ କରିଥିଲେ ।

ସେହି ବର୍ଷ ଆମେରିକା ମହାକାଶଯାତ୍ରୀମାନେ ଦୁଇ ତିନି ଥର ମହାଶୂନ୍ୟକୁ ଯାଇଥିଲେ ଏବଂ ପୃଥିବୀକୁ ପରିକ୍ରମା କରିବା ମଧ୍ୟରେ ବହୁ ପରୀକ୍ଷାନିରୀକ୍ଷା କରିଥିଲେ । ସେମାନେ ମହାଶୂନ୍ୟରେ ଦୁଇଟି ଯାନକୁ ଏକାଠି ଯୋଡ଼ି ପାରିଥିଲେ । ଏଡ଼ୱାଡ଼ ହ୍ୱାଇଟ୍‌ ନାମକ ଜଣେ ମାର୍କିନ୍‌ ମହାକାଶଚାରୀ ନିଜ ଯାନରୁ ବାହାରି ମହାଶୂନ୍ୟରେ ଭ୍ରମଣ କରିଥିଲେ ।