ପୃଷ୍ଠା:Sashi Sena.pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୁରୁଙ୍କ ନିକଟରେ ପାଠ ପଢୁଥିଲା ବେଳେ ଅଭିମନ୍ୟୁର ଖଡ଼ି ଶଶିସେଣା ଆଡକୁ ଗଡ଼ି ଯିବାରୁ, ଶଶିସେଣା ତାହାକୁ ସତ୍ୟ କରାଇ ବିବାହ ପ୍ରସ୍ତାବ ଉତ୍ଥାପନ କରିଥିବା ବିଷୟ ମୂଳଗଳ୍ପରୁ ମିଳେ । କିନ୍ତୁ ପ୍ରତାପ ରାୟ ଏହିଠାରେ ସ୍ୱାଧୀନ ବିବେକ ପ୍ରୟୋଗ କରି କହି ଅଛନ୍ତି ଯେ, ଶଶିସେଣାର ଖଡ଼ି ଅହିମାଣିକ୍ୟ ଆଡକୁ ଗଡ଼ିଯିବାରୁ ସେ ତାହାକୁ ସତ୍ୟ କରାଇ ବିବାହ ପ୍ରସ୍ତାବ ଉତ୍ଥାପନ କଲା । ମୂଳବର୍ଣ୍ଣନାଠାରୁ ବ୍ୟତିକ୍ରମର ଅର୍ଥ ଏହି ଯେ, କବି କଥାଚିତ୍ରଟିକୁ ମାନବୋଚିତ କରିବାପାଇଁ ଯଥାସାଧ୍ୟ ଯତ୍ନ କରି ଅଛନ୍ତି । ଲଜ୍ଜା ନାରୀର ଭୁଷଣ । ବିଧାତା ଯେଉଁ ମହତ୍ ସୌନ୍ଦର୍ଯ୍ୟର ଧାରା ତାହାର ଅଙ୍ଗ ପ୍ରତ୍ୟଙ୍ଗରେ ଢାଳି ଦେଇଅଛନ୍ତି ତାହାର ଲାବଣ୍ୟ ଓ ମାଧୁର୍ଯ୍ୟ ଲଜ୍ଜା ସାହଚର୍ଯ୍ୟରେ କି ଚମତ୍କାର ଭାବ ପ୍ରଦାନ କରେ । ଏହି ଲଜ୍ଜାଶୀଳତା ହେତୁ ସେ ଅନ୍ତରର ଶତ ଆବେଗକୁ ସେହି ଅନ୍ତରରେ ହିଁ ଘୋଡ଼ାଇ ରଖିବାରେ ଚିର ଅଭ୍ୟସ୍ତ । ନାରୀର ମୁଖରେ ଜଣେ ପୁରୁଷକୁ ବିବାହ କରିବାର ପ୍ରସ୍ତାବ ଉତ୍ଥାପନ କରିବା ଯେପରି ଅସଙ୍ଗତ ସେହିପରି ଅପ୍ରାକୃତିକ । ତେଣୁ ବିବେକୀ କବି ଅହିମାଣିକ୍ୟ ମୁଖରେ ବିବାହର ପ୍ରସ୍ତାବ କରାଇ ସ୍ୱୀୟ ବିଚାର ଶୈଳୀର ସୁନ୍ଦର ପରିଚୟ ପ୍ରଦାନ କରି ଅଛନ୍ତି । ଅହିମାଣିକ୍ୟ ଯେ ପ୍ରଥମ ଦର୍ଶନରେ ଶଶିସେଣାର ପ୍ରାଣୟପ୍ରାର୍ଥୀ ହୋଇଅଛି, ଏମନ୍ତ ନୁହେଁ-ପରନ୍ତୁ ପୂର୍ବରାଗର ହାବଭାବରେ ତାହାର ହୃଦୟକୁ କଳନା କରି ପରେ ତାହାର ଯୌବନ ତରଙ୍ଗିତ ଲବଣ୍ୟ ସ୍ରୋତରେ ଲମ୍ପ ପ୍ରଦାନ କରିଅଛି । କବିଙ୍କ ଉକ୍ତିରେ

“ଲୋଚନେ ଲୋଚନ ମନେ ମନ ମିଶାମିଶି
ବଚନେ କାହାକୁ କେହି ନ କହେ ଭରସି" ।

ପୁନଶ୍ଚ ଶଶିସେଣା ଯେ ଅହିମାଣିକ୍ୟର ପ୍ରଥମ ପ୍ରାର୍ଥନାରେ ।