ପୃଷ୍ଠା:Kathalahari (RN Das, 1927) opt.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଶ୍ୱେତ ବସନ୍ତ କଥା ।

ଦୁଃଖ ପାଇ ରହିଥାନ୍ତି, ମାଳି ତା ଭାରିଯା ଦୁହେଁଯାକ ମରିଗଲେ ଆଉତ କେହି ଆଶ୍ରା ନାହିଁ, ଏ ଦିହେଁ ଦାଦିଘରେ କାମ ଦାମ କରି ଚଳୁଥାନ୍ତି । ଦିନେ ଦାଦିର ସୁନା ମୁଦି ଚୋରିଗଲା, ଦାଦି ଏ ଦୁହିଁକି ଧରିଲା । ଏ ଦୁହେଁ କହିଲେ ଆମେ ନେଇ ନାହୁଁ । ଦାଦି ଏମାନଙ୍କ କଥା ସତ ନ କରି ଏ ଦୁହିଁକି ତଡ଼ିଦେଲା । ଏ ଦୁହେଁ କାନ୍ଦି ବୋବେଇ ଘରୁ ବାହାରି ଗଲେ, ଯାଇଁ ଗୋଟାଏ ବନସ୍ତରେ ପହଞ୍ଚିଲେ । ସେ ବନସ୍ତରେ ଗୋଟିଏ ଶୁଆଟିଏ ଗୋଟିଏ ସାରୀଟିଏ ଗଛରେ ବସି କ‌ହି ହେଉଚନ୍ତି-ଶୁଆ କହୁଚି ମତେ ଯେ ଧରିବ ସେ ରଜାହେବ, ସାରୀ କହୁଛି ମତେ ଯେ ଧରିବ ସେ ଚାଲିଲେ ପଦ୍ମ ଉକୁଟିବ, କାନ୍ଦିଲେ ମୁକୁତା ଝଡ଼ିବ । ଏହିପରି କୁହାକୁହି ହଉଥାନ୍ତ, ଏ ଦୁଇ ଭାଇ ଶୁଣିଲେ ଧରିବାକୁ ଗଲେ । ଶ୍ୱେତ ଧରିଲା ଶୁଆଟିକି, ବସନ୍ତ ଧରିଲା ସାରୀକି । ଧରି କରି ଆଣି ଭୋକ ବିକଳରେ ଦୁହେଁ ଦୋଟିଯାକ ଖାଇ ଦେଲେ । ଖାଇ ସାରି ବସନ୍ତ କହିଲା ମୋତେ ଶୋଷ କରୁଛି; ପାଣି କେଉଁଠି ମିଳିବ ? ଶ୍ୱେତ କହିଲା, ତୁ ଏଇଠି ବସିଥା ମୁଁ ପାଣି ଆଣେ; ଏହା କହି ପାଣି ଖୋଜିବାକୁ ଗଲା । ସେ ଗାଡ଼ିଆକୂଳେ ହୋଇଚି, ସେ ଦେଶର ରାଜା ମରି ଯାଇଛି ଯେ ହାତୀ କଳସ ଘେନି ବୁଲୁଚି, ଯାହାକୁ ମନ କରିବ ତା ଉପରେ କଳଶ ଢାଳି ଦେବ; ଶ୍ୱେତକୁ ଦେଖି ତା ଉପରେ କଳଶ ଢାଳି ଦେଲା । ପାତ୍ର ମନ୍ତ୍ରୀ ସମସ୍ତେ ଶ୍ୱେତକୁ ହାତୀରେ ବସାଇ ନେଇ ଗଲେ; ରାଜା କଲେ । ଶ୍ୱେତ ରାଜା ହୋଇ ସବୁ ବୁଝିଲା, ଖାଲି ବସନ୍ତ ପାଇଁ ଭାବି ହେଉଥାଏ ମନେ ମନେ । ଏଣେ ବସନ୍ତ ଭାଇକି ଅନାଇଁ ଅନାଇଁ ଆଉ ଭାଇ ଆସିଲା ନାହଁ ଯେଉଠୁଁ; କାନ୍ଦି କାନ୍ଦି ବନସ୍ତଭିତରକୁ ବାହାରିଲା । ବାଟରେ କାନ୍ଦିଲାକ୍ଷଣି ମୁକ୍ତା ଝଡ଼ୁଥାଏ, ପାଦ ପକାଇଲାରୁ ପଦ୍ମ ଫୁଟୁଥାଏ ଏହିପରି ବାଟଯାକ ହେଇ ଯାଉଥାଏ । ବସନ୍ତ ମୁକ୍ତାତକ ଗୋଟେଇ ରଖୁଥାଏ, ବାଟ ଚାଲୁଥାଏ । ଭାଇକି ତ ପାଇଲା ନାହିଁ