ପୃଷ୍ଠା:Kathalahari (RN Das, 1927) opt.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଉତ୍କଳ କାହାଣୀ ସଂଗ୍ରହ

ବୁଲି ବୁଲି ସେ ଯୋଉ ଗାଁରେ ରଜା ହୋଇଛି ସେହି ଗାଁରେ ଗୋଟିଏ କୁମ୍ଭାର ଘରେ ରହିଲା । ଲୁଗାପଟା ତ ନଥାଏ, ଖଣ୍ଡିଏ ଚିରାଲୁଗାରେ ସେ ମୁକ୍ତାତକ ବାନ୍ଧି କୁମ୍ଭାର ଘରେ ଗଣ୍ଡିଏ ୨ ଖାଇ କାମଦାମ କରୁଥାଏ । ଏହିପରେ କେତେଦିନ ଗଲା, ରାଜା ଚୋର ଜଗିବାକୁ ମନିଷ ଦରକାର ହେଲେ, ଗ୍ରାମରେ ଯେତେ ଘର ସମସ୍ତଙ୍କ ଘରୁ ଜଣେ ଜଣେ ଜଗିବାକୁ ଗଲେ । କୁମ୍ଭାରଘରୁ ବସନ୍ତ ଚୋର ଜଗିବାକୁ ଗଲା । ଦିନେ ବସନ୍ତ ନ ଥିଲାବେଳେ କୁମ୍ଭାର ତାର ଲୁଗାପଟା ଫିଟାଇ ଦେଖେ ଯେ, ମୁକ୍ତା ସବୁ ଜକ ଜକ ଦିଶୁଛି । ମୁକ୍ତାଗୁଡ଼ିକ ସେଥିରୁ ନେଇଗଲା, ଭାତଗୁଡ଼ିଏ ବାନ୍ଧି ଦେଲା । ବସନ୍ତ ଆସି ଦେଖେ ଯେ ମୁକ୍ତାତକ ନାହିଁ । କୁମ୍ଭାରକୁ ପଚାରିଲାରୁ କୁମ୍ଭାର ନାହିଁକରି ମାରି ଗୋଡ଼ାଇଲା । ବସନ୍ତ ଆଉ କଣ କରିବ, ତୁନି ହୋଇ ରହିଲା । ନିତି ରାତିକି ବସନ୍ତ ଚୋର ଜଗିବାକୁ ଯାଏ, ସେଠେଇ ସମସ୍ତେ ସମସ୍ତଙ୍କ ଦୁଃଖ ସୁଖ କଥାବାର୍ତ୍ତା ହୁଅନ୍ତି । ଦିନେ କଥା ପଡ଼ୁ ପଡ଼ୁ ବସନ୍ତର କଥା ସମସ୍ତେ ପଚାରିଲେ । ବସନ୍ତ କ‌ହିଲା ଦୁଃଖ କ‌ହିବି କି ସୁଖ କ‌ହିବି; ଯାହା ଅଙ୍ଗେ ନିଭେଇଚି ତାହା କ‌ହିବି । ତା ଜୀବନର ସବୁ ଘଟଣା କ‌ହିଗଲା । ଯେମନ୍ତ ସେ ଦୁଇଭାଇ ଥିଲେ ବାପ ମା କେମିତି ମରିଯିବାରୁ ଦାଦି ଘରେ ଥିଲେ, ଦାଦିର ମୁଦି ଚୋରିଯିବାରୁ ଦାଦି ଯେମତି ତଡ଼ି ଦେଲା, ବନସ୍ଥରେ ଶୁଆ ସାରୀ ଯାହା ଯାହା କ‌ହିଥିଲେ; ଶ୍ୱେତ ପାଣି ପାଇଁ ଯାଇ ଯେମିତି କୁଆଡ଼େ ରହିଲା, ଏ କୁମ୍ଭାରଘରେ ରହିଥିଲା; ଏହାର ମୁକ୍ତାତକ ଯେମନ୍ତ କୁମ୍ଭାର ନେଇଗଲା; ସବୁ କଥା ସେମାନଙ୍କୁ କ‌ହିଗଲା । ଏମାନେ ଶୁଣି ବଡ଼ ବ୍ୟସ୍ତ ହେଲେ, ଯାଇ ରାଜାଙ୍କୁ ସବୁ କଥା କ‌ହିଲେ । ରାଜା ବସନ୍ତକୁ କୁମ୍ଭାର ଘରୁ ଡକାଇ ଆଣିଲେ, ତାକୁ ତାର ପରିଚୟ ପଚାରିଲେ । ବସନ୍ତ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସବୁ କ‌ହିଗଲା ଶ୍ୱେତ ବସନ୍ତ ଦିହେଁ ଯାକ ଚିହ୍ନାଚିହ୍ନି