ପୃଷ୍ଠା:Krutrima upagrahara jayajatra.pdf/୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବୈଜ୍ଞାନିକମାନଙ୍କ ସହିତ ସମ୍ବାଦ ଓ ତଥ୍ୟ ବିନିମୟ କରୁଥିଲା । ଚନ୍ଦ୍ର ରାଜ୍ୟରେ ୧୪ ଦିନକୁ ନେଇ ଗୋଟିଏ ଦୀର୍ଘ ଦିନ ଓ ତା'ପରେ ୧୪ ରାତିକୁ ନେଇ ଗୋଟିଏ ଦୀର୍ଘ ରାତ୍ରି ହୋଇଥାଏ । ଲୁନାଖୋଦ୍‌ ଦୀର୍ଘଦିନରେ ସକ୍ରିୟ ହୋଇପଡ଼େ ଏବଂ ଦୀର୍ଘରାତ୍ରିରେ ନିଷ୍କ୍ରିୟ ହୋଇ ଶୋଇପଡ଼େ । ସେ ଚନ୍ଦ୍ରଦେଶରେ ମୋଟ ୧୦,୫୪୦ ମିଟର ବୁଲି ୫୦୦ ଟି ସ୍ଥାନରେ ଭୂମିଖୋଳି ପରୀକ୍ଷା କରିଥିଲା ଏବଂ ୨୦ ହଜାର ଚିତ୍ର ପୃଥିବୀକୁ ପଠାଇଥିଲା । ୧୯୭୧ ଅକ୍ଟୋବର ମାସରେ ଲୁନାଖୋଦ୍-୧ ର କାର୍ଯ୍ୟ ଶେଷ ହୋଇଥିଲା ।

ଏହାପରେ ଋଷ୍‌ ଲୁନା-୧୮ ଓ ଲୁନା-୧୯ ଚନ୍ଦ୍ର ରାଇଜକୁ ପଠାଇଥିଲା । ଏହା ଚନ୍ଦ୍ର ପାର୍ବତ୍ୟ ଓ ମରୁ ଅଞ୍ଚଳରୁ ନାନା ପ୍ରକାର ତଥ୍ୟ ସଂଗ୍ରହ କରିଥିଲା । ଶେଷରେ ୧୯୭୨ ମସିହା ଫେବୃଆରୀ ୧୪ ରେ ଲୁନା-୨୦ ଚନ୍ଦ୍ରକୁ ପ୍ରେରଣ କରାଯାଇଥିଲା । ଫେବୃୟାରୀ ୨୧ ରେ ଏହା ଜହ୍ନ ରାଇଜରେ ଓହ୍ଲାଇ ଖୋଳିବାରେ ଲାଗିଥିଲା ଏବଂ ଫେବୃୟାରୀ ୨୩ ରେ ଋଷ୍‌ ବିଜ୍ଞାନୀମାନଙ୍କ ନିର୍ଦ୍ଦେଶ ପାଇ ଭୂପୃଷ୍ଠକୁ ଫେରି ଆସିଥିଲା । ମାତ୍ର ସାଥିରେ ସେ ଆଣିଥିଲା ବହୁ ମୂଲ୍ୟବାନ ଚନ୍ଦ୍ରଧୂଳି ଯାହାର ଗୁରୁତ୍ୱ ଅସୁମାରି ।


ମହାଶୂନ୍ୟରେ ଘାଟୀ ବା ଷ୍ଟେସନ୍‌

ମହାକାଶ ଗବେଷଣା କ୍ଷେତ୍ରରେ ସୋଭିଏତ୍‌ ଋଷ୍‌ର ଏକ ଉଲ୍ଲେଖଯୋଗ୍ୟ କୃତିତ୍ୱ ହେଲା - ମହାଶୂନ୍ୟରେ କୃତ୍ରିମ ଉପଗ୍ରହର ଗୋଟିଏ ଘାଟୀ ପ୍ରତିଷ୍ଠା । ରେଳଷ୍ଟେସନ୍‌ରେ ଗୋଟିଏ ଅଫିସ୍‌ ରହି ଟ୍ରେନ୍‌ ଗୁଡ଼ିକ ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ । ସେଗୁଡ଼ିକୁ ପାଣି କୋଇଲା ଯୋଗାଇବାର ବ୍ୟବସ୍ଥା କରେ । ଇଞ୍ଜିନ୍‌ ଓ ଅନ୍ୟାନ୍ୟ ଯନ୍ତ୍ରପାତିର ପରଖ କରେ । ଯାତ୍ରୀମାନେ ସେଠାରେ ଓହ୍ଲାନ୍ତି ଓ ବସନ୍ତି । ମାଲ୍‌ ଲଦାଯାଏ ଏବଂ ଓହ୍ଲାଯାଏ । ସେମିତି କୃତ୍ରିମ ଉପଗ୍ରହ ଗୁଡ଼ିକ ପାଇଁ ମହାକାଶରେ ଏକ ଷ୍ଟେସନ ପ୍ରତିଷ୍ଠିତ ହୋଇଛି । ୧୯୭୧ ମସିହା ଏପ୍ରିଲ ୧୯ ରେ ଏ ଦିଗରେ ଏକ ପ୍ରାଥମିକ ପଦକ୍ଷେପ ନିଆଯାଇଥିଲା ।

ସେହି ବର୍ଷ ଏପ୍ରିଲ ୨୪ ତାରିଖରେ ସୋୟୁଜ୍‌-୧୦ ନାମକ ଏକ ମହାକାଶଯାନ ତିନିଜଣ ଯାତ୍ରୀଙ୍କୁ ନେଇ ଉପରକୁ ଉଠିଥିଲା । ପ୍ରାୟ ୨୪