ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ରାମଲୀଳା

ସିଂହଦ୍ୱାରେ ହରି ରଥରୁ ବିଜୟ କରନ୍ତେ କମଳା ଭେଟ ।
ସେହି ସମୟରେ ଜନ ସମୂହରେ ଫିଟିଲା ମୁଦ କବାଟ ।।

ଠାକୁର ଠାକୁରାଣୀ ଚନ୍ଦ୍ର ଆଳତୀ ଦୂର୍ବାକ୍ଷତ ବନ୍ଦାପନା ।
ଜୟଧ୍ୱନି ଜଗତରେଯେ କରନ୍ତି ହୋଇଣ ଆନନ୍ଦ ମନା ।।

ଜୟ ବିଜୟ ଦ୍ୱାରେ ହରି ବିଜୟ କବାଟ ପଡ଼ିବା ଲୀଳା ।
ଅନେକ ମତେ ପ୍ରବୋଧିଣ ପ୍ରିୟାଙ୍କୁ କ‌ହିଲେ କମଳ ଡ଼ୋଳା ।।

ତଦନ୍ତରେ ହରି ପ୍ରିୟା ଭେଟ ସାରି ରତ୍ନ ସିଂହାସନେ ବିଜେ ।
ଶ୍ରୀଦିବ୍ୟସିଂହ ଗଜପତି ଶ୍ରୀଜଗନ୍ନାଥ ଶ୍ରୀଚରଣେ ଭଜେ ।।

ଶୁଣ ହେ ସୁଜନେ ଶ୍ରୀରାମ ଚରିତ ଶତକୋଟି ଗ୍ରନ୍ଥସାର ।
ସୁଧା ସାଗରୁ କୁଶଅଗ୍ରେ ଆଣନ୍ତେ ଅଇଲା ଯେତେକ ନୀର ।।

ବାଲମିକ ମୁନି ରାମାୟଣ କରି କଲେକ ତାହା ରଚନା ।
ଚବିଶ ସ‌ହସ୍ର ଗ୍ରନ୍ଥ କଲେ ମୁନି ହୋଇଣ ଆନନ୍ଦ ମନା ।।

ସେ ରାମାୟଣ ଶତଭାଗ କରିଣ ଭାଗେ ତ‌ହିଁରୁ ଆଣିଲି ।
ବିବିଧ ରାଗରେ ଉତ୍କଳ ଭାଷାରେ ଲୀଳା କରିଣ ଗାଇଲି ।।

ହେ ବୁଧଜନେ ନ ଘେନ ମୋର ଦୋଷ ଶ୍ରୀରାମ ଭକତି ଘେନ ।
କବିର ଦୋଷକୁ ବିଚାର ନ କର ନମାମି ହେ କବିଜନ ।।

ରାମ ନାମ ମହାପାତକନାଶନ ଜନ୍ମ ମୃତ୍ୟୁ ବିନାଶନ ।
ତେଣୁ ଏହି ନାମ ଗାୟନ କରନ୍ତି ଚତୁର୍ଦ୍ଦଶ ଲୋକମାନ ।।

ଚତୁର ଆନନ ଶିବ ସନ‌କାଦି ଜପୁଛନ୍ତି ଏହି ନାମ ।
ନାମ ଆଶ୍ରା କଲା ଜନ‌ଙ୍କୁ ଦେଖିଣ ଦୂରୁ ଅପସରେ ଯମ ।।

ଏକା ରାମନାମ ବିଷ୍ଣୁ ସମ୍ରନାମ ଫଳ ଅଟଇ ସମାନ ।
ଏଣୁ କରି ରାମ ଚରିତ ବଖାଣ କରିବାକୁ ହେଲା ମନ ।।

ଶ୍ରୀରାମ-ଚରଣ-ତରୁଣ-ଅରୁଣ-କମଳରେ ନିରନ୍ତର ।
ଦୁର୍ବୁଦ୍ଧି ମକରନ୍ଦ ପାନ କରଇ ବିଶି ମତି ମଧୂକର ।। [୧]


  1. * ଏହି ଗୀତଟି ପୋଥିରେ ମାତ୍ର ଚାରି ପଦରେ ଶେଷ ହୋଇଛି । ଚତୁର୍ଥ ପଦଟି ହେଉଛି - ଶୟନ ଭୟକୁ ସୁଖ ହିଁ ଉଦୟ କରାଇ ଯେଉଁ ଗୁଣ୍ତିଚା । ଦୀନହୀନ ବିଶି ଅହ ର୍ନିଶି ବସି ପାଞ୍ଚୁଥାଇ ପଞ୍ଚା ପଞ୍ଚା।