ପୃଷ୍ଠା:Sashi Sena.pdf/୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଚତୁର୍ଥ ଛାନ୍ଦ
୨୩
 

ପୁଣି ବିଚାରଇ ମନେ । ଯିବି ସେ ସଂକେତ ସ୍ଥାନେ ।
ଗୁପତେଣ ଆସିଥାଇ । ଦେଖିବି ଯାଇ ଯେ । ୩୮ ।
ୟେତେ ବୋଲି ୟେକସରେ । ପ୍ରବେଶ ଫୁଲବନରେ ।
କୁମର ଅଛଇ ବସି । ଦେଖିଲା ଆସି ୟେ । ୩୯ ।
ବୋଲେ ଏ କିସ ଚରିତ । ଭିଆଇଲ ପ୍ରାଣନାଥ ।
ଆକୁଳ ସକଳ ଜନ । କହ ବିଧାନ ୟେ । ୪୦।
କୁମର ସକଳ କଥା । କ‌ହିଲା ଯିସ ବେବସ୍ଥା ।
ହସି ଶଶିସେଣା କହେ । ଭଲ ଊପାୟେ ୟେ । ୪୧।
ୟେବେ ୟେଥେ ତୁମ୍ଭେ ଥାଅ । ଆମ୍ଭଙ୍କୁ ମେଲାଣି ଦିଅ ।
ଆସିବି ନିଶି ହୋଇଲେ । ସଖୀ ଶୋଇଲେ ଯେ ।୪୨।
ଲୋଡ଼ୁଥିବେ ୟେବେ ସ‌ହୀ । ଆସିବା ନ ଜାଣେ କେହି ।
ବିଳମ୍ବେ କରିବେ ଗୋଳ । କୁହଇ ଭଲ ୟେ । ୪୩ ।
କୁମର ବୋଲ ସହି । ଉଛୁର କରିବ ନାହିଁ ।
ଯାଇଣ ଆସିବ ବେଗି । ଅଛି ମୁଁ ଜଗି ଗୋ ।୪୪।
ଶୁଣି ସେ ସେନେହ ବାଣୀ । ହରଷେ ଚଳଇ ପୁଣି ।
ମନ୍ଦିରେ ପ୍ରବେଶ ଆସି । ପଲଙ୍କେ ବସି ୟେ । ୪୫।
ସୁରେଖା ନାମେଣ ସଖୀ । ତାହାକୁ କତିକି ଡ଼ାକି ।
ବୋଲଇ ଶୁଣ ମିତଣି । ବିଚିତ୍ର ବାଣୀ ଯେ ।୪୬।
ବ୍ୟାଘ୍ରେକ ଅଇଲା କାହିଁ । ଗର୍ଜନେ କମ୍ପାଇ ମହୀ ।
ଫୁଲବନେ ଅଛି ରହି । ଦେଖିଲି ମୁହିଁ ଯେ । ୪୭ ।


୩୯। ୟେକସରେ-ଏକ ସ୍ୱରରେ ।