ପୃଷ୍ଠା:Sashi Sena.pdf/୧୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦ୍ୱାଦଶ ଛାନ୍ଦ
୮୬
 

ମୁଁ କାହିଁକି ଯିବି ଅବା ମୋର କେହି ନାହିଁ ।
ତୁମ୍ଭ ସେବା ବିତ୍ରକେ ମୁଁ ଆନ ନ ଜାଣଇ ।
ଭୋ ଦେବ କମଳାବର ଶଙ୍ଖ ଚକ୍ରଧର ।
ଅନାଥ ଜନଙ୍କ ନାଥ ପ୍ରତୀକାର କର । ୩୭ ।

ଶ୍ରୀକୃଷ୍ଣଙ୍କୁ ଚିନ୍ତା କରି ବୋଲଇ ସୁନ୍ଦରୀ ।
ସଂସାରେଣ କାହିଁ ସ୍ତିରୀ ଦୁଖୀ ମୋହୋ ସରି ।
କୃଷ୍ଣ ସୁମରଣା ବାଳୀ କଲା ଯେତେବେଳେ ।
ସର୍ବ ଅନ୍ତର୍ଯ୍ୟାମୀ - ସ୍ୱାମୀ ଶ୍ରବଣେ ଶୁଣିଲେ । ୩୮ ।

ସରସ୍ୱତୀ ହକାରି ବୋଇଲେ ଦେବରାୟେ ।
ସଦାନନ୍ଦ ଯୋଗୀ ହୃଦେ କର ଯା ବିଜୟେ ।
ଧ୍ୟାନେ ବସିଅଛି ତାର ଛଡ଼ାଇବୁ ଯୋଗ ।
କର୍ଣ୍ଣକୁ ଶୁଭିବ ଶଶିସେଣା ବାଳୀ ଶୋକ । ୩୯ ।

ଦୟା କରି ମୁନି ତାକୁ ଉପଦେଶ ଦେବ ।
ଉପାୟ କରିଣ ତାର ନାହାକୁ ପାଇବ ।
ଆଜ୍ଞା ପାଇ ସାରଳା ସେ ବେଗେ ଚଳିଗଲେ ।
ସଦାନନ୍ଦ ସମାଧି ଉଚ୍ଚାଟ କରାଇଲେ । ୪୦ ।

ହଜିଥିଲା ଚେତନା ଯେ ଚଞ୍ଚଳ ହୋଇଲା ।
ଚ‌କ୍ଷୁ ବେନି ଫେଡ଼ି ଚଉପାଶକୁ ଚାହିଁଲା ।
ତରୁଣୀ ରତନ ଶଶିସେଣା ଶୋକ ବାଣୀ ।
ତଲେ କରି ମୁନିବର ଶ୍ରବଣେ ତା ଶୁଣି । ୪୧ ।



୩୭ । କମଳା ବର - ଲକ୍ଷ୍ମୀଙ୍କ ପତି ଜଗନ୍ନାଥ ୪୦ । ସମାଧି- ଯୋଗ ଆସନ । ୪୧। ତଲେ (ତଲ୍ଲୟ ଶବ୍ଦଜ) କରି— ଲୟ ଲଗାଇ ।